ପୁରୀ, ୧୮/୦୭ : ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଦିନ ରଥ ଆଗରେ ଯେଉଁ ଦଳାଚକଟା ହେଲା ଓ ଶ୍ରଦ୍ଧାଳୁମାନେ ମୃତାହତ ହେଲେ ତାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । କେଉଁଠି ଭୁଲ ରହିଲା ତାହାକୁ ନେଇ ମଧ୍ୟ ଅକଳରେ ପଡ଼ିଥିବା ପ୍ରଶାସନ ଭିତିରି ସମୀକ୍ଷା କରୁଛି। ଏହାକୁ ନେଇ ଏବେ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ରାଜ୍ୟ ମାନବାଧିକାର କମିଶନ ଜବାବ ତଲବ କରିଛନ୍ତି। ଆହତଙ୍କୁ ସଠିକ ଚିକିତ୍ସା ଯୋଗାଇଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯଇଛି। ଏଥିସହ ବାହୁଡା଼ ଯାତ୍ରା ସୁରକ୍ଷିତ ଭାବରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଏବଂ ପୁରୀ ଏସପିଙ୍କୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବି ନିଶିକାନ୍ତ ମିଶ୍ରଙ୍କ ଆବେଦନକୁ ବିଚାର କରି ମାନ୍ୟବର କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ଗତବର୍ଷ ଅପେକ୍ଷା ଏଥର ପୁରୀରେ ଦେଢ଼ାଗୁଣା ଅଧିକ ପୁଲିସ ଫୋର୍ସ ଓ ୩ ଗୁଣା ଅଧିକ ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଥିଲା । ୪ ଗୁଣ ଅଧିକ ସରକାରୀ ପାଣ୍ଠି ବ୍ୟୟରେ ଅଧିକ ସୁବନ୍ଦୋବସ୍ତ ଭିତ୍ତିଭୂମି ତିଆରି ହୋଇଥିଲା । ହେଲେ ଭିଡ଼ ନିୟନ୍ତ୍ରଣରେ ଫେଲ ମାରିଲା ପ୍ରଶାସନ । ଫଳରେ ଦଳା ଚକଟାରେ ୨ ଜଣଙ୍କ ମୃତ୍ୟୁ ସାଙ୍ଗକୁ ପ୍ରାୟ ୫୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଭିତରେ ଅନେକ ଲୋକଙ୍କ ଗୋଡ଼ କିମ୍ବା ହାତ ଭାଙ୍ଗିଛି । ଅନେକ ଶ୍ୱାସରୁଦ୍ଧ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବଡ଼ଦାଣ୍ଡରେ ବଢ଼ୁଥିବା ଭିଡ଼କୁ ବିଭିନ୍ନ ଛକ ସ୍ଥାନମାନଙ୍କରେ ସୁରକ୍ଷାରେ ନିୟୋଜିତ ଫୋର୍ସ ଓ ମାଜିଷ୍ଟ୍ରେଟ ନ ଅଟକାଇ ରଥ ଆଗରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି କରିବା, ଆମ୍ବୁଲାନ୍ସ ପ୍ରଭୃତି ଜରୁରୀକାଳୀନ ଗାଡ଼ି ଯିବା ନିମନ୍ତେ ସ୍ୱତନ୍ତ୍ର ସ୍ଥାୟୀ ମାର୍ଗ ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ନରଖି ମଝିରେ ରଖିବା ଓ ଗାଡ଼ି ଯିବା ବେଳେ ଠେଲାପେଲା ସୃଷ୍ଟି ହେବା, ଶ୍ରୀ ମାର୍ଗକୁ ଜରୁରୀକାଳୀନ ଗାଡ଼ି ଯାତାୟତ ନିମନ୍ତେ ବ୍ୟବହାର ନକରିବା ପ୍ରଭୃତି ଅଘଟଣର କାରଣ ହୋଇଛି । ଯାହାକୁ ନେଇ ଲୋକେ କ୍ଷୁବ୍ଧ ।

ଆହୁରି ପଢନ୍ତୁ-Ratha yatra 2026: ରଥାରୂଢ଼ ଦିଅଁଙ୍କ ସୁରୁଖୁରୁରେ ଚାଲିଛି ନୀତିକାନ୍ତି, ଆଉ କିଛି ସମୟରେ ବନ୍ଧା ହେବ ଚାରମାଳ

ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଅଘଟଣ ପାଇଁ କିଏ ଦାୟୀ ତାହା ସ୍ପଷ୍ଟ ହେଲାନି କିମ୍ବା କାର୍ଯ୍ୟାନୁଷ୍ଠାନ ହେଲାନି । ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରାର ସନ୍ଧ୍ୟା ସୁଧା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗଡ଼ି ନପାରିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ନୀତି ବିଳମ୍ବ କେଉଁ କାରଣ ପାଇଁ ହେଲା ଓ ଏହାକୁ ନେଇ କି କାର୍ଯ୍ୟାନୁଷ୍ଠାନ ପ୍ରଶାସନ ନେଲା ସେନେଇ ମଧ୍ୟ ସ୍ପଷ୍ଟତା ଆସିଲା ନାହିଁ । ଗତ ୩ ବର୍ଷ ଧରି ଲାଗି ରହିଥିବା ରଥଯାତ୍ରା ପରିଚାଳନା ବିଶୃଙ୍ଖଳାର କିପରି ଅନ୍ତ ହେବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ହଜିଗଲା ମାଳିନୀ ନଈ, ଲୁଚିଛି ରଥଯାତ୍ରାର ଇତିହାସ