୨୦୨୫ ମସିହାଟି ଭାରତ ପାଇଁ ଉଚ୍ଚ ଚିନ୍ତନ, ଦ୍ରୁତ ପ୍ରଗତି ଏବଂ ବ୍ୟାପକ ସଂସ୍କାରର ବର୍ଷ ରୂପେ ଅବଶ୍ୟ ନାମିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଅପ୍ରଚଳିତ ଅନେକ ଆଇନର ଉଚ୍ଛେଦ ସମେତ ଟିକସ ବ୍ୟବସ୍ଥାର ସରଳୀକରଣ, ନିୟାମକ ଢାଞ୍ଚାରେ ପରିବର୍ତ୍ତନ, ଶିଳ୍ପସଂସ୍ଥାମାନଙ୍କ ସକାଶେ ନୂଆ ନୂଆ ଦିଗ ଉନ୍ମୋଚନ ସହିତ ଦେଶ ଓ ଦେଶବାସୀଙ୍କ ଆଶା ଆକାଂକ୍ଷା ସହିତ ସୁଶାସନ ବ୍ୟବସ୍ଥାକୁ ସୁସଙ୍ଗତ କରାଯାଇପାରିଛି । ପ୍ରଥମ ଥର ପାଇଁ ଦେଶର ଆର୍ଥିକ ଚିନ୍ତନରେ ଅଭୂତପୂର୍ବ ସ୍ପଷ୍ଟତା, ମାତ୍ରା ବୃଦ୍ଧି ଏବଂ ବୈଶ୍ୱିକ ମହତ୍ତ୍ୱାକାଂକ୍ଷା ପ୍ରତିବିମ୍ବିତ ହୋଇଛି । ଏହାର ପ୍ରଭାବ ଗ୍ରାମାଞ୍ଚଳଠାରୁ ଆରମ୍ଭକରି ଶିଳ୍ପସଂସ୍ଥା, ଶ୍ରମ ବଜାର ଏବଂ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରମାନଙ୍କରେ ସ୍ପଷ୍ଟରୂପେ ପ୍ରତିଫଳିତ ହୋଇଛି । ଅଗଷ୍ଟ ୧୫ ତାରିଖ ଦିନ ଲାଲକିଲ୍ଲା ମଞ୍ଚ ଉପରୁ ବଜ୍ର ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ଏକବିଂଶ ଶତାବ୍ଦୀର ନିୟାମକ ସଂସ୍କାରରେ ଯେଉଁ ଆମୂଳଚୂଳ ପରିବର୍ତ୍ତନର ସୂଚନା ଦେଇଥିଲେ, ତାହା ସାକାର ତ ହୋଇପାରିଛି ।

ସମସ୍ତ ବୈଶ୍ୱିକ ଆକଳନକୁ ଅତିକ୍ରମ କରି ୨୦୨୫ ମସିହାରେ ଭାରତୀୟ ଅର୍ଥନୀତି ୮.୨% ସାମଗ୍ରିକ ଘରୋଇ ଉତ୍ପାଦ(ଜିଡିପି) ରେକର୍ଡ ହାସଲ କରିଛି । ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବ୍ୟାପକ ସଂସ୍କାର କାର୍ଯ୍ୟକ୍ରମ, ଯାହାକି ଟିକସ ବ୍ୟବସ୍ଥାଠାରୁ ଆରମ୍ଭକରି ଶ୍ରମ ଆଇନ ପର୍ଯ୍ୟନ୍ତ, ବନ୍ଦର ଆଧୁନିକୀକରଣ ଠାରୁ ନେଇ ଆଣବିକ ଶକ୍ତି ଉତ୍ପାଦନ ଯାଏଁ, ଏଫଡିଆଇ ଠାରୁ ଏଫଟିଏ ପର୍ଯ୍ୟନ୍ତ ସର୍ବତ୍ର ଦୃଶ୍ୟମାନ ।

ଶ୍ରମ ସଂସ୍କାର: ଶ୍ରମିକମାନେ ଭାରତୀୟ ବିକାଶ ଗାଥାର ପ୍ରାଣକେନ୍ଦ୍ର

୨୦୨୫ ମସିହାରେ ଭାରତୀୟ ଶ୍ରମ ଆଇନରେ ଅଣାଯାଇଥିବା ସଂସ୍କାର ସାରାବିଶ୍ୱରେ ଚର୍ଚ୍ଚିତ ହୋଇଛି । ପୂର୍ବରୁ ପ୍ରଚଳିତ ୨୯ଟି ପୁରୁଣା ଆଇନକୁ ଚାରିଗୋଟି ନୂତନ ଶ୍ରମ ବିଧିରେ ପରିଣତ କରି ଭାରତୀୟ ଶ୍ରମ ଢାଞ୍ଚାକୁ ସରକାର ସ୍ୱଚ୍ଛ, ଦୃଶ୍ୟମାନ ଓ ନିର୍ଣ୍ଣାୟକ ଆକାର ପ୍ରଦାନ କରିଛନ୍ତି । ଏହାଫଳରେ ମଜୁରି ସୁସଙ୍ଗତ, ସୁଗମ ଶ୍ରମ ସମ୍ପର୍କ ସହିତ ସାମାଜିକ ନିରାପତ୍ତା ଆହୁରି ବ୍ୟାପକ ହୋଇପାରିଛି । ଶ୍ରମିକମାନଙ୍କ ପାଇଁ କର୍ମସ୍ଥଳୀ ଅଧିକ ନିରାପଦ ହୋଇଛି ଏବଂ ଏହା ଦେଶର ୬୪.୩୩ କୋଟି ଶ୍ରମ ବଜାରକୁ ଆଶ୍ୱସ୍ତ କରିଛି । ଏହାଦ୍ୱାରା ଶ୍ରମଶକ୍ତିରେ ମହିଳାମାନଙ୍କ ମାତ୍ରା ବୃଦ୍ଧି ସହିତ ବେକାରୀ ମାତ୍ରା ହ୍ରାସପାଇଛି । ଦେଶର ୧୦ ନିୟୁତ ଗିଗ୍ ଶ୍ରମିକଙ୍କୁ ବାର୍ଷିକ ୫,୦୦୦ରୁ ୧୦,୦୦୦ ପର୍ଯ୍ୟନ୍ତ ସାମାଜିକ ନିରାପତ୍ତା ରାଶି ସୁନିଶ୍ଚିତ ହୋଇଛି । ୫୦ରୁ ୭୦ ନିୟୁତ ଠିକାଶ୍ରମିକଙ୍କୁ ଇପିଏଫ୍ ଏବଂ ଇଏସ୍ଆଇ ଅଧୀନକୁ ଅଣାଯାଇଛି ।

ନୂତନ ପିଢ଼ିର ଜିଏସ୍‌ଟି ସଂସ୍କାର: ସରଳ, ସୁସଙ୍ଗତ ଓ ସ୍ୱଚ୍ଛ ବ୍ୟବସ୍ଥା ଭାରତର ବସ୍ତୁ ଓ ସେବା କର (ଜିଏସ୍‌ଟି) ବ୍ୟବସ୍ଥା ୨୦୨୫ ମସିହାରେ ଉଲ୍ଲେଖନୀୟ ସରଳତା ହାସଲ କରିଛି । ଏହିବର୍ଷ ଜିଏସଟିକୁ ମାତ୍ର ଦୁଇଟି ସ୍ଲାବ (୫% ଏବଂ ୧୮%)କୁ ଅଣାଯାଇଛି, ଯାହାର ସୁଫଳ ଦେଶର ସାଧାରଣ ପରିବାର ଠାରୁ ଏମଏସଏମଇ, କୃଷକ, ଶ୍ରମଭିତ୍ତିକ କ୍ଷେତ୍ରମାନେ ପାଇପାରିଛନ୍ତି । ଏଭଳି ସଂସ୍କାର ବିବାଦକୁ ହ୍ରାସକରି କମ୍ପ୍ଲିଆନ୍ସକୁ ମଜଭୁତ କରିଛି । ଏସବିଆଇ’ର ଏକ ଅନୁଧ୍ୟାନ ଅନୁସାରେ, ୨୦୨୬ ଆର୍ଥିକ ବର୍ଷରେ ଏଭଳି ଜିଏସଟି ସଂସ୍କାର ଦ୍ୱାରା ସଂଗୃହୀତ ରାଜସ୍ୱ ପରିମାଣ ବଜେଟ ଆକଳନଠାରୁ ମଧ୍ୟ ଅଧିକ ହେବ ।

ଆୟକର ସଂସ୍କାର: ମଧ୍ୟମବର୍ଗଙ୍କୁ ଆଶ୍ୱସ୍ତି

ଆୟକର ସଂସ୍କାର ଦୃଷ୍ଟିରୁ ୨୦୨୫ ମସିହାଟି ଭାରତୀୟ ମଧ୍ୟମବର୍ଗଙ୍କ ସକାଶେ ସବୁଠାରୁ ଯୁଗାନ୍ତକାରୀ ବର୍ଷ । ପ୍ରଥମଥର ପାଇଁ ବାର୍ଷିକ ୧୨ଲକ୍ଷ ଟଙ୍କାର ଉପାର୍ଜନ ଉପରେ କରଦାତାଙ୍କୁ କୌଣସି ଆୟକର ଦେବାକୁ ପଡ଼ିବନାହିଁ, ଯାହାକି ସେମାନଙ୍କ ସଞ୍ଚୟ, ବ୍ୟୟ ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବ । ଏଥିପାଇଁ ସରକାର ୧୯୬୧ ମସିହାର ପୁରୁଣା ଆୟକର ଆଇନ ସ୍ଥାନରେ ସରଳୀକୃତ ଆୟକର ଆଇନ ୨୦୨୫ କାର୍ଯ୍ୟକାରୀ କରିଛନ୍ତି ।

ବିଲ୍ଡିଂ ପରମିଟ୍ ଏବଂ ପର୍ଯ୍ୟାବରଣ ମଞ୍ଜୁରିରେ ସଂସ୍କାର

ଉତ୍ପାଦନ ୟୁନିଟମାନ ସ୍ଥାପନ କରିବା ସକାଶେ ମୋଦି ସରକାର ନିୟମାବଳୀକୁ ଅଧିକ ସରଳ କରିଛନ୍ତି । ପୂର୍ବରୁ ଏଥିପାଇଁ ୩୩% ସବୁଜିମା କଭର ବାଧ୍ୟମତାମୂଳକ ଥିବାବେଳେ ଏହାକୁ ସମ୍ପ୍ରତି ହ୍ରାସ କରାଯାଇଛି ଏବଂ ଶିଳ୍ପସଂସ୍ଥାମାନଙ୍କ ପ୍ରଦୂଷଣ ଆଶଙ୍କା ମାତ୍ରା ଆଧାରରେ ଏହା ନିର୍ଦ୍ଧାରଣର ବ୍ୟବସ୍ଥା ହୋଇଛି । ଏହା ୧.୨ଲକ୍ଷ ହେକ୍ଟରର ଅଧିକ ଶିଳ୍ପାଞ୍ଚଳ ସୃଷ୍ଟି ସହିତ ବ୍ୟୟ ଖର୍ଚ୍ଚରେ ୨୦% ହ୍ରାସ ଘଟାଇବ ଏବଂ ପ୍ରାୟ ୨୦ରୁ ୩୦ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବ । ଏହା ବ୍ୟତୀତ ୩୨ ପ୍ରକାରର ଅଧିକ ଶିଳ୍ପସଂସ୍ଥାଙ୍କୁ ‘ହ୍ୱାଇଟ୍ କାଟେଗୋରୀ’ ଭାବରେ ଯୋଡ଼ାଯାଇଛି ଏବଂ ସେଥିରେ ସୌରଶକ୍ତି, ବାଇସାଇକେଲ ଆସେମ୍ବଲୀ, ହସ୍ତତନ୍ତ, ବୈଜ୍ଞାନିକ ସରଞ୍ଜାମ, ଚା ପ୍ୟାକିଂ, ଜୈବସାର, କାଠ ଉପକରଣ ପ୍ରସ୍ତୁତି ଶିଳ୍ପକୁ ସାମିଲ କରାଯାଇଛି ।

ଇଜ୍ ଅଫ୍ ଡୁଇଂ ବିଜିନେସ୍‌ ସଂସ୍କାର

ଇଜ୍ ଅଫ୍ ଡୁଇଂ ବିଜିନେସ୍ ପାଇଁ ୨୦୨୫ ବର୍ଷଟି ଏକ ସ୍ମରଣୀୟ ବର୍ଷ । ଏହି ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଘଟାଯାଇ ୭୬ ପ୍ରକାର ଉତ୍ପାଦ ବର୍ଗ ଉପରେ ଥିବା ବାଧ୍ୟତାମୂଳକ କମ୍ପ୍ଲିଆନ୍ସକୁ ହଟାଯାଇଛି ଏବଂ ବିନିୟନ୍ତ୍ରଣ ଲାଗି ପ୍ରାୟ ୨୦୦୦ରୁ ଅଧିକ ଉତ୍ପାଦକୁ ଚିହ୍ନଟ କରାଯାଇଛି, ଯାହାକି ଏମଏସଏମଇ ଏବଂ ରପ୍ତାନି କ୍ଷେତ୍ରକୁ ପର୍ଯ୍ୟାପ୍ତ ମାତ୍ରାରେ ଚାପମୁକ୍ତ କରିପାରିଛି । ଏହାଫଳରେ ଭାରତୀୟ ପୋଷାକ ରପ୍ତାନି ମାତ୍ରା ବର୍ଷକୁ ୩%ରୁ ୫%କୁ ଆଗାମୀ ୫ବର୍ଷ ମଧ୍ୟରେ ବୃଦ୍ଧି ପାଇବାର ଆଶା କରାଯାଏ । ଜୋତା ଓ ଅଟୋଶିଳ୍ପରେ ଏହି ମାତ୍ରା ୧୦ରୁ ୧୫% ବଢ଼ିବାର ଲକ୍ଷ୍ୟ ରଖାଯାଇଛି । କ୍ଷୁଦ୍ର କମ୍ପାନୀମାନଙ୍କ ବିରାଟ ଚିନ୍ତନ ଚଳିତ (୨୦୨୫) ବର୍ଷ ‘କ୍ଷୁଦ୍ର କମ୍ପାନୀ’ର ସଂଜ୍ଞାକୁ ପୁନଃ ନିରୂପଣ କରାଯାଇଛି ଏବଂ ଏଥିରେ ୧୦୦କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା କମ୍ପାନୀମାନଙ୍କୁ ସାମିଲ କରାଯାଇଛି । ଏହା ପ୍ରାୟ ୧୦ହଜାର କମ୍ପାନୀମାନଙ୍କ ବାଧ୍ୟତାମୂଳକ କମ୍ପ୍ଲିଆନ୍ସକୁ କମାଇବ ଏବଂ ସେଥିରୁ ସେମାନେ ପ୍ରାୟ ବାର୍ଷିକ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସଞ୍ଚୟ କରିପାରିବେ । ଏମଏସଏମଇ’ଙ୍କ ପାଇଁ ନୂଆ ସଂଜ୍ଞା ଓ ନୂତନ ଆକାଂକ୍ଷା ଚଳିତ ବର୍ଷ ଏପ୍ରିଲ ପହିଲାଠାରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ର ସଂଜ୍ଞାକୁ ପୁନଃ ନିର୍ଦ୍ଧାରଣ କରାଯାଇଛି, ଯାହାଫଳରେ ପୂର୍ବରୁ ଥିବା ସକଳ ସଂରଚନାତ୍ମକ ସମସ୍ୟା ଦୂର ହୋଇପାରିଛି । ଅଣୁ ଉଦ୍ୟୋଗଙ୍କ ନିବେଶ ୧ରୁ ୨.୫କୋଟି ଏବଂ କାରବାର ପରିମାଣ ୫ରୁ ୧୦ କୋଟିକୁ ବୃଦ୍ଧି କରାଯାଇଛି । କ୍ଷୁଦ୍ର ଉଦ୍ୟୋଗ ପାଇଁ ନିବେଶ ସୀମା ୧୦ରୁ ୨୫କୋଟିକୁ ଏବଂ କାରବାର ପରିମାଣ ୫୦ରୁ ୧୦୦କୋଟିକୁ ବଢ଼ାଇ ଦିଆଯାଇଛି । ସେହିଭଳି ମଧ୍ୟମ ଉଦ୍ୟୋଗଙ୍କ ନିବେଶ ମାତ୍ରା ୫୦ରୁ ୧୨୫ କୋଟି ଏବଂ ବାର୍ଷିକ କାରବାର ସୀମା ୨୫୦ରୁ ୫୦୦ କୋଟିକୁ ବୃଦ୍ଧି କରାଯାଇଛି । ଏହା ଏମଏସଏମଇ କ୍ଷେତ୍ରକୁ କେବଳ ସମ୍ପ୍ରସାରିତ କରିବନାହିଁ, ଦେଶର ଅର୍ଥନୀତିରେ ବଳିଷ୍ଠ ଯୋଗଦାନର ସୁଯୋଗ ପ୍ରଦାନ କରିବ ।

ଏଫଡିଆଇ ସଂସ୍କାର

ଚଳିତ ବର୍ଷ ମୋଦି ସରକାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି । ଭାରତୀୟ ବୀମା କମ୍ପାନୀମାନଙ୍କରେ ୧୦୦% ଏଫଡିଆଇ ପ୍ରବେଶକୁ ସରକାର ଅନୁମତି ଦେଇଛନ୍ତି । ଏହା କେବଳ ଦେଶକୁ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବନାହିଁ, ବୀମା କମ୍ପାନୀମାନଙ୍କୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ କରିବ ଏବଂ ଉପଭୋକ୍ତା ସେବାକୁ ଉନ୍ନତ କରିବ । ୧୦୦% ଏଫଡିଆଇ ଅନୁମତି ଦ୍ୱାରା ଆଗାମୀ ୫ବର୍ଷ ମଧ୍ୟରେ ୮ରୁ ୧୦କୋଟି ନୂଆ ବୀମାକାରୀ ବ୍ୟକ୍ତି ବୀମା ବ୍ୟବସ୍ଥାରେ ସାମିଲ ହେବେ ଏବଂ ଦେଶକୁ ୩-୫ ବର୍ଷ ଭିତରେ ୮-୧୨ ବିଲିଅନ ଡଲାରର ଏଫଡିଆଇ ପ୍ରବେଶ କରିବ ।

ଭାରତୀୟ ଉତ୍ପାଦକ ଏବଂ ଏମଏସଏମଇ’ଙ୍କ ପାଇଁ ବୈଶ୍ୱିକ ବଜାରର ଦ୍ୱାର ଉନ୍ମୋଚନ

୨୦୨୫ ମସିହାରେ ଭାରତ ଅନେକ ରାଷ୍ଟ୍ରଙ୍କ ସହିତ ମୁକ୍ତ ବାଣିଜ୍ୟ ଅଥବା ରଣନୀତିକ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଛନ୍ତି । ଗତ ଜୁଲାଇ ମାସରେ ଭାରତ-ବ୍ରିଟେନ (ଇଟିଏ) ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ନିକଟରେ ଓମାନ ସହିତ ଭାରତର ଏଭଳି ରାଜିନାମା ସ୍ୱାକ୍ଷର ହୋଇଛି । ନିକଟରେ ନ୍ୟୁଜିଲାଣ୍ଡ ସହିତ ଏକ ଏଫଟିଏ ସ୍ୱାକ୍ଷର ଚୂଡ଼ାନ୍ତ ହୋଇଛି । ଇତି ପୂର୍ବରୁ ଅକ୍ଟୋବର ମାସରେ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ସ୍ୱାକ୍ଷରିତ ରାଜିନାମା ଫଳରେ ଏବେ ଭାରତୀୟ ସାମଗ୍ରୀ ବିଶ୍ୱର ବିଭିନ୍ନ ଦେଶରେ ବିନା ଅଧିକ ଟିକସ ଅବା ବାଧାରେ ଉପଲବ୍ଧ ହେବ । ଏହା ଭାରତୀୟ ସେବା, ପ୍ରଯୁକ୍ତି, ସବୁଜ ଶକ୍ତି ପାଇଁ ନୂଆ କ୍ଷେତ୍ର ଖୋଲିବ । ଆଗାମୀ ଦିନରେ ୟୁରୋପୀୟ ସଂଘ, ମେକ୍ସିକୋ, ଇସ୍ରାଏଲ, କାନାଡ଼ା ଏବଂ ଉପସାଗର ସହଯୋଗ ପରିଷଦ ସହିତ ଭାରତ ସମାନ ରାଜିନାମାରେ ବାନ୍ଧିହେବାକୁ ଯାଉଛି ।

ବଜାର ସିକ୍ୟୁରିଟି ସଂସ୍କାର

ଭାରତର ସିକ୍ୟୁରିଟି ବଜାରର ଏକୀକରଣ ନିମନ୍ତେ ଏକକ ପ୍ରାବଧାନ ସରକାରଙ୍କର ଏକ ବଳିଷ୍ଠ ପଦକ୍ଷେପ । ଏଥିପାଇଁ ସଂସଦରେ ସିକ୍ୟୁରିଟିଜ ମାର୍କେଟ କୋଡ୍ ବିଲ୍ ଉପସ୍ଥାପିତ ହୋଇଛି, ଯାହା ନିୟନ୍ତ୍ରଣଠାରୁ ଉପଭୋକ୍ତା ସୁରକ୍ଷା, କମ୍ପ୍ଲିଆନ୍ସ ଭାରର ସରଳୀକରଣ ଘଟାଇବ । ଏହା ବାର୍ଷିକ ପ୍ରାୟ ୫୦୦ରୁ ୧୦୦୦କୋଟି ଟଙ୍କା ସଞ୍ଚୟ କରିବ।

ଜନବିଶ୍ୱାସ: ଅପରାଧିକରଣର ଯୁଗ ଶେଷ

ସରକାର ଏବଂ ବ୍ୟାବସାୟିକ ସଂସ୍ଥା କିପରି ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କାର୍ଯ୍ୟ କରନ୍ତି ଜନବିଶ୍ୱାସ ସଂସ୍କାର ତା’ର ଏକ ବଳିଷ୍ଠ ନମୁନା । ସେଥିପାଇଁ ପ୍ରାୟ ୨୦୦ରୁ ଅଧିକ ମାମୁଲି ଦୋଷତ୍ରୁଟିକୁ ଅପରାଧମୁକ୍ତ କରାଯାଇଛି । ଶହ ଶହ ଅଚଳ ଆଇନକୁ ଉଚ୍ଛେଦ କରିବା ସକାଶେ ‘ରିପିଲିଂ ଆଣ୍ଡ ଆମେଣ୍ଡମେଣ୍ଟ ଆକ୍ଟ ୨୦୨୫’ ପ୍ରବର୍ତ୍ତନ କରାଯାଇଛି । ଏହି ଆଇନ ପ୍ରାୟ ୭୧ଟି ଆଇନକୁ ଉଚ୍ଛେଦ କରିଛି ।

ସାମୁଦ୍ରିକ ଓ ନୀଳ ଅର୍ଥନୀତିକ ସଂସ୍କାର

୨୦୨୫ ମସିହାର ମୌସୁମୀ ଅଧିବେଶନ କାଳରେ ସଂସଦରେ ଗୃହୀତ ପାଞ୍ଚଟି ସାମୁଦ୍ରିକ ବିଧେୟକ ଚଳିତ ବର୍ଷର ଅନ୍ୟତମ ବଳିଷ୍ଠ ପଦକ୍ଷେପ । ଏହିସବୁ ଆଇନ ଭାରତର ସାମୁଦ୍ରିକ ପରିଚାଳନା ଆଇନ ୧୯୦୮, ୧୯୨୫ ଏବଂ ୧୯୫୮କୁ ଅଧିକ ଆଧୁନିକ ଓ ସଂସ୍କାରିତ କରିଛି । ଜାହାଜ ଚଳାଚଳ ଠାରୁ ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ ମୂଲ୍ୟ ହ୍ରାସ ଭଳି ଦିଗରେ ଏହା ଢେର୍ ମାତ୍ରାରେ ସହାୟକ ହୋଇଛି ।

ଶୈକ୍ଷିକ ସଂସ୍କାର

ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ଆଇନ ଦେଶରେ ଏକକ, ସମନ୍ୱିତ ଉଚ୍ଚଶିକ୍ଷା ନିୟାମକ ଭାବରେ ସ୍ଥାପିତ ହୋଇଛି । ଏହା ବିବିଧ ନିୟନ୍ତ୍ରକ ସଂସ୍ଥା ଯଥା- ୟୁଜିସି, ଏଆଇସିଟିଇ ଏବଂ ଏନସିଟିଇ ଦ୍ୱାରା ପରିଚାଳନା ବ୍ୟବସ୍ଥାର ଉଚ୍ଛେଦ ଘଟାଇଛି । ଏହାଫଳରେ ଆନୁଷ୍ଠାନିକ ସ୍ୱାୟତ୍ତତା ବୃଦ୍ଧିପାଇବ ଏବଂ ଏହା ନବାଚାର, ଶୈକ୍ଷିକ ଉତ୍କର୍ଷ ବୃଦ୍ଧିକରିବ । ଜାତୀୟ ଶିକ୍ଷାନୀତି ୨୦୨୦ ସହିତ ସମନ୍ୱୟ ରକ୍ଷାକରି ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବ୍ୟବସ୍ଥା ଦ୍ୱାରା ୨୦୩୪-୩୫ ମସିହା ସୁଦ୍ଧା ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନ ମାତ୍ରା ପ୍ରାୟ ୨୦% ବୃଦ୍ଧିପାଇବ ଏବଂ ଦେଶର ପ୍ରତ୍ୟେକ ଟାୟର-୨ ଏବଂ ୩ ତଥା ଗ୍ରାମାଞ୍ଚଳ ଜିଲ୍ଲାକୁ ଏହା ସମ୍ପ୍ରସାରିତ ହେବ ।

ଭାରତୀୟ ଆଣବିକ ଯାତ୍ରାରେ ନୂଆ ଯୁଗ

ଭାରତୀୟ ସଂସଦ ‘ଶାନ୍ତି’ ବିଲ୍‌କୁ  ଗୃହୀତ କରିଛି । ଏହା ଦେଶର ଆଣବିକ ନୀତିରେ ବ୍ୟାପକ ପରିବର୍ତ୍ତନ ଆଣିଛି । ଏହାଫଳରେ ଆଣବିକ ଶକ୍ତି ଉତ୍ପାଦନ ବୃଦ୍ଧି ସହିତ ଅଧିକ ଶକ୍ତିକେନ୍ଦ୍ର ପ୍ରତିଷ୍ଠା, ଏଥିରେ ଘରୋଇ କ୍ଷେତ୍ରଙ୍କ ସହଭାଗିତାକୁ ସୁଯୋଗ ଦିଆଯାଇଛି । ତେବେ ଆଣବିକ ନିରାପତ୍ତା ପ୍ରତି ସର୍ବାଧିକ ଧ୍ୟାନ ପ୍ରଦାନପୂର୍ବକ ଆଣବିକ ଇନ୍ଧନ, ଏହାର ସମ୍ବର୍ଦ୍ଧନ, ପୁନଃପ୍ରକ୍ରିୟାକରଣ ଏବଂ ଅସ୍ତ୍ରଶସ୍ତ୍ର କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ସରକାରଙ୍କ ନିୟନ୍ତ୍ରଣରେ ରହିଛି । ଆଗାମୀ ଦିନରେ ଘରୋଇ କ୍ଷେତ୍ରରୁ ଏଥିରେ ପ୍ରାୟ ୧୦୦ରୁ ୧୫୦ ବିଲିଅନ ଡଲାରର ନୂତନ ପୁଞ୍ଜି ପ୍ରବେଶର ଆଶା ରହିଛି । ୨୦୩୩ ମସିହା ସୁଦ୍ଧା ଶାନ୍ତି ବିଲ୍ ମାଧ୍ୟମରେ ୦.୩-୧ ଗିଗାୱାଟର କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରତିଷ୍ଠା ଲକ୍ଷ୍ୟ ରହିଛି।

