ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପ୍ରଶାନ୍ତ କିଶୋରଙ୍କ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି, ଘରୋଇ ସ୍କୁଲ୍‌ରେ ମାଗଣା ପଢ଼ିବେ ଛାତ୍ରଛାତ୍ରୀ

Published By : Tapas Panda | June 30, 2025 9:51 PM

Image Courtesy: indiatv

ପାଟନା:  ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ଏବଂ ବିଚକ୍ଷଣ ରାଜନୀତି ସମୀକ୍ଷକ ପ୍ରଶାନ୍ତ କିଶୋର ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି । ଗୟା ଆୟୋଜିତ ଏକ ରାଲିରେ ପ୍ରଶାନ୍ତ କିଶୋର ବିହାରର ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୨୦୨୫ରୁ ୬୦ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ପୁରୁଷ ଏବଂ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ପେନସନ ଦିଆଯିବ । ଏହା ବ୍ୟତୀତ ୧୫ ବର୍ଷରୁ କମ୍ ବୟସର ପିଲାମାନେ ମଧ୍ୟ ଘରୋଇ ସ୍କୁଲରେ ମାଗଣା ଶିକ୍ଷା ପାଇବେ ।

ପ୍ରଶାନ୍ତ କିଶୋର ସୋମବାର ବିହାରର ଗୟାରେ ଏକ ରାଲିକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ସେ ଏହି ଘୋଷଣା କରିଛନ୍ତି । ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏପରି ସ୍ଥିତିରେ, ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ବିହାରରେ ଜୋରଦାର ପ୍ରଚାର କରୁଛି । ଜୁନ୍ ୨୫ରେ ନିର୍ବାଚନ କମିଶନ ଆଗାମୀ ନିର୍ବାଚନ ପାଇଁ ଜନ ସୁରାଜ ପାର୍ଟିକୁ 'ସ୍କୁଲ ବ୍ୟାଗ୍' ଚିହ୍ନ ଆବଣ୍ଟନ କରିଥିଲେ । ଜନ ସୁରାଜ ଦଳର ସମସ୍ତ ୨୪୩ ପ୍ରାର୍ଥୀ ଏହି ନିର୍ବାଚନ ଚିହ୍ନରେ ନିର୍ବାଚନ ଲଢ଼ିବେ । ପ୍ରଶାନ୍ତ କିଶୋର ଲାଗାତାର ନିର୍ବାଚନ ସଭାରେ ଅଂଶଗ୍ରହଣ କରୁଛନ୍ତି। ସେ ବିହାରର ଗାଁ ଗସ୍ତ କରି ଲୋକଙ୍କୁ ଭେଟି ସ୍ଥାନୀୟ ସମସ୍ୟା ବିଷୟରେ ଜାଣୁଛନ୍ତି ।

 ବିହାରରେ ଗତ ବିଧାନସଭା ନିର୍ବାଚନରେ, ମହାମେଣ୍ଟର ସବୁଠାରୁ ବଡ଼ ଦଳ RJD ୧୪୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୭୫ଟି ଆସନରେ ବିଜୟୀ ହୋଇଥିଲା । ବିହାରରେ ୨୪୩ଟି ବିଧାନସଭା ଆସନ ଅଛି । କଂଗ୍ରେସ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ମାତ୍ର ୧୯ଟି ଆସନ ପାଇଥିଲା। ଅନ୍ୟ ମେଣ୍ଟ ସହଯୋଗୀ ସିପିଆଇ (ଏମ୍ଏଲ୍) ଲିବରେସନ ୧୨ଟି ଆସନରେ ବିଜୟୀ ହୋଇଥିଲା । ସେପଟେ ଭାରତୀୟ ଜନତା ପାର୍ଟି ୭୪ଟି ଆସନ ଜିତିବାରେ ସଫଳ ହୋଇଥିଲା । ଜେଡିୟୁ ୪୩ଟି ଆସନରେ ବିଜୟୀ ହୋଇଥିଲା । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.