ଭଦ୍ରକ, ୧୫।୩ : ଚିକିତ୍ସା ପାଇଁ ସ୍ୱାମୀ ଓ ୪ ବର୍ଷର ଝିଅ ସହ ମେଡିକାଲ ଆସୁଥିଲେ ଗର୍ଭବତୀ ମହିଳା । ରାସ୍ତାରେ ବାଇକକୁ ଧକ୍କା ଦେଲା ଧାନ ବୋଝେଇ ଟ୍ରାକ୍ଟର। ଦୁର୍ଘଟଣାରେ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ବନ୍ତ ଛକ ନିକଟ ରେ ଦୁର୍ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ବନ୍ତ ଅଞ୍ଚଳର ଅନିତା ଲେଙ୍କା ।
ସୂଚନା ଅନୁଯାୟୀ ବନ୍ତ ଥାନା ଅଧୀନ ଟିଲୋ ଅଞ୍ଚଳର ଅନିତା ଲେଙ୍କା ୬ ମାସର ଗର୍ଭବତୀ ଥିଲେ । ସେ ସ୍ୱାମୀ ଓ ୪ ବର୍ଷର ଝିଅ ସହ ବାଇକରେ ଭଦ୍ରକ ଚିକିତ୍ସା ପାଇଁ ଆସୁଥିଲେ। ବନ୍ତ ଛକ ନିକଟରେ ରାସ୍ତା ଅତିକ୍ରମ କରୁଥିଲେ । ଏହି ସମୟରେ ଏକ ଧାନ ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣାରେ ମୃତ ମହିଳା ଙ୍କ ସ୍ଵାମୀ ଓ ଝିଅ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ଘଟାଇଥିବା ଧାନ ବୋଝେଇ ଟ୍ରାକ୍ଟର କୁ ପୋଲିସ ଜବତ୍ କରିଛି ।