ଗ୍ରାମାଞ୍ଚଳ ନିଯୁକ୍ତିରେ ଯୁଗାନ୍ତକାରୀ ସଂସ୍କାର

ବିକଶିତ ଭାରତ-ଜି-ରାମ ଜି’ ବିଲ୍ ୨୦୨୫ ଭାରତର ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଚଳିତ ବର୍ଷର ଏକ ଯୁଗାନ୍ତକାରୀ ସଂସ୍କାର । ଏହି ରୋଜଗାର ଗ୍ୟାରେଣ୍ଟି ଯୋଜନା ଗ୍ରାମାଞ୍ଚଳର ଲୋକମାନଙ୍କୁ ବାର୍ଷିକ ୧୨୫ଦିନର କାର୍ଯ୍ୟ ଗ୍ୟାରେଣ୍ଟି ପ୍ରଦାନ କରେ, ଯାହା ପୂର୍ବ ବ୍ୟବସ୍ଥାରେ ୧୦୦ ଦିନରେ ସୀମିତ ଥିଲା । ଏହାର ପ୍ରତ୍ୟକ୍ଷ ପ୍ରଭାବ ଗରିବ ଲୋକମାନଙ୍କ ଜୀବନ ଜୀବିକାକୁ ସୁସଙ୍ଗତ କରିବ । ଏଥିରେ କର୍ମନିଯୁକ୍ତିକୁ ସ୍ଥାନୀୟ ବିକାଶ କାର୍ଯ୍ୟକ୍ରମ ସହିତ ଯୋଡ଼ାଯାଇଛି ଏବଂ ସ୍ୱଚ୍ଛତା ରକ୍ଷା ନିମନ୍ତେ ଏହାକୁ ଡିଜିଟାଲ ବ୍ୟବସ୍ଥା ସହିତ ସଂଯୋଗ କରାଯାଇଛି । ଭିବି-ଜି ରାମ ଜି ଯୋଜନା ପ୍ରତି ପରିବାର ପିଛା ବାର୍ଷିକ ପ୍ରାୟ ୬୬୭୫ ଟଙ୍କାର ଉପାର୍ଜନ ବୃଦ୍ଧିକରିବ । ଏଥିସହିତ ଏହା ଦେଶରେ ପ୍ରାୟ ୮.୬କୋଟି ସକ୍ରିୟ କର୍ମସଂସ୍ଥାନ ସୃଷ୍ଟିକରିବ । ଅନ୍ୟ ଅର୍ଥରେ କହିଲେ ଏହା ବାର୍ଷିକ ପ୍ରାୟ ଅତିରିକ୍ତ ୬୦,୦୦୦ କୋଟି ଟଙ୍କାର ମଜୁରି ଦେୟ ସୃଷ୍ଟିକରି ଶ୍ରମିକମାନଙ୍କୁ ଉପକୃତ କରାଇବ । ତେଣୁ ୨୦୨୫କୁ ସବୁ ଦୃଷ୍ଟିରୁ ଏକ ସଫଳ, ଯୁଗାନ୍ତକାରୀ ଏବଂ ସଂସ୍କାରଧର୍ମୀ ବର୍ଷ ବୋଲି ବିବେଚନା କରାଯାଇପାରେ।