କୋଏମ୍ବାଟୁର, ୧୮/୭ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତରେ ଥିବାବେଳେ ଆସନ୍ତାକାଲି ଆଇଆଇଟି ପାଲକ୍କଡର ସପ୍ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ । ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀ ପ୍ରଧାନ ଆଜି କୋଏମ୍ବାଟୁର ସ୍ଥିତ ଭାରତର ଅଗ୍ରଣୀ ପୋଷାକ ଉତ୍ପାଦନକାରୀ କମ୍ପାନୀ କେପିଆର୍ ମିଲ୍ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଗସ୍ତକାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କେପିଆର୍ ମିଲ୍ ପରିଦର୍ଶନ କରିବା ସହ ମିଲରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ଭେଟି ସେମାନଙ୍କ ଅଭିଜ୍ଞତା ଶୁଣିବା ସହ ଖୁସି ପ୍ରକାଶ କରିଥିଲେ । ସେ କହିଛନ୍ତି କେପିଆର ମିଲ୍ ନବସୃଜନ, ପ୍ରଯୁକ୍ତିବିଦ୍ୟା, ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ ଏବଂ ଭବିଷ୍ୟତ-କେନ୍ଦ୍ରିତ ଆଭିମୁଖ୍ୟ ଦ୍ୱାରା ଚାଳିତ ବୟନ କ୍ଷେତ୍ରରେ ଏକ ଅବିଶ୍ୱସନୀୟ ଛାପ ଛାଡିଛି । ମାତୃଶକ୍ତିଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଜରୁରୀ । ଓଡ଼ିଶା ସମେତ ବହୁ ସଂଖ୍ୟକ ମହିଳାଙ୍କୁ ନିଯୁକ୍ତି ଦେଇ ଏହି କମ୍ପାନୀ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି । ଏହାଦ୍ୱାରା ମହିଳା କର୍ମଚାରୀମାନେ ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଶିକ୍ଷା ମାଧ୍ୟମରେ ଏକ ନୂଆ ଐତିହ୍ୟ ସୃଷ୍ଟି କରିପାରିଛନ୍ତି । କେପିଆର ମିଲ୍ ଲିମିଟେଡ୍ ଜନସାଧାରଣ ଏବଂ ଅର୍ଥନୀତିରେ ପୁଞ୍ଜିନିବେଶ କରିବାର ପରିଭାଷାକୁ ବଦଳାଇଛି । କେପିଆର ମିଲ୍ ଏହାର ମହିଳା କର୍ମଚାରୀଙ୍କୁ ସେମାନଙ୍କର ଶିକ୍ଷା ସମାପ୍ତ କରିବା ପାଇଁ ସୁଯୋଗ ଦେଉଛି । ମିଲ୍ ବାହାରେ ଉଜ୍ଜ୍ୱଳ କ୍ୟାରିଅର ସୁଯୋଗ ହାସଲ କରିବା ପାଇଁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି । କର୍ମଚାରୀଙ୍କୁ ସଶକ୍ତ କରିବାରେ ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ବଢ଼ାଇବାରେ ବିଶ୍ୱରେ ଏହି କମ୍ପାନୀ ଏକ ଉଦାହରଣ ତିଆରି କରିଛି ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ କୋଏମ୍ବାଟୁର ଏବଂ ତିରୁପୁରର ପ୍ରତିଷ୍ଠିତ ଶିକ୍ଷାବିତ୍, ଶିଳ୍ପପତି ଏବଂ ବୁଦ୍ଧିଜୀବୀଙ୍କ ସହ ଶିକ୍ଷା, ଇନୋଭେସନ, ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଉଦ୍ୟୋଗୀ କ୍ଷେତ୍ର ଉପରେ ଥିବା ସମ୍ଭାବନା ଉପରେ ବିସ୍ତୁତ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ବିଭିନ୍ନ ଦିଗ ଯଥା ମାତୃଭାଷା ଆଧାରିତ ଶିକ୍ଷା, କ୍ରେଡିଟ୍ ଫ୍ରେମଓ୍ୱାର୍କ ଏବଂ ଭବିଷ୍ୟତର ଦିଗ ଗୁଡ଼ିକ ଉପରେ ଚର୍ଚ୍ଚା କରିଥିଲେ ।