ଭୁବନେଶ୍ୱର ୩୦/୦୯: ଚଳିତ ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରମେୟ ପକ୍ଷରୁ ‘ପ୍ରମେୟ ପାର୍ବଣ ପ୍ରତିଯୋଗିତା’ର ଆୟୋଜନ କରାଯାଉଛି । ଏଥିରେ ସହରର ବିଭିନ୍ନ ଦୁର୍ଗାପୂଜା କମିଟି ମଧ୍ୟରୁ ଆକର୍ଷଣୀୟ ତୋରଣ ଓ ମେଢ଼ ଚୟନ କରାଯିବ । ସେଥିପାଇଁ ଆଜିଠୁ ଅନଲାଇନ ଭୋଟିଂ ଚାଲିଛି । ସମସ୍ତ ଦୁର୍ଗାପୂଜା କମିଟିକୁ ଏନେଇ ଲିଙ୍କ ସେୟାର କରାଯାଇଛି । ପ୍ରମେୟ ପକ୍ଷରୁ ପ୍ରସ୍ତୁତ ଦୁଇଟି ସ୍ୱତନ୍ତ୍ର ଭୋଟିଂ ଲିଙ୍କରେ କମିଟି ସଦସ୍ୟ ଓ ସହରବାସୀ ଭୋଟ ଦେଇ ଆକର୍ଷଣୀୟ ମେଢ଼ ଓ ତୋରଣକୁ ଚୟନ କରିପାରିବେ ।
ଏହି ଭୋଟିଂ ପ୍ରକ୍ରିୟା ଆସନ୍ତା ୭ ଦିନ, ଅର୍ଥାତ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୋଟିଂ ଆଧାରରେ ଜନସାଧାରଣ ଚଳିତ ବର୍ଷର ଶ୍ରେଷ୍ଠ ପୂଜା ମଣ୍ଡପ (ସାଜସଜ୍ଜା) ଓ ମେଢ଼ (ମାଁଙ୍କ ମୃଣ୍ମୟୀ ପ୍ରତିମା) ବାଛିବେ । ଏହା ବ୍ୟତିତ ପ୍ରମେୟ ପକ୍ଷରୁ ଏକ ଜୁରି କମିଟି ମଧ୍ୟ ରହଛି । କମିଟିର ସଦସ୍ୟମାନେ ସମସ୍ତ ମଣ୍ଡପକୁ ଯାଇ ସେମାନଙ୍କର ମତାମତ ଦେବେ । ଭୋଟିଂ ଅବଧି ଶେଷ ହେବା ପରେ ଉଭୟ ଅନ୍ଲାଇନ ଭୋଟିଂ ଓ ଜୁରିମାନଙ୍କ ମତାମତର ସମ୍ମିଶ୍ରଣରେ ଯେଉଁ ଫଳାଫଳ ଆସିବ ତଦନୁସାରେ ବିଜେତା, ଉପବିଜେତା ଘୋଷଣା କରାଯିବ ।