ନୂଆଦିଲ୍ଲୀ,୩୦।୫: ଦେଶର ବହୁ ସେଣ୍ଟରରେ କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷାରେ ବିଳମ୍ବ ହେବା ଯୋଗୁଁ ଦେଶର ଅନେକ କେନ୍ଦ୍ରରେ ହଙ୍ଗାମା ହୋଇଥିଲା। ପରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଯାନ୍ତ୍ରିକ ତ୍ରୁଟି ଦର୍ଶାଇଥିଲା ଏବଂ ପରୀକ୍ଷା ଟିକେ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହା ରାଜନୈତିକ ବିତର୍କ ସୃଷ୍ଟି କରିଥିଲା। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ତାଚ୍ଛଲ୍ୟ କରି କହିଥିଲେ,ଆଜି ‘ନିଟ୍, ସିବିଏସଇ,ଏସଏସସି ଏବଂ CUET ଚାରୋଟି ପରୀକ୍ଷା, ଏକ କୋଟି ଛାତ୍ର, ଗୋଟିଏ ବି ସଚ୍ଚୋଟ ଭାବରେ ପରିଚାଳନା ହୋଇନି। ରାହୁଲ ଏକ୍ସରେ ଲେଖିଛନ୍ତି,ବିଶ୍ବଗୁରୁ ହେବାର ଦାବି କରୁଛନ୍ତି, କିନ୍ତୁ ଦେଶରେ ଗୋଟିଏ ବି ପରୀକ୍ଷା କରାଇ ପାରୁନାହାନ୍ତି - ମୋଦି ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେଇଛନ୍ତି। ଯେଉଁ ପିଢ଼ିର ଭବିଷ୍ୟତ ଆପଣ ନଷ୍ଟ କରୁଛନ୍ତି, ସେହି ପିଢ଼ି ଆପଣଙ୍କର ହିସାବ କରିବ।’
CUET-UG 2026 ପରୀକ୍ଷା ସମୟରେ, ଅନେକ ପରୀକ୍ଷା କେନ୍ଦ୍ରରେ ବୈଷୟିକ ସମସ୍ୟା ଦେଖାଦେଇଥିଲା, ଯାହା ଫଳରେ ପରୀକ୍ଷା ନିର୍ଦ୍ଧାରିତ ସମୟଠାରୁ ବିଳମ୍ବ ହୋଇଥିଲା। ଏନଟିଏ କହିଛି ଯେ ବୈଷୟିକ ସମସ୍ୟାର ସମାଧାନ କରାଯାଇଛି ଏବଂ କୌଣସି ପ୍ରାର୍ଥୀ ଅସୁବିଧାରେ ନ ପଡ଼ନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ପରୀକ୍ଷା ସମୟ ଦିଆଯାଇଛି।
ନିକଟରେ ନିଟ୍, ସିବିଏସ୍ଇ ଏବଂ ଏସଏସସି ସମ୍ବନ୍ଧୀୟ ବିବାଦ ପରେ, CUET ବିଳମ୍ବ ପୁଣି ଥରେ ପରୀକ୍ଷା ବ୍ୟବସ୍ଥା ବିଷୟରେ ବିତର୍କ ସୃଷ୍ଟି କରିଛି। ବିରୋଧୀ ଦଳ ସରକାର ଏବଂ ଶିକ୍ଷା ମନ୍ତ୍ରଣାଳୟକୁ ବାରମ୍ବାର ଜବାବ ମାଗୁଛି। ଅନ୍ୟପକ୍ଷେ ଏନ୍ଟିଏ ଦାବି କରୁଛି ଯେ, ପରୀକ୍ଷା ପକ୍ରିୟାକୁ ସୁଚାରୁ ରୂପେ କରିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉଛି। ଏନ୍ଟିଏ କହିଛି ,ସକାଳ ସିଫ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା ଏବଂ କୌଣସି ଛାତ୍ର ଅସୁବିଧାରେ ପଡ଼ି ନଥିଲେ। ଛାତ୍ର ଏବଂ ଅଭିଭାବକଙ୍କୁ ହୋଇଥିବା ଅସୁବିଧା ପାଇଁ ଏଜେନ୍ସି ମଧ୍ୟ କ୍ଷମା ପ୍ରାର୍ଥନା କରିଛି। ସହାୟତା ପାଇଁ ଏକ ହେଲ୍ପଲାଇନ୍ ନମ୍ବର, 91-11-40759000 ଏବଂ ଏକ ଇମେଲ୍ ଠିକଣା, [email protected] ମଧ୍ୟ ଜାରି କରାଯାଇଛି।