ଭୁବନେଶ୍ୱର,୨୦/୬: ଆଜି  ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୨୭୫୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଆଜି ପ୍ରଧାନମନ୍ତ୍ରୀ ସୋନପୁର-ପୁରୁଣାକଟକ ମଧ୍ୟରେ  ୭୩ କିଲୋମିଟର ଲମ୍ୱା ନୂଆ ରେଳ ଲାଇନ ଉଦ୍‌ଘାଟନ କରିବେ । ଏଥି ସହ ବୌଦ୍ଧ ଜିଲ୍ଲା  ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି ।

ପ୍ରଥମ ଥର ପାଇଁ ସୋନପୁର ଓ ପୁରୁଣାକଟକ ମଧ୍ୟରେ ନୂଆ ରେଳ ଲାଇନ  ମାଧ୍ୟମରେ ସିଧାସଳଖ ରେଳ ସଂଯୋଗ ହାସଲ କରାଯାଉଛି । ଯାହା ଏହି ଅଞ୍ଚଳର  ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜଭୁତ କରିବ ।  ସେହିପରି ପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ  ରେଳ ଲାଇନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ୱଲପୁର  ରେଳ ସେକ୍ସନରେ ଟ୍ରାଫିକ ଭାର ହ୍ରାସ କରିବ । ଶିଳ୍ପ ଏବଂ ଯାତ୍ରୀ ପରିବହନକୁ  ବୃଦ୍ଧି କରିବ ।  

ଏହି ଅବସରରେ ପ୍ରଧାନମନ୍ତ୍ରୀ ବୌଦ୍ଧ-ଭୁବନେଶ୍ୱର-ବୌଦ୍ଧ ସାପ୍ତାହିକ  ଏକ୍ସପ୍ରେସ୍‌ ଏବଂ ସମ୍ୱଲପୁର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ ।  ବୌଦ୍ଧ-ଭୁବନେଶ୍ୱର ନୂଆ-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ ପ୍ରତି ସୋମବାର ବୌଦ୍ଧରୁ  ସକାଳ ୭ଟାରେ ଛାଡିବ । ବଲାଙ୍ଗୀର-ସମ୍ୱଲପୁର-ଅନୁଗୁଳ-ନରାଜ ଦେଇ  ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୧୫ରେ ପହଞ୍ଚିବ । ଫେରିବା ବେଳେ ଏହି ଟ୍ରେନ  ସୋମବାର ଭୁବନେଶ୍ୱରରୁ ରାତି ୧୧ଟାରେ ଛାଡିବ । 

ସେହିପରି, ସମ୍ୱଲପୁରରୁ  ସମ୍ୱଲପୁର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ ରବିବାର ସନ୍ଧ୍ୟା ୭ଟା ୨୫ରେ ଛାଡିବ ।  ସେହି ଦିନ ରାତ୍ରି ୧୧ଟା ୫୫ରେ ବୌଦ୍ଧରେ ପହଞ୍ଚିବ । ଫେରିବା ବେଳେ ବୌଦ୍ଧରୁ  ଏହି ଟ୍ରେନ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୫ରେ ଛାଡିବ । ସେହି ଦିନ ସନ୍ଧ୍ୟା ୭ଟା  ୩୦ରେ ସମ୍ୱଲପୁରରେ ପହଞ୍ଚିବ । ଏହା ବ୍ୟତୀତ, ଭୁବନେଶ୍ୱର-ସୋନପୁର  ଇଣ୍ଟରସିଟି ଏକ୍ସପ୍ରେସ୍‌ ଏବଂ ଦୁଇ ଯୋଡ଼ା ବଲାଙ୍ଗୀର-ସୋନପୁର ସଟଲ୍‌ ପାସେଞ୍ଜର  ଟ୍ରେନ୍‌ ପ୍ରଥମ ଥର ପାଇଁ ପୁରୁଣାକଟକ ପର୍ଯ୍ୟନ୍ତ ଚାଲିବ ।