ବାଟରେ ଯାଉଯାଉ ଯଦି କିଏ ଗୁରୁଜନ ବା ସହକର୍ମୀ ଭେଟ ହୋଇଯାନ୍ତି ବା ଘରକୁ କୁଣିଆମୈତ୍ର ଆସିଲେ, ବା କିଏ ବଡ଼ ଭେଟ ହୋଇଗଲେ, ସ୍ୱତସ୍ଫୂର୍ତ୍ତ ଭାବରେ ଯୋଡ଼ହସ୍ତରେ ପାଟିରୁ ବାହାରିଆସେ "ଆଜ୍ଞା ନମସ୍କାର’ । ଆମେ ପ୍ରାୟ ପିଲାଦିନରୁ ଏହା ଦେଖିଆସିଛୁ ବା କରିଆସୁଛୁ । ମାତାପିତା ବା ଗୁରୁଜନମାନେ ପିଲାମାନଙ୍କୁ ଏହି ଶିକ୍ଷା ଦେଇଥାନ୍ତି ଯେ, ବଡ଼ମାନଙ୍କୁ ଭଲଭାବେ ହାତ ଯୋଡ଼ି ନମସ୍କାର କରି ଅଭିବାଦନ ଜଣାଇବା ଏକ ସାମାନ୍ୟ ଶିଷ୍ଟାଚାର ଓ ଭଦ୍ରାମି । ଆମେମାନେ ମଧ୍ୟ ତାହା ପିଲାଦିନୁ ଆଜିଯାଏଁ ପାଳନ କରିଆସୁଛୁ, ବିନା ପ୍ରଶ୍ନରେ ଯେ "ନମସ୍କାର’ କାହିଁକି? କାହିଁକି ଆମେ ହାତ ଯୋଡ଼ି, ସେଇ ଯୋଡ଼ ହସ୍ତକୁ ଛାତି ମଝିରେ ରଖି, ମୁଣ୍ଡ ନୁଆଁଇ ନମସ୍କାର କରୁ? ହାତ ମିଳାଇବା, ହାଇ-ଫାଇଭ୍‌ ଏବଂ ଡିଜିଟାଲ୍‌ ଇମୋଜି ଆଡ଼କୁ ଗତି କରୁଥିବା ବିଶ୍ୱରେ ନମସ୍କାର ଏକ ପୁରୁଣା ଫ୍ୟାଶନ୍‌ର ପ୍ରତୀକ କି? କାହିଁକି ନମସ୍କାର ହଜାର ହଜାର ବର୍ଷ ଧରି ବିଭିନ୍ନ ଅଞ୍ଚଳ, ଧର୍ମ ଏବଂ ଭାଷାରେ ତିଷ୍ଠି ରହିଛି?

ଏଇ ସମସ୍ତ ପ୍ରଶ୍ନର ଉତ୍ତର, ନମସ୍କାର ମଧ୍ୟରେ ହିଁ ନିହିତ । ଭାରତୀୟ ଜ୍ଞାନ ପ୍ରଣାଳୀରେ ଦୈନନ୍ଦିନ ଅଭ୍ୟାସ ବା ଦର୍ଶନ, ଶରୀରବିଜ୍ଞାନ, ମନୋବିଜ୍ଞାନ, ନୈତିକତା ଏବଂ ସାମାଜିକ ବ୍ୟବସ୍ଥାର ଏକ ସମ୍ପୂର୍ଣ୍ଣ ଭଣ୍ଡାର । ସେଥିମଧ୍ୟରୁ ‘ନମସ୍କାର' କିମ୍ବା ‘ନମସ୍ତେ' ହେଉଛି ଏପରି ଏକ ସ୍ୱଦେଶୀ ଜ୍ଞାନ, ଯାହା ମାନବ ଜ୍ଞାନ, ବିଜ୍ଞାନ ଏବଂ ସାମାଜିକ ସୌହାର୍ଦ୍ଦ୍ୟ ବିଷୟରେ ଏକ ଅତ୍ୟାଧୁନିକ ବୁଝାମଣାକୁ ପ୍ରତିଫଳିତ କରେ । ନମସ୍କାର ସହିତ ଦୈନନ୍ଦିନ ଅଭିବାଦନ, ଏକ ସାଂସ୍କୃତିକ ସୌଜନ୍ୟ ଠାରୁ ଅଧିକ । ଏହା ନିଜ ଭିତରେ ଏକ ଶାନ୍ତ ଜ୍ଞାନ ବହନ କରେ, ଯାହା ମାନବ ଶରୀର, ମନର କାର୍ଯ୍ୟକାରିତା, ସମାଜର ଗତିଶୀଳତା ଏବଂ ଏପରିକି ସହାବସ୍ଥାନର ନୈତିକତାକୁ ବୁଝାଇଥାଏ । ନମସ୍କାର ମାଧ୍ୟମରେ ଆମ ପୂର୍ବ ପିଢ଼ି ବିଜ୍ଞାନକୁ ଅଭ୍ୟାସରେ ଏବଂ ଦର୍ଶନକୁ ଭଙ୍ଗୀରେ ପରିଣତ କରିପାରିଥିଲେ, ଯାହା ବର୍ଷ ବର୍ଷ ଧରି ଆଜି ମଧ୍ୟ ଆମର ଏକ ବିଶିଷ୍ଟ ଅଭ୍ୟାସ ହୋଇ ରହିଛି । ଆଜି ଆମ ମଧ୍ୟରେ ନମସ୍କାର ବଞ୍ଚିଛି, ଏଇଥିପାଇଁ ନୁହେଁ ଯେ ଏହାକୁ ବାଧ୍ୟ କରାଯାଇଅଛି, ବରଂ ଏହା ଆମ ଜୀବନଶୈଳୀ ସହିତ ମେଳ ଖାଏ । ଦ୍ରୁତଗତିରେ ଗତି କରୁଥିବା ପରିବର୍ତ୍ତନକୁ ମନ୍ଥର ହେବାକୁ ଶିଖାଏ, ପରସ୍ପର ମଧ୍ୟରେ ସମ୍ମାନ, ଉଷ୍ମତା ଏବଂ ସଂଯମତାର ଜ୍ଞାନ ଦିଏ, ପରସ୍ପରକୁ ସ୍ୱୀକାର କରିବାକୁ ଏବଂ ନମ୍ରତାର ସହିତ ଆଗକୁ ବଢ଼ିବାକୁ ତାଲିମ ଦିଏ । ବେଳେବେଳେ ଏକ ସମାଜର ଗଭୀର ଜ୍ଞାନ, ପୁସ୍ତକ ବା କୌଣସି ଭାଷଣରେ ମିଳିନଥାଏ । କିନ୍ତୁ ଅଭ୍ୟାସରେ ପ୍ରତିଦିନ ଅନୁସରଣ କରୁଥିବା ରୀତିନୀତିରେ ମିଳିଥାଏ ।

ନମସ୍କାର ଏପରି ହିଁ ଏକ ଅଭ୍ୟାସ- ସରଳ, ନିରବ ତଥାପି ଅର୍ଥପୂର୍ଣ୍ଣ । ଭାରତୀୟ ଚିନ୍ତାଧାରାରେ, ବିଶେଷକରି ଯୋଗ, ବେଦାନ୍ତ ଏବଂ ଆୟୁର୍ବେଦରେ, ମାନବ ଶରୀରକୁ ଚେତନାର ଏକ ସମନ୍ୱିତ କ୍ଷେତ୍ର ଭାବରେ ବିବେଚନା କରାଯାଇଛି । ଅଞ୍ଜଳି ମୁଦ୍ରା ମାଧ୍ୟମରେ ନମସ୍କାର କେବଳ ଏକ ପ୍ରତୀକାତ୍ମକ କାର୍ଯ୍ୟ ନୁହେଁ ବରଂ ଏକ ସାଇକୋଫିଜିକାଲ୍‌ ଆଲାଇନମେଣ୍ଟ ଶୈଳୀ । ଯୋଗ ଗ୍ରନ୍ଥରେ ମୁଦ୍ରାଗୁଡ଼ିକୁ ଏପରି ଉପକରଣ ଭାବେ ବର୍ଣ୍ଣନା କରାଯାଇଛି, ଯାହା ପ୍ରାଣ (ଜୀବନ୍ତ ଶକ୍ତି)କୁ ପୁନଃନିର୍ଦ୍ଦେଶିତ କରିଥାଏ ଏବଂ ମାନସିକ ଅସ୍ଥିରତା (ଚିତ୍ତ-ବୃତ୍ତି ନିରୋଧ)କୁ ସ୍ଥିର କରିଥାଏ । ନମସ୍କାର କରିଲାବେଳେ ଯେତେବେଳେ ହାତଗୁଡ଼ିକ ଯୋଡ଼ି ଯମକରେ ସଂଯୁକ୍ତ ହୁଏ, ସେତେବେଳେ ଶକ୍ତି ପ୍ରବାହ ସନ୍ତୁଳିତ ହୁଏ ବୋଲି ବିଶ୍ୱାସ କରାଯାଏ, ଯାହା ଆଭ୍ୟନ୍ତରୀଣ ସନ୍ତୁଳନକୁ ପ୍ରୋତ୍ସାହିତ କରେ । ସ୍ନାୟୁବିଜ୍ଞାନ ଏହି ଘଟଣାକୁ ଦ୍ୱିପାକ୍ଷିକ ସ୍ନାୟବିକ ଏକୀକରଣ ଭାବରେ ବ୍ୟାଖ୍ୟା କରେ, ଯେଉଁଥିରେ ଯୋଡ଼ି ଯମକ ମାଂସପେଶୀୟ କ୍ରିୟା, ମସ୍ତିଷ୍କ ଗୋଲାର୍ଦ୍ଧ ମଧ୍ୟରେ ସମନ୍ୱୟ ବୃଦ୍ଧି କରେ, ଯାହା ଭାବପ୍ରବଣ ସ୍ଥିରତା ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ଯୋଗଦାନ କରେ । ଆୟୁର୍ବେଦ ଜ୍ଞାନବିଜ୍ଞାନ ଏହି ବୁଝାମଣାକୁ ଆହୁରି ସୁଦୃଢ଼ କରିଥାଏ ।

ଆୟୁର୍ବେଦ ଅନୁଯାୟୀ, ଆଙ୍ଗୁଠି-ଆଙ୍ଗୁଠିର ସଂଯୋଗ ହେଉଛି ଇନ୍ଦ୍ରିୟ ପ୍ରବୋଧନା, ଯାହା ସ୍ନାୟବିକ ପରିପଥଗୁଡ଼ିକୁ ଉଦ୍ଦୀପିତ କରିଥାଏ । ସାଂସ୍କୃତିକ ସ୍ନାୟୁବିଜ୍ଞାନ ଏହି ଅନ୍ତର୍ଦୃଷ୍ଟିକୁ ବୈଧ କରେ ଯେ, ସ୍ପର୍ଶ-ସଂବେଦକ ଉଦ୍ଦୀପନା, ଅଙ୍ଗ ପ୍ରତ୍ୟଙ୍ଗ ପ୍ରଣାଳୀ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରେ । ତାହା ସହିତ ନମସ୍କାର କରିବା ସମୟରେ ହାତ ଯୋଡ଼ି ହୃଦୟ (ଅନାହତ ଅଞ୍ଚଳ) ନିକଟରେ ରଖିବା ଏକ ବିଶେଷ ଗୁରୁତ୍ୱ ବହନ କରେ । ଅନାହତ, କରୁଣା, ସମ୍ପର୍କଗତ ସାମଞ୍ଜସ୍ୟ ଏବଂ ଭାବନାତ୍ମକ ଉନ୍ମୁକ୍ତତା ସହିତ ଜଡ଼ିତ । ନମସ୍କାର ଏକ ଆସନ ଭାବରେ ଭାଗସ୍‌ ସ୍ନାୟୁକୁ ସକ୍ରିୟ କରେ, ଯାହା ପାରାସିମ୍ପେଥେଟିକ ସ୍ନାୟୁତନ୍ତ୍ରର ଏକ କେନ୍ଦ୍ରୀୟ ଉପାଦାନ, ଯାହା ଶରୀରକୁ ଶାନ୍ତ କରିବା ପାଇଁ ଦାୟୀ । ସାଂସ୍କୃତିକ ସ୍ନାୟୁବିଜ୍ଞାନ ଲକ୍ଷ୍ୟ କରେ ଯେ, ଛାତି ନିକଟରେ କରାଯାଇଥିବା ଅଙ୍ଗଭଙ୍ଗୀ ବିଶ୍ୱାସ, ସହାନୁଭୂତି ଏବଂ ସଚ୍ଚୋଟତା ପରି ସାମାଜିକ ଆବେଗ ସହିତ ଜଡ଼ିତ ଭାଗାଲ୍‌ ପଥକୁ ସକ୍ରିୟ କରେ । ନମସ୍କାର ମସ୍ତିଷ୍କକୁ ତାଲିମ ଦେବା, ବ୍ୟକ୍ତିଗତ ପ୍ରାଧାନ୍ୟ ଉପରେ ସମ୍ପର୍କ ସନ୍ତୁଳନକୁ ପ୍ରାଥମିକତା ଦେବା ଭଳି ପଥରେ କାର୍ଯ୍ୟ କରେ । ଏହା ସହଭାବ (ସହାବସ୍ଥାନ) ଏବଂ ସାମାଜିକ କଲ୍ୟାଣ ଭଳି ଭାରତୀୟ ଦାର୍ଶନିକ ଆଦର୍ଶ ସହିତ ମେଳ ଖାଏ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନମସ୍କାର