ଭୁବନେଶ୍ବର, ୧୭।୧୧ : ଚାଲିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ୩୪ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ସଙ୍ଗୀତ ପ୍ରେମୀ ସହ ସବୁ ବର୍ଗରେ ଶୋକର ଲହରି ଖେଳି ଯାଇଛି।
ହ୍ୟୁମାନ ସାଗରଙ୍କ ଲିଭର୍ ଖରାପ ଥିବା ବେଳେ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ଶୁକ୍ରବାର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା। ତାଙ୍କର ଅନେକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା। ଶେଷରେ ଜୀବନ ମରଣ ସହ ସଂଘର୍ଷ କରି ସେ ଆର ପାରିକୁ ଚାଲିଗଲେ।
ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ ହ୍ୟୁମାନ ସାଗର। ତେବେ କଟକ ଥିଲା ତାଙ୍କର କର୍ମମୟ ଜୀବନ। ସେ ତାଙ୍କ କଣ୍ଠରେ ବହୁ ହୀଟ ଗୀତର ଗାୟକ ଥିଲେ। ନିଜ କଣ୍ଠର ଯାଦୁରେ ଓଲିଉଡରେ ସ୍ଵତନ୍ତ୍ର ସ୍ଥାନ ପାଇଥିଲେ। ତାଙ୍କର ଗାଇବା ଶୈଳୀ ଏତେ ନିଆରା ଥିଲା ଯେ, ଶ୍ରୋତାଙ୍କ ହୃଦୟକୁ ଛୁଇଁ ଯାଉଥିଲା। ‘ଇସ୍କ ତୁ ହି ତୁ’ ଫିଲ୍ମରେ ପ୍ରଥମ ଗୀତ ଗାଇଥିଲେ। ଆଉ ଶେଷ ଥର ‘ଚାରିଧାମ’ ଫିଲ୍ମରେ ଗାଇଥିଲେ। ୨୦୧୨ରେ ରିୟଲଟି ଶୋ ‘ଭଏସ ଅଫ୍ ଓଡ଼ିଶା’ରେ ଚାମ୍ପିଅନ ହୋଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ସୁପର ହିଟ୍ ହୋଇ ଚାଲିଥିଲା। ବିଶେଷ କରି ତାଙ୍କର ଦୁଃଖ ଭରା ଗୀତ ଯୁବ ପିଢିଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲା