ନୂଆଦିଲ୍ଲୀ,୨୮/୧୦: ରାଜସ୍ଥାନର ରାଜଧାନୀ ଜୟପୁରରେ ବଡ ଅଘଟଣ। ସ୍ଲିପର ବସରେ ଲାଗିଲା ନିଆଁ । ଭୟାବହ ଅଗ୍ନିକାଣ୍ଡ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ପୋଡି ହୋଇଥିବା ସୂଚନା ମିଳିଛି। ତେବେ ବସଟି ୧୧ କେଭି ବିଦ୍ୟୁତ ତାର ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।  

ସୂଚନା ମୁତାବକ, ସ୍ଲିପର ବସ ଯୋଗେ ସମସ୍ତ ଯାତ୍ରୀ ଏକ ଇଟା ଭାଟିରେ କାମ କରିବାକୁ ଯାଉଥିଲେ। ହେଲେ  ଯିବା ସମୟରେ ଜୟପୁରର ମନୋହରପୁରରେ  ୧୧ କେଭି  ତାର ସହିତ ଧକ୍କା ହୋଇ ବସରେ ନିଆଁ ଲାଗିଯାଇଥିଲା। ଫଳରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ଘଟଣାସ୍ଥଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ସୂଚନା ପାଇ ମନୋହରପୁର ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଶାହପୁରା ଉପ-ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଭାବେ ପୋଡ଼ିଯାଇଥିବା ପାଞ୍ଚ ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜୟପୁରକୁ ରେଫର କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀର ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।ସେପଟେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।ମନୋହରପୁର ଦୁର୍ଘଟଣା ସମ୍ପର୍କରେ ଶାହପୁରା ପୁଲିସ ଷ୍ଟେସନ ଅଧିକାରୀ ହେମରାଜ  କହିଛନ୍ତି, "ଦୁଇ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଜୟପୁରକୁ ପଠାଯାଇଛି। ଚାରି ଜଣ ବର୍ତ୍ତମାନ ଶାହପୁରାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୧୧ କେଭି ତାର ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ତେବେ ସମସ୍ତ ଶ୍ରମିକ ଉତ୍ତର ପ୍ରଦେଶର ବରେଲିର ହୋଇଥିବା ବେଳେ ସେମାନେ ମନୋହରପୁରର ଏକ ଇଟାଭାଟିରେ କାମ କରୁଥିଲେ।"