ଭୁବନେଶ୍ୱର,୦୩/୦୫: ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଗୁଜବ ଖବର । ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କର୍ତ୍ତୃପକ୍ଷ । ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି, ଚଳିତ ମାସ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଆଗୁଆ ସୂଚନା ଦିଆଯିବ । ଆସନ୍ତାକାଲି ମେ ୬ ତାରିଖ ସକାଳ ୧୦ଟାରେ ସିଏଚ୍‌ଏସ୍‌ଇ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଏକ ଖବର ସିଏଚ୍‌ଏସ୍‌ଇର ଜାଲ୍‌ ଲେଟର ପ୍ୟାଡ୍‌ରେ ବୁଲୁଛି । ଏଥିରେ କୌଣସି ଦସ୍ତଖତ ନାହିଁ । ଯାହକୁ ନେଇ ପିଲାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କେବଳ ଯେ ସିଏଚ୍‌ଏସ୍‌ଇର ପରୀକ୍ଷା ଫଳକୁ ନେଇ ଏମିତି ଗୁଜବ ଖବର ହେଉଛି ତାହା ନୁହେଁ ସିବିଏସ୍‌ଇ ପରୀକ୍ଷା ଫଳକୁ ନେଇ ମଧ୍ୟ ଏପରି ଗୁଜବ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ମେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ପରୀକ୍ଷା ଫଳ ପ୍ରକାଶ ନେଇ ଗଣମାଧ୍ୟମକୁ ସୂଚନା ଦେବା ସହ ୱେବ୍‌ସାଇଟ୍‌ରେ ଏନେଇ ବିଜ୍ଞପ୍ତି ଜାରି କରାଯିବ । ତେବେ ପରୀକ୍ଷାର୍ଥୀମାନେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ସୂଚନାଯୋଗ୍ୟ, ମାର୍ଚ୍ଚ ୨୭ରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଛି । ଏପ୍ରିଲ ୨ରୁ ଖାତା ଦେଖା ଆରମ୍ଭ ହୋଇ ମେ ୧ ତାରିଖ ମଧ୍ୟରେ ଶେଷ ହୋଇଛି ।