ନୂଆଦିଲ୍ଲୀ,୨୧ \୭ : ଅଯୋଧ୍ୟା ରାମମନ୍ଦିରରେ ଦାନ ଅର୍ଥ ଚୋରି ମାମଲା ସଂପର୍କରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ କୋର୍ଟ ସମସ୍ତ ପକ୍ଷକୁ ଏହାକୁ ନେଇ ରାଜନୀତି ନ କରିବାକୁ କହିଛନ୍ତି । କୋର୍ଟଙ୍କ ଅନୁସାରେ, ଏହା ଏକ ଅପରାଧ ଘଟଣା ସଂପର୍କିତ ସାଧାରଣ ମାମଲା । ତଦନ୍ତ ନିରପେକ୍ଷ, ସ୍ୱତନ୍ତ୍ର ହେବା ସହ ଠିକ୍ ଦିଗରେ ଯେପରି ଆଗେଇ ପାରିବ ତାହା ସୁନିଶ୍ଚିତ କରିବା କୋର୍ଟଙ୍କ ଉଦ୍ଦେଶ୍ୟ । କୋର୍ଟ ରାଜନୀତି କରିବାର ସ୍ଥାନ ନୁହେଁ । ଏଥିସହ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ସାନି ବିଶେଷ ଯାଞ୍ଚ ଟିମ୍(ଏସ୍ଆଇଟି) ଗଢ଼ିବାକୁ କହିଛନ୍ତି । ଜଣେ ବରିଷ୍ଠ ଆଇପିଏସ୍ ତା’ର ନେତୃତ୍ୱ ନେବେ ।

ଅଦାଲତଙ୍କ ତତ୍ତ୍ୱାବଧାନରେ ମାମଲାର ସିବିଆଇ ତଦନ୍ତ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆକାଉଣ୍ଟ ସଂପର୍କରେ ସିଏଜି ଅଡିଟ୍ କରାଯିବା ଭଳି ଦାବିରେ ପିଟିସନର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଭି ମୋହନାଙ୍କ ଖଣ୍ଡପୀଠରେ ସେଥିନେଇ ଶୁଣାଣି ହୋଇଥିଲା। 

ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମୋହଟ୍ଟା କହିଥିଲେ ଯୋ,ଅଦାଲତଙ୍କ ଆଦେଶ ଅନୁସାରେ ରାଜ୍ୟ ସରକାର ଯାଞ୍ଚ ସର୍ମ୍ପର୍କିତ ଷ୍ଟାର୍ଟସ ରିପୋର୍ଟ ଦାଖଲ କରିଛନ୍ତି । ଏଯାବତ୍ ୮ ଜଣ ଗିରଫ ହୋଇଛନ୍ତି । ପ୍ରଥମେ ଏସଆଇଟି ମାମଲାର ତଦନ୍ତ କରୁଥିଲା । ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ କରୁଛି । ଏହି ପର୍ଯ୍ୟାୟରେ ଅଧିକ ସୂଚନା ସାର୍ବଜନୀନ କରିବା ଉଚିତ ହେବ ନାହିଁ । ଏହାପରେ ଖଣ୍ଡପୀଠ ୟୁପି ସରକାରଙ୍କୁ ସାନି ଏସଆଇଟି ଗଠନ ଲାଗି ନିର୍ଦ୍ଦେଶ ଦେଇଥିଲେ ।

ଏଭଳି ମାମଲାର ଯାଞ୍ଚ ନେଇ ପର୍ଯ୍ୟାପ୍ତ ଅନୁଭବ ଥିବା ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ତାର ନେତୃତ୍ବ ନେବେ । ସେହିପରି କୋର୍ଟ ଷ୍ଟାଟସ୍ ରିପୋର୍ଟ ଅନୁଧ୍ୟାନ କରିବା ପରେ ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରାମ ମନ୍ଦିର ଦାନ ଚୋରି ସମ୍ପର୍କରେ ସାମ୍ନାକୁ ଆସିବା ପରେ ଜୁନ୍ ୨୫ ତାରିଖରେ ଏଫଆଇଆର୍ ହୋଇଥିଲା । ଏଯାଏଁ ଏହି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଛି ।