ଭୁବନେଶ୍ୱର, ୪/୦୬ : ଏମିତିରେ ତମେ ଶିକ୍ଷାର୍ଥୀ ଭାବେ ପ୍ରତିଦିନ କମ୍ପ୍ୟୁଟର କ୍ଲାସ ଆସିବ । ୬ ମାସ ଯାଏ ଥିଓରୀ ଆଉ ପ୍ରାକ୍ଟିକାଲ କ୍ଲାସ୍‌ କରିବ । ପରୀକ୍ଷା ପରେ ସାର୍ଟିଫିକେଟ୍‌ ନେଲା ବେଳକୁ ଅତିକମ୍‌ରେ ୧୨/୧୮ ହଜାର ଟଙ୍କା ଲାଗିଯିବ । ଆମକୁ ବେଶି ନୁହେଁ, ମାତ୍ର ୫ ହଜାର ଟଙ୍କା ଦିଅ । ଆଉ ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ କମ୍ପ୍ୟୁଟର ଆପ୍ଲିକେସନ୍‌ (ପିଜିଡିସିଏ) ସାର୍ଟିଫିକେଟ୍‌ ନିଅ । ଏହି ସାର୍ଟିଫିକେଟ୍‌ ଏମିତି ସେମିତି ନୁହେଁ । ଏଥିରେ ସରକାରୀ ପ୍ରତିଷ୍ଠାନର ମୋହର ବାଜିଛି । ଓଡି଼ଶା କି ଅନ୍ୟ ରାଜ୍ୟ ନୁହେଁ, ସାର୍ଟିଫିକେଟ୍‌ଟି ଆମେରିକାରେ ବି କାମ ଦେବ । ନାମୀ ଆଇଟି କମ୍ପାନୀରେ ବି ଚାକିରି କରିପାରିବ । ଏହା ହେଉଛି ନାମୀ ଓଡି଼ଶା କମ୍ପ୍ୟୁଟର ସାକ୍ଷରତା ମିଶନ (ଓସିଏସ୍‌ଏମ୍‌) ଶିକ୍ଷାନୁଷ୍ଠାନର ସମ୍ବଲପୁର ଶାଖାର ପରିଚାଳକଙ୍କ ନକଲି ସାର୍ଟିଫିକେଟ୍‌ ଡିଲ୍‌ର ଖୋଲାଖୋଲି ଅଫର୍‌ । ‘ପ୍ରମେୟ-ନ୍ୟୁଜ୍‌-୭’ର ରିଅଲିଟ୍‌ ଚେକ୍‌ ବେଳେ ଏଭଳି ‘ସାର୍ଟିଫିକେଟ୍‌ କେଳେଙ୍କାରୀ’ର ସାଂଘାତିକ ଦୃଶ୍ୟ ସାମ୍ନାକୁ ଆସିଛି । 

ବିନା ପଢ଼ାରେ ସାର୍ଟିଫିକେଟ୍‌ କେଳେଙ୍କାରୀର ଖୁଲାସା ପାଇଁ ପ୍ରମେୟ ପ୍ରତିନିଧି ଶିକ୍ଷାର୍ଥୀ ବେଶରେ ଉକ୍ତ କମ୍ପ୍ୟୁଟର ସେଣ୍ଟରକୁ ଯାଇଥିଲେ । ଷ୍ଟ୍ରିଙ୍ଗ ଅପରେସନ ବେଳେ ପରିଚାଳକ ଜଣକ ଆହୁରି କହିଥିଲେ, ଅବଶ୍ୟ, ପୂର୍ବରୁ ସେଣ୍ଟରରେ ବେଶି ପିଲା ହେଉନଥିଲେ । ଆମେ ସହଜରେ ସାର୍ଟିଫିକେଟ୍‌ ଧରାଇ ଦେଉଥିଲୁ । ଏବେ ସିଧାସଳଖ ସାର୍ଟିଫିକେଟ୍‌ ଦେବା ବନ୍ଦ କରିଦେଇଛୁ । ଯଦି ଆମ ହେଡ୍‌ ଅଫିସ ହଁ ମାରିବ, ୨/୪ ଦିନ ଭିତରେ ଆମେ ସାର୍ଟିଫିକେଟ୍‌ ଦେଇଦେବୁ । ବିନା ପାଠପଢ଼ାରେ କମ୍ପ୍ୟୁଟର ସାର୍ଟିଫିକେଟ୍‌ କେବଳ ଗୋଟିଏ ସେଣ୍ଟରରେ ମିଳୁଛି ନା ଏହି କେଳେଙ୍କାରୀ ଚେର ଅନ୍ୟଆଡ଼େ ବ୍ୟାପିଛି । ଚାରିଆଡ଼େ ଛତୁ ଫୁଟିଲା ଭଳି ଖୋଲୁଥିବା କମ୍ପ୍ୟୁଟର ସେଣ୍ଟର ପଛର ରହସ୍ୟ କ’ଣ? ଆଉ କମ୍ପ୍ୟୁଟର ସାର୍ଟିଫିକେଟ୍‌ର ବୈଧ୍ୟତା କେତେ? ଏହି ସାର୍ଟିଫିକେଟ୍‌ କେଳେଙ୍କାରୀ ଗଭୀରତା ପରଖିବାକୁ ଆମ ପ୍ରତିନିଧିମାନେ ନିଜ ସାର୍ଟ ପକେଟ୍‌ରେ ହିଡେନ୍‌ କ୍ୟାମେରା ଖଞ୍ଜି ଶିକ୍ଷାର୍ଥୀ ବେଶରେ ଅନ୍ୟ କିଛି କମ୍ପ୍ୟୁଟର ସେଣ୍ଟରରେ ପଶିଥିଲେ । ସବୁଠି ଆଚମ୍ବିତ କରିବା ଭଳି କମ୍ପ୍ୟୁଟର ସାର୍ଟିଫିକେଟ୍‌ କେଳେଙ୍କାରୀର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । 

ଜୟପୁର ସହରର ପାରାବେଡ଼ାର ‘ଏନ୍‌ଆଇସିଟି କମ୍ପ୍ୟୁଟର ଏଜୁକେସନ’ ସେଣ୍ଟରରେ ମାଳମାଳ ସାର୍ଟିିଫିକେଟ୍‌ ଶାଗମାଛ ଦରରେ ବିକାଯାଉଥିଲା । ସତ ସାମ୍ନାକୁ ଆଣିବାରୁ ଉକ୍ତ ସେଣ୍ଟର କର୍ତ୍ତୃପକ୍ଷ ଆମ ପ୍ରତିନିଧିଙ୍କୁ ଧମକ ଦେବାକୁ ପଛେଇଲେନି । କେନ୍ଦୁଝର ଆନନ୍ଦପୁରରେ ଖୋଲିଥିବା ‘ଡେଲ୍‌ଟା ଏଜୁକେସନ୍‌ସ’ ସେଣ୍ଟରରେ ମଧ୍ୟ ବେଶ୍‌ ସହଜରେ ଜାଲ ସାର୍ଟିଫିକେଟ୍‌ ମିଳିଗଲା । ବିଭିନ୍ନ ସହରର ନାମୀ ଦାମୀ ଘରୋଇ କମ୍ପ୍ୟୁଟର ସେଣ୍ଟରର ମାଳ ମାଳ ଅସଲି ସାର୍ଟିଫିକେଟ୍‌କୁ ଚୁଟ୍‌କିରେ ହାତେଇଥିଲେ ଆମ ପ୍ରତିନିଧି । ସାର୍ଟିଫିକେଟ୍‌ ଦଲାଲ୍‌ଙ୍କ ଏହି ମାୟାଜାଲରେ ଓଡି଼ଶାର ଲକ୍ଷଲକ୍ଷ ଶିକ୍ଷାର୍ଥୀଙ୍କ ଭାଗ୍ୟ ଓ ଭବିଷ୍ୟତ ବନ୍ଧା ପଡି଼ଛି । ବିନା ପାଠପଢ଼ାରେ ଅସଲି ସାର୍ଟିଫିକେଟ୍‌ ହାତେଇ ହଜାର ହଜାର ଅଯୋଗ୍ୟ ଶିକ୍ଷାର୍ଥୀ ଗଳାବାଟ ଦେଇ ଚାକିରି ପାଉଛନ୍ତି । ୬ ମାସ ପଢ଼ିଥିବା ଯୋଗ୍ୟ ଶିକ୍ଷାର୍ଥୀ ଏହି କେଳେଙ୍କାରୀର ଶିକାର ବି ହେଉଛନ୍ତି । ବୈଧ ସାର୍ଟିଫିକେଟ୍‌ ଥିବା ସତ୍ତ୍ଵେ ସେଣ୍ଟରର ମାନ୍ୟତା ଯୋଗୁଁ ଚାକିରି ବି ହରାଉଛନ୍ତି । 

ମୁଖ୍ୟାଳୟ ସାଜିଛି ଛାପା କାରଖାନା 

ନା’ ଅଫିସ ବାହାରେ କିଛି ଫଳକ ଟଙ୍ଗାଯାଇଛି । ନା’ ଅଫିସ ଭିତରେ କିଛି ଫାଇଲ୍‌ପତ୍ର ଅଛି । ପ୍ଲାଷ୍ଟିକ୍‌ ଚେୟାରରେ ଧୂଳିମଳି ବି ଲାଗି ଗଲାଣି । ନାଁକୁ ମାତ୍ର ଅଫିସ୍‌ରେ ଅଳ୍ପ କେଇଟା ଶିକ୍ଷାର୍ଥୀଙ୍କ ପଞ୍ଜୀକରଣ ଫର୍ମ ପଡି଼ଛି । ଅଛି ତ କେବଳ ଦୁଇଟା ପ୍ରିଣ୍ଟିଂ ମେସିନ୍‌ । ଯାହାକି, ସାର୍ଟିଫିକେଟ୍‌ ଛପାରେ ଲାଗିଛି । ଭୁବନେଶ୍ୱର କଳିଙ୍ଗ ବିହାର କେ-୯(ଏ)ର ପ୍ଲଟ୍‌ ନଂ ଏମ୍‌-୨୦୮ରେ ଥିବା ଓସିଏସ୍‌ଏମ୍‌ ମୁଖ୍ୟାଳୟ ସ୍ଥିତି ପରଖିବାକୁ ଯାଇଥିବା ଆମ ପ୍ରତିନିଧି ଏଭଳି ଚିତ୍ର ଦେଖି ଆଚମ୍ବିତ ହୋଇଯାଇଥିଲେ । ଏହାର ଠିକଣାକୁ ୱେବ୍‌ସାଇଟ୍‌ରେ ଜାଣିଶୁଣି ଭୁଲ ଦର୍ଶାଇଯାଇଛି । କଳିଙ୍ଗବିହାର କେ-୯(ଏ) ବଦଳରେ ଏ-୯ ଉଲ୍ଲେଖ ହୋଇଛି । ମୁଖ୍ୟାଳୟରେ ନୀତି ନିୟମ କିଛି ନାହିଁ । ବ୍ୟବସ୍ଥିତ ଢଙ୍ଗ ବଦଳରେ ମୁଖ୍ୟାଳୟଟି କାମଚଳା ଭାବେ ଚାଲିଛି । ଆଉ ୬୬ଟି ଶାଖାର ଭୂତ ଶିକ୍ଷାର୍ଥୀଙ୍କ ପାଇଁ ସାର୍ଟିଫିକେଟ୍‌ ଛପା ଚାଲିଛି ।

ଡେଲ୍‌ଟା ଏଜୁକେସନର ଭୂତ ମୁଖ୍ୟାଳୟ 

‘ଡେଲ୍‌ଟା ଏଜୁକେସନ’ର ମୁଖ୍ୟାଳୟ କଟକ ବାଦାମବାଡ଼ି ପାଲାମଣ୍ଡପର ଅରୁଣୋଦୟ ମାକେର୍ଟରେ ବୋଲି ସାର୍ଟିଫିକେଟ୍‌ରେ ଉଲ୍ଲେଖ ରହିଛି । କିନ୍ତୁ ଏହି ଠିକଣାରେ ବର୍ଷ ବର୍ଷ ଧରି କୌଣସି ଅଫିସ ଖୋଲିନଥିଲା ବୋଲି ସ୍ଥିତି ପରଖିବାରୁ ଜଣାପଡି଼ଥିଲା । କିନ୍ତୁ ଏହି ଭୂତ ମୁଖ୍ୟାଳୟରୁ କଟକ, କେନ୍ଦୁଝର ସମେତ ପୁରୀ, ଭୁବନେଶ୍ୱର, ଜଗତସିଂହପୁର ଓ ନୂଆପଡ଼ାରେ ଡେଲ୍‌ଟା ଏଜୁକେସନର ଶାଖା ପରିଚାଳିତ ହେଉଛି ।

ଶାଗମାଛ ଦରରେ ମିଳୁଛି ସାର୍ଟିଫିକେଟ୍‌ 

ଯଦି ଆପଣ କୌଣସି କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି, ତା’ହେଲେ ସାର୍ଟିଫିକେଟ୍‌ ପାଇଁ ୧୨ ହଜାର ଟଙ୍କା ଲାଗିଯିବ । ଶିକ୍ଷାନୁଷ୍ଠାନର ଡିମାଣ୍ଡ ଅନୁସାରେ ସାର୍ଟିଫିକେଟ୍‌ ପାଇଁ ଅତିବେଶିରେ ୧୮ ହଜାର ଟଙ୍କା ପକେଟ୍‌ରୁ ଯିବ । କିନ୍ତୁ ବିନା ପାଠପଢ଼ାରେ ଲୁଚାଛପାରେ ସାର୍ଟିଫିକେଟ୍‌ର ଦାମ ୩/୪ ଗୁଣା କମିଯାଉଛି । ଶାଗମାଛ ଦରରେ ମିଳୁଛି । ସମ୍ବଲପୁର ଓସିଏସ୍‌ଏମ୍‌ ଶାଖାରେ ସାର୍ଟିଫିକେଟ୍‌ ଗୋଟାକୁ ୪୨୦୦ ଟଙ୍କାରେ ବିକାଯାଉଛି । ସମ୍ବଲପୁର କୋଶଳ କମ୍ପ୍ୟୁଟେକ୍‌ରେ ସମାନ ସାର୍ଟିଫିକେଟ୍‌ ୩୫୦୦ରେ ମିଳିଯାଉଛି । ଆନନ୍ଦପୁର ଡେଲଟା ଏଜୁକେସନରେ ସମାନ ପାଠ୍ୟକ୍ରମର ସାର୍ଟିଫିକେଟ୍‌ ଦର ମାତ୍ର ୧୩୦୦ ଟଙ୍କା । ଜୟପୁରସ୍ଥିତ ଏନ୍‌ଆଇସିଟିରେ ଏହା ୨୭୦୦ ଟଙ୍କାରେ ବିକ୍ରି ଦେଉଛି । ଏନେଇ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଛତୁ ଫୁଟିଲା ଭଳି ଖୋଲିଥିବା କମ୍ପ୍ୟୁଟର ସେଣ୍ଟରର ସତ୍ୟାସତ୍ୟ ତଦନ୍ତ ହେବ । ନକଲି ସାର୍ଟିଫିକେଟ୍‌ ଦେଉଥିଲେ, ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।