ଭୁବନେଶ୍ୱର ୧୭/୦୨: ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିଲା ନବ ନିର୍ମାଣ କୃଷକ ସଂଘ। ବିଧାନସଭା ଗେଟ୍ ସମ୍ମୁଖରେ ଧାନ ଚୋରି ଅଭିଯୋଗ ଲଗାଇ ସରକାର ବିରୋଧୀ ସ୍ଲୋଗାନ ଦେଇଛି । ପ୍ରତିବାଦ ବେଳେ କୃଷକ ସଂଘ କର୍ମୀଙ୍କୁ ଉଠାଇନେଲା ପୁଲିସ। ସେପଟେ ଲୋୟର ପିଏମ୍‌ଜିରେ ବେକାରୀ ପକୁଡ଼ି, ଚା’ ଓ ଚିନାବାଦାମ ବିକିଲା ଓଡ଼ିଶା ଏଲିମେଣ୍ଟାରୀ ସ୍କୁଲ ଶିକ୍ଷକ ଆଶାୟୀ ସଂଘ ।

ବଜେଟ୍ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିଛି ନବ ନିର୍ମାଣ କୃଷକ ସଂଘ। ସୂର୍ଯ୍ୟ ଉଦୟ ନ ହେଉଣୁ ବିଧାନସଭା ଗେଟ୍ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହିତ ସରକାର ବିରୋଧୀ ନାରା ଦେଇଥିଲେ ସଂଗଠନ । ସରକାର ଧାନ ଚୋରି ବୋଲି ଅଭିଯୋଗ ଆଣିଥିଲେ । ଆଜି ସକାଳୁ ବିକ୍ଷୋଭ ପ୍ରଦର୍ଶନ କରି ଶତାଧିକ ନବ ନିର୍ମାଣ କୃଷକ ସଂଘର ନେତା ଓ କର୍ମୀ ଗିରଫ ହୋଇଛନ୍ତି । ପ୍ରତିବାଦ ପ୍ରଦର୍ଶନ ବେଳେ କିଛି କର୍ମକର୍ତ୍ତାଙ୍କୁ ପୁଲିସ ଟେକି ନେଇଛି । ଆନ୍ଦୋଳନକୁ ତେଜିଆନ୍ କରିବା ପାଇଁ କିଛି ବିକ୍ଷୋଭକାରୀ ସାଥିରେ ଧାନ ନେଇ ଆସିଥିଲେ । ଆଉ କିଛି କର୍ମୀ ଆଇଜି ପାର୍କ ଭିତରେ ଲୁଚି ରହି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଯେପର୍ଯ୍ୟନ୍ତ ସରକାର ଦାବି ପୂରଣ ନ କରିବେ ସେ ପର୍ଯ୍ୟନ୍ତ ଏ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି କହିଛି ନବ ନିର୍ମାଣ କୃଷକ ସଂଘ।

ସେପଟେ ଲୋୟର ପିଏମଜୀରେ ପକୁଡ଼ି, ଚା’ ଓ ଚିନାବାଦାମ ବିକିଲା ଓଡ଼ିଶା ଏଲିମେଣ୍ଟାରୀ ସ୍କୁଲ ଶିକ୍ଷକ ଆଶାୟୀ ସଂଘ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବାରମ୍ବାର ବିଫଳ ହେଉଥିବାରୁ ବାଧ୍ୟ ହୋଇ ପକୁଡ଼ି, ଚା’ ଓ ଚିନାବାଦାମ ବିକିବା ଆରମ୍ଭ କରିଛି ସଂଘ । ରାଜ୍ୟରେ ଖାଲି ପଡ଼ିଥିବା ୪୫ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ପାଇଁ ସଂଘ ଦାବି କରିଛି ।  ସରକାରଙ୍କ ସହ ବାରମ୍ବାର ଆଲୋଚନା ବିଫଳ ହେଉଥିବାରୁ ବାଧ୍ୟ ହୋଇ ପକୁଡ଼ି ବକୁଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପାଚକ-ପାଚିକା ସଂଘ ମଧ୍ୟ ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛି। ୩ ହଜାର ଟଙ୍କା ଭତ୍ତା ନୁହେଁ ସର୍ବନିମ୍ନ ଦୈନିକ ମଜୁରୀ ହାରରେ ଦରମା ପ୍ରଦାନ ଦାବି କରିଛି ସଂଘ । କେନ୍ଦୁଝର, ମୟୂରଭଞ୍ଜ ସମେତ ଅନ୍ୟ ଜିଲ୍ଲା ମାନଙ୍କରୁ ପାଚକ-ପାଚିକା ସଦସ୍ୟ ମାନେ ଆସି ଆନ୍ଦୋଳନ କରୁଛନ୍ତି ।

​​​​​​​

ଅଧିକ ପଢ଼ନ୍ତୁ-ରାଜ୍ୟପାଳଙ୍କ ଅଭିଭାଷଣରେ ସରକାରୀ ସଫଳତାର ଗୋଲାପୀ ଚିତ୍ର