ନୂଆଦିଲ୍ଲୀ,୨।୨: ଡୋକଲାମରେ ଚୀନ୍ ସେନାର ଟ୍ୟାଙ୍କ ଭାରତୀୟ ସୀମା ନିକଟରେ ରହିଛି। ଚୀନ୍ ସହିତ ଏଲଏସିରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏହି ବୟାନ ଉପରେ ଲୋକସଭାରେ ସୃଷ୍ଟି ହୋଇଛି ପ୍ରବଳ ହଙ୍ଗାମା। ରାହୁଲଙ୍କ ଏହି ବିବୃତ୍ତିର କଡ଼ା ବିରୋଧ କରିଥିଲା ବିଜେପି, ଯାହା ଫଳରେ ଗୃହରେ ସୃଷ୍ଟି ହୋଇଥିଲା ଜୋରଦାର ହଙ୍ଗାମା। ରାହୁଲ କହିଛନ୍ତି, ପୂର୍ବତନ ସେନା ମୁଖ୍ୟ ମନୋଜ ନରଭଣେ ତାଙ୍କ ପୁସ୍ତକରେ ଏ ବିଷୟରେ ଦାବି କରିଛନ୍ତି। ସେ ତାଙ୍କ ପୁସ୍ତକରେ କହିଛନ୍ତି ଡୋକଲାମରେ ଚୀନ୍ ସେନାର ଟ୍ୟାଙ୍କ ଭାରତୀୟ ସୀମା ନିକଟରେ ରହିଛି। ରାହୁଲଙ୍କ ଏହି କଥାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କଡ଼ା ବିରୋଧ କରିଥିଲେ। ଏପରିକି ତାଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ।

ପ୍ରତିରକ୍ଷାମନ୍ତ୍ରୀ ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ଆପଣ କୁହନ୍ତୁ ଏହି ପୁସ୍ତକ ପ୍ରକାଶିତ ହୋଇଛି ନା ନାହିଁ। କୌଣସି ପୁସ୍ତକ ଆଧାରରେ ଏହି କଥା କହିହେବନି, ଯାହା ପ୍ରକାଶିତ ହୋଇନାହିଁ। ମୁଁ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଉଛି, ଏହି ବହି ପବ୍ଲିଶ ହୋଇଛି କି ନାହିଁ। ଅମିତ ଶାହ ମଧ୍ୟ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଆପତ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ, ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ ଲୋକସଭାରେ ଏଭଳି ପରିବେଶ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏଲଏସି ଏବଂ ଚୀନ୍ ଉପରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ପୂର୍ବତନ ସେନା ମୁଖ୍ୟ ନରଭଣେଙ୍କ ପୁସ୍ତକକୁ କଥା କହି ସେ କହିଥିଲେ, ଚୀନ୍ ସହିତ LAC ରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ଏହାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇପାରିବ ନାହିଁ। ଶାସକ ଦଳ ଏହି ବିବୃତ୍ତିର କଡ଼ା ବିରୋଧ କରିଥିଲା, ଯାହା ଫଳରେ ଗୃହରେ ବ୍ୟାପକ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ନିୟମାବଳୀ ଉଲ୍ଲେଖ କରି ତାଙ୍କୁ ବାଧା ଦେଇଥିଲେ। ଅଖିଳେଶ ଯାଦବ ଠିଆ ହୋଇ ଲୋହିଆ ଏବଂ ଜର୍ଜ ଫର୍ଣ୍ଣାଣ୍ଡିସ୍ ଙ୍କ କଥା ଉଠାଇ ଚୀନ୍ ପ୍ରସଙ୍ଗକୁ ସମ୍ବେଦନଶୀଳ ବୋଲି କହି ରାହୁଲଙ୍କୁ ଭାଷଣ ଜାରି ରଖିବାକୁ ଅନୁରୋଧ କରିଥିଲେ।

ଅଖିଳେଶ ଯାଦବ କହିଛନ୍ତି, ଦେଶ ପାଇଁ ଚୀନ୍ ପ୍ରସଙ୍ଗକୁ ଅତ୍ୟନ୍ତ ସମ୍ବେଦନଶୀଳ । ଯଦି ଜାତୀୟ ସ୍ୱାର୍ଥରେ କୌଣସି ପରାମର୍ଶ ଅଛି, ତେବେ ବିରୋଧୀ ଦଳ ଏହାକୁ ଗମ୍ଭୀରତାର ସହିତ ବୁଝିବା ଉଚିତ।ସେ ଡକ୍ଟର ରାମ ମନୋହର ଲୋହିଆ, ଜର୍ଜ ଫର୍ଣ୍ଣାଣ୍ଡିସ୍ ଏବଂ ମୁଲାୟମ ସିଂହ ଯାଦବଙ୍କ ଉଦାହରଣ ଦେଇ କହିଥିଲେ ଯେ ଏହି ସମସ୍ତ ବରିଷ୍ଠ ନେତା ସର୍ବଦା ଚୀନ୍ ବିରୁଦ୍ଧରେ ଚେତାବନୀ ଦେଇଛନ୍ତି।