ଯୋଗ ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର । "ଯୋଗ’ ଶବ୍ଦଟି ସଂସ୍କୃତ ଶବ୍ଦ "ଯୁଜ୍"ରୁ ଆସିଛି ଯାହାର ଅର୍ଥ "ଯୋଗ କରିବା, ଯୋଡ଼ିବା’ ବା "ଏକତ୍ର କରିବା’ । ଯାହା ମନ ଓ ଶରୀରର ଚିନ୍ତା, କାର୍ଯ୍ୟ, ସଂଯମ ଓ ପରିପୂର୍ଣ୍ଣତା । ମାନବ ଓ ପ୍ରକୃତି ମଧ୍ୟରେ ସମନ୍ୱୟର ଏକତାକୁ ମଧ୍ୟ ଯୋଗ ସୂଚାଇଥାଏ । ଯାହା ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ । ଯୋଗ ରୋଗ ନିରାକରଣ, ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଓ ଜୀବନଶୈଳୀ ସମ୍ବନ୍ଧୀୟ ବିଶୃଙ୍ଖଳାର ପରିଚାଳନା ପାଇଁ ପରିଚିତ । ଯୋଗ ପ୍ରାଚୀନ ଭାରତୀୟ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ । ଯଦିଓ ଏହା ବିଜ୍ଞାନ ହୁଏ । ଏହା ବଳରେ ଭାରତକୁ ସୁନାର ଚଢ଼େଇ ବୋଲି କୁହାଯାଉଥିଲା । ଭଗବାନ ଶିବଶଙ୍କରଙ୍କ ପରେ ବୈଦିକ ମୁନିରୁଷିମାନଙ୍କ ଦ୍ୱାରା ଆରମ୍ଭ ବୋଲି ଯୋଗ କୁହନ୍ତି । ପରେ ପରେ କୃଷ୍ଣ, ବୁଦ୍ଧ, ମହାବୀର ଆଦି ମଧ୍ୟ ନିଜ ନିଜ ଚିନ୍ତାଧାରା ହିସାବରେ ଯୋଗର ପ୍ରସାର କରିଛନ୍ତି । ପରବର୍ତ୍ତୀ ସମୟରେ ପତଞ୍ଜଳି ମଧ୍ୟ ସୁବ୍ୟବସ୍ଥିତ କରି ଯୋଗସୂତ୍ରର ରଚନା କରିଛନ୍ତି । ଯାହା ମାନବ ସମାଜ ପାଇଁ ବରଦାନ ଠାରୁ ମଧ୍ୟ କିଛି କମ୍ ନୁହେଁ ।
ଯୋଗ କ'ଣ? ଯେତେବେଳେ ଏହି ପ୍ରଶ୍ନ ଆମ ମନକୁ ଆସେ, ଆମ ମସ୍ତିଷ୍କର ପ୍ରଚ୍ଛଦପଟ୍ଟରେ କୌଣସି ବୃଦ୍ଧ ବ୍ୟକ୍ତି ଅବା ସାଧୁବାବାଙ୍କର ଚିତ୍ର ଉଦ୍ଭାସିତ ହୁଏ । ଆମେ ମାନିଥାଉ ଯୋଗ କେବଳ ଶରୀରର ଅଙ୍ଗଭଙ୍ଗୀ ବା ବିଭିନ୍ନ ମୁଦ୍ରାର ନାମ ନୁହେଁ ବରଂ ଏହା କେବଳ ବୟସ୍କ ବା ବୃଦ୍ଧଙ୍କର କରିବାର କାମ । ଯୋଗର ସମ୍ପର୍କ କେବଳ କୌଣସି ନିର୍ଦ୍ଦିଷ୍ଟ ବୟସ, ଧର୍ମ ବା ଶରୀରର ଆସନ ନୁହେଁ । ଏହା କୌଣସି ଧାର୍ମିକ କାମ ବା ଶ୍ରଦ୍ଧାର ବିଷୟ ନୁହେଁ । ଏହା ସଂପୂର୍ଣ୍ଣ ରୂପେ ବିଜ୍ଞାନସମ୍ମତ, ଯାହା ଆମକୁ କେବଳ ବାହ୍ୟ ପ୍ରକୃତି ସହିତ ଯୋଡ଼େନାହିଁ ବରଂ ଆମ ଭିତରେ ଲୁଚି ରହିଥିବା ଏକ ଅଜ୍ଞାତ ଶକ୍ତିକୁ ମଧ୍ୟ ଏକତ୍ରିତ କରେ ଓ ବିକଶିତ କରେ । ଯୋଗର ଅର୍ଥ କେବଳ ଆମେ କରୁଥିବା ଆସନ ନୁହେଁ । ଯୋଗର ଅର୍ଥ ସନ୍ଧି, ଏକାତ୍ମତା । ଯୋଗ ଆମ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସଂଯମତା ଓ ସନ୍ତୁଳନ କରିଥାଏ । ମନକୁ ସକାରାତ୍ମକ କରିଥାଏ, କାରଣ ଆମ ଶରୀରର ଭିତର ବାହାର ପାଇଁ ଆସନର ବିଶେଷ ଭୂମିକା ରହିଛି । ସେଥିପାଇଁ ଆମକୁ ଲାଗେ ଯୋଗର ଅର୍ଥ କେବଳ ଶାରୀରିକ ଆସନ ମଧ୍ୟରେ ସୀମିତ । ଆସନ ହେଉଛି ଦୁଇ ପ୍ରକାର । ପ୍ରଥମ ଶ୍ରେଣୀର ଆସନକୁ "ଧ୍ୟାନାସନ’ ଏବଂ ଦ୍ୱିତୀୟ ଶ୍ରେଣୀର ଆସନକୁ "ସ୍ୱାସ୍ଥ୍ୟାସନ' କୁହାଯାଏ । ଯେଉଁ ଆସନରେ ବସି ମନକୁ ସ୍ଥିର କରିବା ପାଇଁ ପ୍ରଯତ୍ନ କରାଯାଏ ତାକୁ ‘ଧ୍ୟାନାସନ’ କୁହାଯାଏ ଏବଂ ଯେଉଁ ଆସନ ବ୍ୟାୟାମ ନିୟମିତ କରାଯାଏ ତାକୁ "ସ୍ୱାସ୍ଥ୍ୟାସନ' କୁହାଯାଏ ।
ପାତଞ୍ଜଳି ଯୋଗସୂତ୍ର ଅନୁସାରେ "ଯୋଗଶ୍ଚିତବୃତ୍ତିନିରୋଧଃ’, ଅର୍ଥାତ୍- ଚିତ୍ତବୃତ୍ତିକୁ ରୋକିବାକୁ ଯୋଗ କୁହାଯାଏ । ଯୋଗର ଶାଦ୍ଦିକ ଅର୍ଥ ହେଉଛି ଯୋଡ଼ିବା । ବାସ୍ତବରେ ଯୋଗ ହେଉଛି ଯୋଡ଼ିବାର ଏକ ପ୍ରଣାଳୀ, କିନ୍ତୁ କାହାକୁ ଯୋଡ଼ିବା? କେମିତି ଯୋଡ଼ିବା? ମନରେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ କଥା । ଯୋଗର ପରିଣାମ ହେଉଛି- ଆତ୍ମା ଏବଂ ପରମାତ୍ମାଙ୍କ ସହିତ ସଂଯୋଗ । ଅର୍ଥାତ୍- ଆତ୍ମା ସହିତ ପରମାତ୍ମାର ଯୋଗ ବା ଏକାତ୍ମ ହେବା । ଯୋଗ ଶ୍ରଦ୍ଧା ବା ଧର୍ମର ବିଷୟ ନୁହେଁ, ଏହା ବିଜ୍ଞାନର ବିଷୟ । ଯୋଗ ଧର୍ମ ଜାତି ସମ୍ପ୍ରଦାୟଭିତ୍ତିକ ନୁହେଁ । ଏହାଦ୍ୱାରା ହିନ୍ଦୁ, ମୁସଲମାନ, ଧନୀ, ଗରିବ ସମସ୍ତଙ୍କୁ ଲାଭ ମିଳେ । ଯୋଗ କରିବା ପାଇଁ କୌଣସି ଶ୍ରଦ୍ଧା ବା କର୍ମକାଣ୍ଡର ଆବଶ୍ୟକତା ନାହିଁ, ଯୋଗ ଶ୍ରଦ୍ଧାର ସହିତ କଲେ ନିଶ୍ଚୟ ଏହାର ଲାଭ ପାଇବେ । ଯୋଗ ସଂପୂର୍ଣ୍ଣ ପ୍ରାକୃତିକ । ଏହାକୁ ବୈଜ୍ଞାନିକ ଓ ଚିକିତ୍ସକମାନେ ପରୀକ୍ଷା ନିରୀକ୍ଷା କରି ପ୍ରମାଣିତ କରିଛନ୍ତି ଯେ, ଏହାର ବିଧି ପ୍ରକ୍ରିୟା ନୁହେଁ । ବରଂ ଏହା ଶରୀରରୁ ସମସ୍ତ ରୋଗ ଦୂର କରି ମସ୍ତିଷ୍କକୁ ଚିନ୍ତାମୁକ୍ତ କରି ଆତ୍ମା ଏବଂ ଈଶ୍ୱରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରେ । ଯାହାଦ୍ୱାରା ଆମ ଶରୀର ଭିତରେ ଥିବା ଲୁକ୍କାୟିତ ଶକ୍ତିର ପରିପ୍ରକାଶ ହୁଏ ଏବଂ ଆମେ ସଂପୂର୍ଣ୍ଣ ବିକଶିତ ହେଉ । ରବର୍ଟ ବେନ୍ସନ ଆମେରିକା ସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର ।
୧୯୮୫ ମସିହାରେ ସେ ନିଜର କେତେଜଣ ସହକର୍ମୀଙ୍କୁ ନେଇ ଉତ୍ତର ଭାରତରେ ଥିବା ଏକ ତିକ୍ରତୀୟ ସନ୍ନ୍ୟାସୀ ଆଶ୍ରମ ପରିଦର୍ଶନ କରିଥିଲେ । ଆଶ୍ରମଟି ଅବସ୍ଥିତ ଥିଲା ହିମାଳୟର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ । ସେଠାରେ ସେମାନେ ଆଶ୍ରମର ସନ୍ନ୍ୟାସୀମାନଙ୍କୁ ଗଭୀର ଭାବରେ ଧ୍ୟାନମଗ୍ନ ଥିବାର ଦେଖିଥିଲେ । ବାହାର ତାପମାତ୍ରା ଥିଲା ମାଇନସ୍ ୨୦ଡିଗ୍ରୀ ସେଲ୍ସିୟସ । ଅଥଚ ସନ୍ନ୍ୟାସୀମାନେ ନିଜ ଶରୀରକୁ ଆବୃତ୍ତ କରି ରଖିଥିଲେ ଓଦା ବସ୍ତ୍ରରେ । ୧୫,୦୦୦ ଫୁଟ ଉଚ୍ଚତାରେ ମଧ୍ୟ ସେମାନେ ବେଶ୍ ଶାନ୍ତି ଓ ଆରାମରେ ନିଦ୍ରା ଯାଉଥିଲେ, ପୁଣି ପଥର ଚଟାଣ ଉପରେ । ବେନ୍ସନ ଉଲ୍ଲେଖ କରିଛନ୍ତି ଯେ, ସେହି ସନ୍ନ୍ୟାସୀମାନଙ୍କଠାରେ ଏପରି ଅନୁକୂଳ ଶାରୀରିକ ଓ ମାନସିକ ସାମର୍ଥ୍ୟ ସମ୍ଭବ ହୋଇଥିଲା ଯୋଗର ପ୍ରଭାବ ଯୋଗୁଁ । ପରବର୍ତ୍ତୀ ସମୟରେ ବେନ୍ସନ ଯୋଗ ଓ ଧ୍ୟାନ ପଦ୍ଧତିକୁ ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଉତ୍କଣ୍ଠା ଓ ଉଦ୍ବେଗ ତଥା ନିଦ୍ରାହାନିରେ ପୀଡ଼ିତ ରୋଗୀଙ୍କଠାରେ ପ୍ରୟୋଗ କରି ବେଶ୍ ସୁଫଳ ପାଇଥିଲେ । କିଛିବର୍ଷ ପୂର୍ବେ ଟାଇମ୍ ମାଗାଜିନ୍ ଉଲ୍ଲେଖ କରିଥିଲା ଯେ, ଏକବିଂଶ ଶତାବ୍ଦୀରେ ଜନସାଧାରଣଙ୍କର ସବୁଠାରୁ ମାରାତ୍ମକ ଶତ୍ରୁ ହେଉଛି ମାନସିକ ଚାପ ବା "ଷ୍ଟ୍ରେସ୍', ଯାହା ଯୋଗୁଁ ସମାଜରେ ଉଚ୍ଚ ରକ୍ତଚାପ ହାର ବଢ଼ିଚାଲିଛି ।
ଏକ ପରିସଂଖ୍ୟାନରୁ ଜଣାପଡିଛି ଯେ, ଆମ ଦେଶରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦କୋଟିରୁ ଅଧିକ । ହେଲେ ଏହାର ରହିଛି ଏକ ଅତି ସହଜ ତଥା ସରଳ ଆରୋଗ୍ୟ ପଦ୍ଧତି । ତାହା ହେଉଛି ପରମାନନ୍ଦ ବା ପରମ ସୁଖର ଅନୁଭବ । ଶରୀର ଓ ମନ ଏତେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଯେ ଗୋଟିକ ଉପରେ ଆଉ ଗୋଟିଏ ସ୍ୱତଃ ପ୍ରଭାବିତ ହୋଇଯାଏ । ତେଣୁ ଯୋଗ କଲେ ମନ ଏକ ଉନ୍ନତ ପର୍ଯ୍ୟାୟକୁ ଉନ୍ନୀତ ହୋଇଯାଏ । ଫଳରେ ମନ ହୋଇଯାଏ ସମ୍ପୂର୍ଣ୍ଣ ପ୍ରଶାନ୍ତ । ମନ ପ୍ରଶାନ୍ତ ହେବା ସଙ୍ଗେ ସଙ୍ଗେ ଶରୀରର କୋଷଗୁଡ଼ିକରେ ମେଟାବୋଲିଜମ ବା ଚୟାପଚୟ ପ୍ରକ୍ରିୟା ହୋଇପଡ଼େ ସମ୍ପୂର୍ଣ୍ଣ ମନ୍ଥର । ଧ୍ୟାନ କରିବା ସମୟରେ ଚିନ୍ତା ପ୍ରକ୍ରିୟାର ଉତ୍ତେଜିତ ଅବସ୍ଥା ପ୍ରଶମିତ ହୋଇ ଜାତ ହୋଇଥାଏ ଜୀବକୋଷୀୟ ସନ୍ତୁଳନ ଅବସ୍ଥା ବା ସମାବସ୍ଥା । ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଅତ୍ୟନ୍ତ ଅନୁକୂଳ । ସୁତରାଂ ଯୋଗ କଲେ ଉଚ୍ଚ ରକ୍ତଚାପ କମିଯାଏ । ହୃଦ୍ରୋଗ ଏବଂ ଡାଇବେଟିସ୍ ହ୍ରାସପାଏ । ଊଣା ହୋଇଯାଏ କ୍ରୋଧ ଓ ମାନସିକ ଚାପ । ଜଣେ ବ୍ୟକ୍ତିର ଦୈନନ୍ଦିନ ଜୀବନଶୈଳୀରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଏହି ସ୍ୱାସ୍ଥ୍ୟ ସମସ୍ୟା ଶାରୀରିକ ଏବଂ ମାନସିକ ଉଭୟ ହୋଇପାରେ । ଜୀବନଶୈଳୀରେ ଉନ୍ନତି ଆଣି କିଛି ସ୍ୱାସ୍ଥ୍ୟ ଅବସ୍ଥାକୁ ରୋକାଯାଇପାରିବ । ତେଣୁ ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖି ଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟର ଉନ୍ନତି କରାଯାଇପାରିବ ।