ଭାରତୀୟ ଜ୍ଞାନ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁରେ ଏକ ନୈତିକ ଜ୍ଞାନତତ୍ତ୍ୱର ପ୍ରତୀକ । ସଂସ୍କୃତ ଶବ୍ଦ ‘ନମଃ' (ମୁଣ୍ଡ ନୁଆଁଇବା) ଏବଂ "ତେ' (ଆପଣଙ୍କ ପ୍ରତି)ରୁ ଜନ୍ମ ନମସ୍କାର, କେବଳ ଧର୍ମତାତ୍ତ୍ୱିକ ନୁହେଁ, ବରଂ ଏକ ଜ୍ଞାନାତ୍ମକ ପୁନଃସ୍ଥାପନ । ଏକ ଜ୍ଞାନାତ୍ମକସାଂସ୍କୃତିକ ଦୃଷ୍ଟିକୋଣରୁ ନମସ୍କାର, ସହାନୁଭୂତି ଏବଂ ସାମାଜିକ ଆଚରଣକୁ ପ୍ରୋତ୍ସାହିତ କରେ । ନମସ୍କାର ସାମାଜିକ ଏକତା ପାଇଁ ଏକ ସାଂସ୍କୃତିକ ପ୍ରଣାଳୀ, ଯାହା ନମ୍ରତା, ଆନ୍ତଃସଂଯୋଗ ଏବଂ ସାମୂହିକ ସୌହାର୍ଦ୍ଦ୍ୟ ସହଭାଗୀ ମୂଲ୍ୟବୋଧକୁ ମଜବୁତ କରେ । ପ୍ରାଚୀନ ଭାରତୀୟ ନୃତ୍ୟକଳାରେ ନମସ୍କାର ବା ଭୂମି ପ୍ରଣାମ, ଯାହା କୌଣସି କଳା ପ୍ରଦର୍ଶନ ପୂର୍ବରୁ ଏବଂ ଶେଷରେ କରିବା ଅପରିହାର୍ଯ୍ୟ । ଶରୀର ସମ୍ମୁଖରେ ଦୁଇ ହାତର ଆଙ୍ଗୁଳିକୁ ଏକାଠି ଯୋଡ଼ିବାର ଅଙ୍ଗଭଙ୍ଗୀ, ଯାହା ଭାରତରେ ନମସ୍କାର ଭାବରେ ଜଣାଶୁଣା, ଏକ ମୌଳିକ ଉପାଦାନ, ଯାହା ବିଭିନ୍ନ ଶାସ୍ତ୍ରୀୟ ଏବଂ ପାରମ୍ପରିକ ଏସୀୟ ନୃତ୍ୟ ରୂପରେ ପ୍ରମୁଖ ଭାବରେ ପ୍ରଦର୍ଶିତ ହୁଏ । ଏହା ପ୍ରାଚୀନ ଭାରତୀୟ ଅଞ୍ଜଳି ମୁଦ୍ରାର ଏକ ରୂପାନ୍ତରଣ, ଯାହା ଦେବତା ଏବଂ ଗୁରୁଙ୍କ ପ୍ରତି ଗଭୀର ସମ୍ମାନ ପ୍ରକାଶ କରିବାଠାରୁ ଆରମ୍ଭ କରି ଦର୍ଶକଙ୍କୁ ଆନୁଷ୍ଠାନିକ ଭାବରେ ଅଭିବାଦନ କରିବା ପର୍ଯ୍ୟନ୍ତ ଅନେକ ଉଦ୍ଦେଶ୍ୟ ପୂରଣ କରେ । ନୃତ୍ୟଶିଳ୍ପୀମାନେ ଈଶ୍ୱର (ମସ୍ତକ ଉପରେ ଯୋଡ଼ହସ୍ତ ମୁଦ୍ରା) ଗୁରୁ କିମ୍ବା ଶିକ୍ଷକ (କପାଳରେ ଯୋଡ଼ହସ୍ତ ମୁଦ୍ରା) ଏବଂ ଦର୍ଶକ (ହୃଦୟ ଉପରେ ଯୋଡ଼ହସ୍ତ ମୁଦ୍ରା)ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଅଙ୍ଗଭଙ୍ଗୀଗୁଡ଼ିକର ଏକ ନିର୍ଦ୍ଦିଷ୍ଟ କ୍ରମ ପ୍ରଦର୍ଶନ କରନ୍ତି । ନୃତ୍ୟ ସମୟରେ ଭୂମିକୁ ଆଘାତ ଦେଇଥିବାରୁ ନୃତ୍ୟଶିଳ୍ପୀ ପୃଥିବୀ ମାତାଙ୍କଠାରୁ ଭୂ-ପ୍ରଣାମ କରି କ୍ଷମା ମଧ୍ୟ ମାଗନ୍ତି । ଓଡ଼ିଶୀ, ଭାରତନାଟ୍ୟମ, କୁଚିପୁଡ଼ି ଏବଂ କଥକ ନୃତ୍ୟରେ ନମସ୍କାର ମୁଦ୍ରାର ବହୁଳ ବ୍ୟବହାର ଦେଖାଯାଏ । କେବଳ ଭାରତ ନୁହେଁ, ଭାରତ ବାହାରେ ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମର ପ୍ରସାର ମାଧ୍ୟମରେ ଏହି ପ୍ରଥା ସମଗ୍ର ଦକ୍ଷିଣ- ପୂର୍ବ ଏସିଆରେ ପ୍ରସାରିତ ହୋଇଥିଲା, ଯେଉଁଠାରେ ଏହାକୁ ସ୍ଥାନୀୟ ସାଂସ୍କୃତିକ ଅଭିବାଦନରେ ରୂପାନ୍ତରିତ କରାଯାଇଥିଲା । ତା' ସହିତ ଥାଇଲାଣ୍ଡର "ୱାଇ', କାମ୍ବୋଡିଆର "ସଂପେ' ଏବଂ ଇଣ୍ଡାନେସିଆର "ସେମ୍ବା' ମୁଦ୍ରାରେ ନମସ୍କାରର ପ୍ରଚଳନ ଦେଖିବାକୁ ମିଳେ । ଏହି ସମସ୍ତ ରୂପରେ ନମସ୍କାର ମୁଦ୍ରାର ମୂଳ ସିଦ୍ଧାନ୍ତ ହେଉଛି ନମ୍ରତା, ସମ୍ମାନ ଏବଂ ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ତର୍ନିହିତ ମୂଲ୍ୟ କିମ୍ବା ଦେବତ୍ୱ ସ୍ୱୀକାରର ଏକ ଶାରୀରିକ ଅଭିବ୍ୟକ୍ତି, ଯାହା ନୃତ୍ୟଶିଳ୍ପୀଙ୍କୁ ସେମାନଙ୍କର ପ୍ରଦର୍ଶନ ପାଇଁ ମାନସିକ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରସ୍ତୁତ କରେ ।

ନମସ୍କାରର ସ୍ୱାସ୍ଥ୍ୟକର ଦିଗ, ଶୁଦ୍ଧତା ଏବଂ ପ୍ରତିଷେଧକ ଯତ୍ନର ଆୟୁର୍ବେଦିକ ନୀତି ସହିତ ମେଳ ଖାଏ । ନମସ୍କାରର ବୈଜ୍ଞାନିକ ଯୁକ୍ତିଯୁକ୍ତତା ଏହାର ଜନସ୍ୱାସ୍ଥ୍ୟ ଦିଗରୁ ସ୍ପଷ୍ଟ । ଶାରୀରିକ ସ୍ପର୍ଶ ସହିତ ଜଡ଼ିତ ଅଭିବାଦନ, ଯେପରିକି ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବା ତୁଳନାରେ ନମସ୍କାର ସିଧାସଳଖ ସ୍ପର୍ଶକୁ ଦୂର କରିଥାଏ, ରୋଗ ଜୀବାଣୁଙ୍କ ସଂକ୍ରମଣକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଥାଏ । ଶହ ଶହ ବର୍ଷ ଧରି ଭାରତୀୟ ସାମାଜିକ ଅଭ୍ୟାସରେ ଜଡ଼ିତ ଏହି ଦିଗ, ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଏବଂ ସଂକ୍ରମଣ ନିୟନ୍ତ୍ରଣ ନୀତି ସହିତ ନିରବଚ୍ଛିନ୍ନ ଭାବରେ ମେଳ ଖାଏ, ଯାହାର ଜ୍ୱଳନ୍ତ ଉଦାହରଣ ଆମେ କରୋନା ମହାମାରୀ ସମୟରେ ଦେଖିସାରିଛନ୍ତି । କରୋନା ମହାମାରୀ ସମୟରେ ନମସ୍କାର ଭଳି ଅଣ-ଯୋଗାଯୋଗ ଅଭିବାଦନ, ଭାରତର ପାରମ୍ପରିକ ଜ୍ଞାନ ଓ ଅଭ୍ୟାସକୁ ରେଖାଙ୍କିତ କରିଥିଲା । ସେହିପରି ଭାରତୀୟ ଯୋଗ ବିଜ୍ଞାନରେ ସୂର୍ଯ୍ୟ ନମସ୍କାରର ବହୁତ ଗୁରୁତ୍ୱ ରହିଛି, ଯାହାକି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଅତି ଜରୁରି । ତେଣୁ, ନମସ୍କାରକୁ କେବଳ ପରମ୍ପରାର ପରିସରକୁ ଅଣାଯିବା ପରିବର୍ତ୍ତେ ଏହା ଏକ ଉପନିବେଶବାଦ ମୁକ୍ତ ଜ୍ଞାନର ପ୍ରତିନିଧିତ୍ୱ କରେ, ଯେଉଁଠାରେ ସ୍ୱଦେଶୀ ଅନ୍ତର୍ଦୃଷ୍ଟି ଏବଂ ଆଧୁନିକ ବିଜ୍ଞାନ ଏକତ୍ରିତ ହୁଅନ୍ତି, ଯାହା ଚାପ, ସାମାଜିକ ବିଭାଜନ ଏବଂ ନୈତିକ ଅବକ୍ଷୟ ସହିତ ମୁକାବିଲା କରୁଥିବା ସମାଜ ପାଇଁ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ । ଭାରତୀୟ ଜ୍ଞାନ ପ୍ରଣାଳୀ ଏବଂ ସାଂସ୍କୃତିକ ସ୍ନାୟୁବିଜ୍ଞାନର ଆନୁଷ୍ଠାନିକ ଆଲୋଚନା ମଧ୍ୟରେ ନମସ୍କାର ଭଳି ଅଭ୍ୟାସକୁ ସ୍ୱୀକୃତି ଦେବା କେବଳ ସାଂସ୍କୃତିକ ଗର୍ବ ନୁହେଁ, ବରଂ ବୌଦ୍ଧିକ ନ୍ୟାୟ ମଧ୍ୟ । ସେଥିପାଇଁ, ନମସ୍କାର କରିବା କେବଳ ଯେ ଏକ ଶିଷ୍ଟାଚାର ବା ଭଦ୍ରାମିର ପ୍ରତୀକ ନୁହେଁ, ବରଂ ଏହା ଏକ ସାମଗ୍ରିକ ଜ୍ଞାନ, ସ୍ୱଦେଶୀ ବିଜ୍ଞାନ, ଆନ୍ତଃ ଓ ଜନସ୍ୱାସ୍ଥ୍ୟର ଏକ ଅପୂର୍ବ ସମ୍ଭାର । ନମସ୍କାର କରି ଅଭିବାଦନ କରିବା ଦ୍ୱାରା ଅହଂକାରର ବିନାଶ ହେବା ସହିତ ଏକତ୍ୱ ତଥା ସମାନତାର ଭାବ ଉଦ୍ରେକ ହୁଏ । ସେଥିପାଇଁ ଆଜିଠାରୁ ‘ହାଏ, ହେଲୋ, ହ୍ୟାଣ୍ଡସେକ୍‌' କରିବା ଆଗରୁ ଟିକିଏ ରହିଯାଇ ନମସ୍କାର କରିବା ନିଜ ପାଇଁ ଓ ସାମ୍ନାରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ।

​​​​​​​