ନୂଆଦିଲ୍ଲୀ,୨୨।୯:  ମରକୋରୁ ପାକିସ୍ତାନକୁ ପ୍ରତିରକ୍ଷାମନ୍ତ୍ରୀଙ୍କ ରାଜନାଥ ସିଂହ କଡା ଚେତାବନୀ। କହିଲେ, ପିଓେକ ଆମର ହେବ। ଏହା  ପାଇବାକୁ ଆମକୁ ପାକିସ୍ତାନ ସହ ଯୁଦ୍ଧ କରିବାକୁ ପଡିବନି। ପିଓକେର ଲୋକେ ନିଜେ କହିବେ ସେମାନେ ଭାରତରେ ମିଶିବାକୁ ଚାହାଁନ୍ତି। ୫ ବର୍ଷ ପୂର୍ବେ କାଶ୍ମୀରରେ ଭାରତୀୟ ସେନାକୁ ସମ୍ବୋଧିତ କରି ମୁଁ କହିଥିଲି ପିଓକେ ଉପରେ ଆକ୍ରମଣ କରିବାର ଦରକାର ପଡିବନି। ସେମାନେ ଆମ ନିଜର। ପିଓକେ ନିଜେ କହିବ, ମୁଁ ବି ଭାରତର। ଏହା ଭାରତର ମଜବୁତ ରଣନୀତିର ଫଳ। ସେ ଦିନ ନିଶ୍ଚିତ ଆସିବ। ’ପିଓକେରେ ହେଉଥିବା ପରିବର୍ତ୍ତନକୁ ନେଇ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।।

ରାଜନାଥ ମରକୋ ଯାତ୍ରାରେ ଥିବା ବେଳେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ନିଜକୁ ସୁଧାରି ନେଉ। ଆତଙ୍କୀ ଆକ୍ରମଣ କିମ୍ବା ଅନୁପ୍ରବେଶକୁ ବନ୍ଦ କରୁ। ନଚେତ ଯେ କୌଣସି ମୁହୂର୍ତ୍ତରେ ପୁଣିଥରେ ଆରମ୍ଭ ହୋଇପାରେ ‘ଅପରେସନ୍ ସିନ୍ଦୂର’।ପାର୍ଟ-2 ଓ ପାର୍ଟ- 3 ଏବେ ବି ବାକି ଅଛି। ଏହା ପାକିସ୍ତାନର ଆଚରଣ ଉପରେ ନିର୍ଭର କରେ। ଯଦି ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୁଅନ୍ତି, ତେବେ ସେମାନଙ୍କୁ କଡ଼ା ଜବାବ୍ ଦିଆଯିବ। ପାକିସ୍ତାନ ଓ ଭାରତ ଭିତରେ ଅନେକ ପ୍ରାର୍ଥକ୍ୟ ରହିଛି। ତାହା ହେଲା ପାକିସ୍ତାନ ପହଲଗାମରେ, ଆମର ୨୬ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲା। କିନ୍ତୁ  ଆମେ କର୍ମ ଦେଖି ମାରୁ। ଅର୍ଥାତ ଆତଙ୍କୀ କାର୍ଯକଳାପ ଦେଖି  ଖରାପ କର୍ମର ଆମେ ଦଣ୍ଡ ଦେଲୁ।   

​​​​​​​​​​​​​​ଅପରେସନ୍ ସିନ୍ଦୂରରେ କେତେ ପାକିସ୍ତାନୀ ଆତଙ୍କୀ ନିହତ ହୋଇଛନ୍ତି ତାହା ମଧ୍ୟ ସେ କହିବାକୁ ମନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ। ସେ କହିଛନ୍ତି, ସଂଖ୍ୟା ଯଦି କହିବୁ, ତେବେ ଲୋକେ ଖୁସିରେ ନାଚିବେ। ଆମ ପ୍ରସ୍ତୁତିର ସ୍ତର ଖୁବ୍ ମଜବୁତ। ପହଲଗାମ୍‌ ଆତଙ୍କୀ ହମଲାର ପର ଦିନ ଏକ ମିଟିଂ ଡକାଯାଇଥିଲା। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ସଚିବ, ତିନି ସେନା ମୁଖ୍ୟ ଏବଂ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଉପସ୍ଥିତ ଥିଲେ। ଏହି ସମୟରେ ମୁଁ ପଚାରିଲି କ’ଣ ଏବେ ବି ଯୁଦ୍ଧ ହେଲେ ଆମେ ଏଥିପାଇଁ ପ୍ରସ୍ତୁତ ? ଏହାର ଉତ୍ତରେ ସେନା ମୁଖ୍ୟ କହିଥିଲେ ଆମେ ପୁରା ପ୍ରସ୍ତୁତ। ଯେ କୌଣସି ସମୟରେ ଯୁଦ୍ଧ କରି ପାରିବୁ।  ଏହାପରେ ମୁଁ ତା’ ପରଦିନ ପିଏମ୍ ମୋଦିଙ୍କୁ ଭେଟିଲି। ସେ ବୈଠକରେ ତିନି ସେନାଙ୍କୁ କହିଥିଲେ, ଯେପରି ଚାହୁଁଛ ସେଭଳି ଆକ୍ସନ ନେଇପାରିବେ। ଏହା ପରେ କ’ଣ ହେଲା ତାହା ତ ଆମେ ଜାଣିଛୁ।  ଭାରତୀୟ ସୁରକ୍ଷାବଳ ୧୦୦ କିଲୋମିଟର ଭିତରେ ପଶି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛନ୍ତି। ଏହାଛଡା ଆକ୍ରମଣରେ ମାସୁଦ ଆଝାରର ପୁରା ପରିବାର ନିହତ ହୋଇଥିଲ।   ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୦ ବର୍ଷର ସଫଳତା ବିଷୟରେ କହିଥିଲେ। ସେ କହିଥିଲେ, ବିଶ୍ୱ ଏବଂ ଭୂରାଜନୈତିକ ଚ୍ୟାଲେଞ୍ଜ ସତ୍ତ୍ୱେ, ଭାରତ ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ପାଲଟିଛି। ବିଶ୍ୱରେ ୧୧ ତମ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ଖୁବ୍ ଶୀଘ୍ର ଶ୍ରେଷ୍ଠ ୩ ମଧ୍ୟରେ ସ୍ଥାନ ପାଇବ।