ନୂଆଦିଲ୍ଲୀ,୨।୬: ଆସନ୍ତା ମାସ ବିସିସିଆଇକୁ ମିଳିବ ନୂତନ ଅଧ୍ୟକ୍ଷ। ବର୍ତ୍ତମାନର ଅଧ୍ୟକ୍ଷ ରୋଜର ବିନ୍ନିଙ୍କ ଶେଷ ହେବାକୁ ଯାଉଛି କାର୍ଯ୍ୟକାଳ । ତାଙ୍କ ସ୍ଥାନରେ ବିସିସିଆଇର ଅଧ୍ୟକ୍ଷ ହେବେ ରାଜୀବ ଶୁକ୍ଳା। ସେ ୩ ମାସ ପାଇଁ ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ ବା ବିସିସିଆଇକୁ ମିଳିବେ ନୂଆ ବସ୍। ବର୍ତ୍ତମାନର ଅଧ୍ୟକ୍ଷ ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତାଙ୍କ ସ୍ଥାନ ଦାୟିତ୍ବ ଗ୍ରହଣ କରିବେ ରାଜୀବ ଶୁକ୍ଳା। ୭୦ ବର୍ଷୀୟ ବିନ୍ନି ୧୯ ଜୁଲାଇରେ ଅବସର ଗ୍ରହଣ କରିବେ। ସେ ଯିବା ପରେ ଶୁକ୍ଳାଙ୍କ ହାତରେ ରହିବ ବୋର୍ଡର ନିୟନ୍ତ୍ରଣ। ତେବେ ସେପ୍ଟେମ୍ବରରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ହେବ। ସେତେବେଳେ ଶୁକ୍ଳାଙ୍କୁ ୬୬ ବର୍ଷ ହୋଇଯାଇଥିବ। ଏହି ସମୟରେ ସେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ଲଢି ପାରନ୍ତି। ବିନ୍ନି ଅକ୍ଟୋବର ୨୦୨୨ ରେ ବିସିସିଆଇର ମୁଖ୍ୟ ହୋଇଥିଲେ। ସେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ଗ୍ରହଣ କରିଥିଲେ। ୧୯ ଜୁଲାଇରେ ବିନ୍ନିଙ୍କୁ ୭୦ ବର୍ଷ ହେଉଛି। ଏହି ଦୃଷ୍ଟିରୁ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେଉଛି।
ଜଷ୍ଟିସ୍ ଲୋଧା କମିଟିର ସୁପାରିଶରେ ସର୍ବୋଚ୍ଚ ନ୍ୟାୟଳର ରାୟ ଅନୁସାରେ, ବିସିସିଆଷର କୌଣସି ପଦାଧିକାରୀ ୭୦ ବର୍ଷରୁ ଅଧକ ବୟସର ହୋଇଥିଲେ ରହିପାରିବେନି। ତେଣୁ ବିସିସିଆଇକୁ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ହେବ। ରାଜୀବ ଶୁକ୍ଳା ବର୍ତ୍ତମାନ ବିସିସିଆଇର ଉପାଧ୍ୟକ୍ଷ ଅଛନ୍ତି। ସେ ୨୦୨୦ ରୁ ଏହି ପଦରେ ଅଛନ୍ତି। ପରମ୍ପରା ଅନୁସାରେ, ଏଭଳି ସ୍ଥିତିରେ ବିସିସିଆଇର ସବୁଠାରୁ ବରିଷ୍ଠ ପଦାଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥାଏ। ତେଣୁ ଶୁକ୍ଳା ସେପ୍ଟେମ୍ବର ପର୍ଯ୍ୟନ୍ତ ଆଗାମୀ ନିର୍ବାଚନ ହେବା ପର୍ଯ୍ୟନ୍ତ ଏହି ପଦରେ ରହିବେ।’