ନୂଆଦିଲ୍ଲୀ; ୧୯/୧ : ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ସବୁବେଳେ ବିଜେପି ଏବଂ ଆରଏସଏସକୁ ସମାଲୋଚନା କରିଥାନ୍ତି । ଏହାସହ ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥାନ୍ତି । ପୁଣିଥରେ ଟାର୍ଗେଟ କରି ରାହୁଲ ଗାନ୍ଧି କହିଛନ୍ତି କି, ଦେଶରେ ଆମେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ସବୁ ଦେଖୁଛନ୍ତି କିନ୍ତୁ କିଛି କହିବାର ସାହସ ରଖୁ ନାହାନ୍ତି । କିନ୍ତୁ ନୀରବତାରେ ମହାନ ରାଷ୍ଟ୍ର ଗଠନ ହୋଇନଥାଏ । ମହାନ ରାଷ୍ଟ୍ର ଗଠନ କରିବା ପାଇଁ ନିଜର ଚିନ୍ତାଧାରା ଏବଂ ମତ ପ୍ରକାଶ ସହ ଳଢ଼େଇ କରିବାକୁ ପଡ଼ିଥାଏ ।
ରାହୁଲ ଗାନ୍ଧି ନିଜର ଅଭିଭାଷଣରେ ଏହା ମଧ୍ୟ କହିଛନ୍ତି କି, "ନୀରବତାର ସଂସ୍କୃତି ଲୋଭର ଧାରଣାକୁ ଲୁଚାଇ ରଖେ। ଭାବନା ଏହା ହେବା ଜରୁରୀ କି, ଯେପର୍ଯ୍ୟନ୍ତ ମୋତେ ଆବଶ୍ୟକ ହେଉଥିବା ଜିନିଷ ନମିଳିଛି । ସେପର୍ଯ୍ୟନ୍ତ ଆମକୁ କିଛି ଫରକ ପଡ଼ିନଥାଏ କି, କଣ ହେଉଛି । ମୋତେ କିଛି କହିବା ଜରୁରୀ ନାହିଁ । ମୁଁ ଲୋକମାନଙ୍କୁ ଅପମାନିତ ହେଉଥିବା, ଲୋକମାନେ ମରୁଥିବା, ଲୋକମାନଙ୍କୁ ହତ୍ୟା କରାଯାଉଥିବାର ଦେଖିପାରୁଛି। ଯେପର୍ଯ୍ୟନ୍ତ ମୁଁ ଠିକ୍ ଅଛି, ସବୁକିଛି ଠିକ୍ ଅଛି । ଲୋଭର ଏପରି ସଂସ୍କୃତି ଏକ ଦେଶକୁ ମହାନ କରିପାରିବ ନାହିଁ।" ଏଭଳି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ ।
କେରଳ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ବିଜୟୋତ୍ସବ ୨୦୨୬ ମହାପଞ୍ଚାୟତକୁ ଉଦଘାଟନ କରିଛନ୍ତି ରାହୁଲ । ଏହି କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ଏହି ଅବସରରେ ଏଭଳି ନିଜର ପ୍ରତିକ୍ରିୟା ରଖିଛନ୍ତି ।କୋଚିର ମାରିନ୍ ଡ୍ରାଇଭରେ ଅନୁଷ୍ଠିତ ୟୁଡିଏଫ୍ ମହା ପଞ୍ଚାୟତରେ ପ୍ରାୟ ୧୫,୦୦୦ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସଂସ୍ଥା ନିର୍ବାଚନର ବିଜୟୀ ଏବଂ ପରାଜିତ ପ୍ରାର୍ଥୀମାନଙ୍କୁ ଦଳର ଭବିଷ୍ୟତ ଯୋଜନା ବିଷୟରେ ଅବଗତ କରାଇବା ଏବଂ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପାଇଁ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିବା। ତେବେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶଶି ଥରୁର ମଧ୍ୟ ଉପସ୍ଥିତ ଥିଲେ।