ନୂଆଦିଲ୍ଲୀ,୦୨/୦୮: ଚାଷୀଙ୍କ ଖାତାକୁ ଗଲା ପିଏମ୍ କିସାନ୍ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି ବାରାଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଏହା ସହିତ ବାରଣାସୀରେ ବିଭିନ୍ନ ପ୍ରକଳ୍ପ ଭେଟି ଦେବା ସହିତଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମରେ ନିର୍ଦ୍ଦୋଷଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ମୁଁ ମର୍ମାହତ ଥିଲି । ଝିଅଙ୍କ ସିନ୍ଦୁରର ପ୍ରତିଶୋଧ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ତାହା ପୂରଣ ହୋଇଛି । କିଛି ଲୋକ ଏହାକୁ ଗ୍ରହଣ କରିପାରୁନାହାନ୍ତି । 'ଅପରେସନ୍ ସିନ୍ଦୂର'ର ସଫଳତାକୁ ପ୍ରଶଂସା କରିବା ସହିତ ଏହାକୁ ମହାଦେବଙ୍କୁ ସମର୍ପଣ କରିଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ  ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"ସମସ୍ତେ ଜାଣିଛନ୍ତି ଯେ ପାକିସ୍ତାନ ବିଚଳିତ ଦୁଃଖିତ । କିନ୍ତୁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ପାକିସ୍ତାନ ଯେଉଁ ଯନ୍ତ୍ରଣା ଦେଇ ଗତି କରୁଛି ତାହା ସହ୍ୟ କରିପାରୁନାହାଁନ୍ତି । ପାକିସ୍ତାନ କାନ୍ଦୁଛି କିନ୍ତୁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଆତଙ୍କବାଦୀଙ୍କ ଅବସ୍ଥା ଦେଖି କାନ୍ଦୁଛନ୍ତି । କଂଗ୍ରେସ ଆମର ସେନାର ବୀରତ୍ୱକୁ ନିରନ୍ତର ଅପମାନ କରୁଛି । କଂଗ୍ରେସ 'ଅପରେସନ ସିନ୍ଦୂର'କୁ 'ତାମାଶା' ବୋଲି କହିଛି । ଭୋଟବ୍ୟାଙ୍କ ଏବଂ ତୁଷ୍ଟିକରଣର ଏହି ରାଜନୀତିରେ, ସମାଜବାଦୀ ପାର୍ଟି ମଧ୍ୟ କମ୍ ନୁହେଁ । ସେମାନଙ୍କର ନେତାମାନେ ପ୍ରଶ୍ନ କରୁଥିଲେ ଯେ ପହଲଗାମ ଆତଙ୍କବାଦୀଙ୍କୁ କାହିଁକି ହତ୍ୟା କରାଗଲା ? ମୁଁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସେମାନଙ୍କୁ ଫୋନ୍ କରି ପଚାରିବା ଉଚିତ କି ? ସାଧାରଣ ବୁଦ୍ଧି ଥିବା ଯେକୌଣସି ବ୍ୟକ୍ତି ଉତ୍ତର ଦେଇପାରିବେ, ଆମକୁ ଆତଙ୍କବାଦୀଙ୍କୁ ମାରିବା ପାଇଁ ଅପେକ୍ଷା କରିବାକୁ ପଡିବ କି ? ଆମେ ସେମାନଙ୍କୁ ପଳାଇଯିବାକୁ ସୁଯୋଗ ଦେବା ଉଚିତ କି ? ସେମାନେ ସେହି ଲୋକ ଯେଉଁମାନେ କ୍ଷମତାରେ ଥିବା ସମୟରେ ଆତଙ୍କବାଦୀଙ୍କୁ କ୍ଲିନ୍ ଚିଟ୍ ଦେଉଥିଲେ, ଏବଂ ଏବେ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ସେମାନେ ବିଚଳିତ । ଅପରେସନର ନାମ 'ସିନ୍ଦୂର'କୁ ନେଇ ବି ସେମାନଙ୍କର ସମସ୍ୟା ଅଛି । "

ଅଧିକ ପଢନ୍ତୁ...ଚାଷୀଙ୍କ ପାଇଁ ଖୁସି ଖବର, ଖାତାକୁ ଗଲା ପିଏମ୍ କିଷାନ ନିଧିର ୨୦ତମ କିସ୍ତି

ବାରଣାସୀରେ ୨୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "... ଯେତେବେଳେ ଅନ୍ୟାୟ ଏବଂ ଆତଙ୍କ ହୁଏ, ମହାଦେବ ତାଙ୍କର 'ରୁଦ୍ର ରୂପ' ଧାରଣ କରନ୍ତି। 'ଅପରେସନ ସିନ୍ଦୂର' ସମୟରେ ବିଶ୍ୱ ଭାରତର ଏହି ଚେହେରା ଦେଖିଥିଲା । ଭାରତ ସହିତ ଯେଉଁମାନେ ବିଶୃଙ୍ଖଳା କରନ୍ତି, ସେମାନଙ୍କୁ 'ପାତାଳ ଲୋକ'ରେ ବି ଛଡ଼ାଯିବ ନାହିଁ। ଦୁର୍ଭାଗ୍ୟବଶତଃ, କିଛି ଲୋକ ଅପରେସନ ସିନ୍ଦୂରର ସଫଳତାକୁ ଗ୍ରହଣ କରୁନାହାନ୍ତି । କଂଗ୍ରେସ ଏବଂ ଏହାର ଅନୁଗାମୀ ବନ୍ଧୁମାନେ ଏହି ସତ୍ୟକୁ ହଜମ କରିପାରୁନାହାଁନ୍ତି ଯେ ଭାରତ ପାକିସ୍ତାନର ଆତଙ୍କୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲା । "