ନୂଆଦିଲ୍ଲୀ,୨୯।୧୦: ରୁଷ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନ୍ୟୁକ୍ଲିଅର ପାଓ୍ବାରଡ୍ ଅଣ୍ଡରଓ୍ବାଟର ଟର୍ପିଡୋ ‘ପୋସାଇଡନ୍’ ର ସଫଳ ପରୀକ୍ଷଣ କରିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜେ ଏହାର ସୂଚନା ଦେବା ସହ ଏହାକୁ ବଡ଼ ସଫଳତା ବୋଲି କହିଛନ୍ତି। ପୁଟିନ୍ କହିଛନ୍ତି, ଅକ୍ଟୋବର ୨୮ ତାରିଖରେ, ରୁଷ ଆର୍କଟିକ୍ ମହାସାଗରରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନ୍ୟୁକ୍ଲିଅର ପାଓ୍ବାର୍ଡ ଅଣ୍ଡର ଓ୍ବାଟର ଭେଇକିଲ (UUV), ପୋସାଇଡନ୍ର ସଫଳତାର ସହିତ ପରୀକ୍ଷଣ କରିଛି। ସେ ଏହାକୁ ଏକ ପ୍ରମୁଖ ସଫଳତା ବୋଲି କହିଛନ୍ତି। ପୋସାଇଡନ୍ର ଶକ୍ତି ଆମର ସର୍ବବୃହତ ICBM, ସାରମତ୍ ଠାରୁ ଅଧିକ ଏବଂ ବିଶ୍ୱରେ ଏହାର କୌଣସି ସମକକ୍ଷ ନାହିଁ।
ପୁଟିନ କହିଛନ୍ତି, ଆେମ ଏହାକୁ ପ୍ରଥମ ଥର କେବଳ ବାହକ ବୁଡ଼ାଜାହାଜରୁ ଉତ୍କ୍ଷେପଣ କରିଛୁ। କେବଳ ସେତିକି ନୁହେଁ ପରମାଣୁ ଶକ୍ତି କେନ୍ଦ୍ରକୁ ମଧ୍ୟ ସକ୍ରିୟ କରିଛୁ, ଯାହା ଉପରେ ଡିଭାଇସଟି କିଛି ସମୟ ପାଇଁ କାର୍ଯ୍ୟ କରିଥିଲା। ଏହା ଏକ ବଡ଼ ସଫଳତା। ପୋସେଡନର ଶକ୍ତି ମହାଦେଶୀୟ କ୍ଷେପଣାସ୍ତ୍ର ସାର୍ମତ ଅପେକ୍ଷା ଅଧିକ। ଆମେରିକା ଏବଂ ରୁଷ ଉଭୟର ଅଧିକାରୀମାନେ ପୋସେଡନକୁ ପ୍ରତିଶୋଧମୂଳକ ଅସ୍ତ୍ରର ଏକ ନୂତନ ବର୍ଗ ଭାବରେ ବର୍ଣ୍ଣନା କରିଛନ୍ତି, ଯାହା ରେଡିଓଆକ୍ଟିଭ ସମୁଦ୍ର ତରଙ୍ଗ ସୃଷ୍ଟି କରିବାରେ ସକ୍ଷମ, ଯାହା ଉପକୂଳବର୍ତ୍ତୀ ସହରଗୁଡ଼ିକୁ ରହିବା ଯୋଗ୍ୟ କରିନପାରେ।
ପୋସାଇଡନ୍ ପାଣି ଭିତରେ ଲଞ୍ଚ କରାଯାଏ ଏବଂ ଶତ୍ରୁ ଜାହାଜ କିମ୍ବା କୂଳ ଉପରେ ଆକ୍ରମଣ କରେ, ତେଣୁ ଏହାକୁ ଟର୍ପିଡୋ ଭାବରେ ବର୍ଗୀକୃତ କରାଯାଇଛି। ପୋସାଇଡନ୍ ହେଉଛି ୨୦ ମିଟର ଲମ୍ବା, ୧୦୦ ଟନ୍ ଓଜନ,୧୦୦ ନଟ୍ ଦୃତ ଓ ଅସୀମିତ ପରିସର ଥିବା ପରମାଣୁ ରିଆକ୍ଟର ପରିଚାଳିତ ଅଟୋମେଟିକ୍ ଡ୍ରୋନ୍। ରୁଷ ଏହାକୁ ଏକ ଆନ୍ତଃମହାଦେଶୀୟ ପରମାଣୁ ଟର୍ପିଡୋ ବୋଲି କହୁଛି। ଏହି ପରମାଣୁ ଚାଳିତ ଡ୍ରୋନ୍ ସମୁଦ୍ରରେ ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଧ୍ୱଂସ କରିପାରିବ। ଏହା ୧୦ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ପରମାଣୁ ବିସ୍ଫୋରଣ ଦ୍ବାରା ସୁନାମି ଆଣିପାରେ।
ରୁଷର ପୋସାଇଡନର ଅସୀମିତ ଦୂରତା ଏବଂ ସମୁଦ୍ର ଉତ୍କ୍ଷେପଣ କ୍ଷମତା ଏହାକୁ ବିଶ୍ୱର ଯେକୌଣସି ଉପକୂଳୀୟ ଦେଶକୁ ଟାର୍ଗେଟ କରିଥାଏ।ଏହାର ପ୍ରାଥମିକ ଲକ୍ଷ୍ୟସ୍ଥଳ ହେଉଛି ଆମେରିକାର ପୂର୍ବ ଏବଂ ପଶ୍ଚିମ ଉପକୂଳ (ନ୍ୟୁୟର୍କ, ୱାଶିଂଟନ, ଲସ୍ ଆଞ୍ଜେଲସ୍, ସାନ ଫ୍ରାନ୍ସିସ୍କୋ), ବ୍ରିଟେନ (ଲଣ୍ଡନ, ପୋର୍ଟସମାଉଥ୍), ଫ୍ରାନ୍ସ (ବ୍ରେଷ୍ଟ, ମାର୍ସିଲି), ଜାପାନ (ଟୋକିଓ, ୟୋକୋହାମା), ଦକ୍ଷିଣ କୋରିଆ (ବୁସାନ, ସିଓଲ ଅଞ୍ଚଳ), ଅଷ୍ଟ୍ରେଲିଆ (ସିଡନି, ମେଲବୋର୍ଣ୍ଣ), ଏବଂ ନାଟୋର ୟୁରୋପୀୟ ଉପକୂଳ (ନରୱେ, ଜର୍ମାନୀ, ନେଦରଲ୍ୟାଣ୍ଡ)।