ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରଣଜୀ ଟ୍ରଫି ପଞ୍ଚମ ରାଉଣ୍ଡ୍‌ : ବାରବାଟୀରେ ମହାରାଷ୍ଟ୍ରକୁ ଭେଟିବ ଓଡ଼ିଶା, କ୍ରମାନ୍ୱୟରେ ଇନିଂସ ପରାଜୟ ପରେ ଚାପରେ ଘରୋଇ ଦଳ

Published By : Rasmita Pradhan | November 13, 2024 8:29 AM

ଭୁବନେଶ୍ୱର/କଟକ, ୧୩/୧୧ : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫିର ପଞ୍ଚମ ରାଉଣ୍ଡ । ଏଲିଟ୍‌ ଗ୍ରୁପ୍‌ ଏ’ରେ ଘରୋଇ ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଭ୍ରମଣକାରୀ ମହାରାଷ୍ଟ୍ରକୁ ଭେଟିବ । ଚଳିତ ସିଜନରେ ପୂର୍ବରୁ ଖେଳିଥିବା ୪ଟି ମ୍ୟାଚ୍‌ରୁ ଓଡ଼ିଶା ମାତ୍ର ୪ ପଏଣ୍ଟ ପାଇ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ତ୍ରିପୁରା ବିପକ୍ଷ ମ୍ୟାଚ୍‌ ଧୋଇ ଯିବା ପରେ ବାରବାଟୀରେ ଦଳ ଜାମ୍ମୁକାଶ୍ମୀର ବିପକ୍ଷରେ ଇନିଂସ ଅଗ୍ରଣୀ ହାସଲ କରିଥିଲା । ମାତ୍ର ପରେ ଉଭୟ ବୋଲିଂ ଓ ବ୍ୟାଟିଂରେ ବିଫଳ ହୋଇ ବରୋଦା ଓ ମୁମ୍ବାଇ ବିପକ୍ଷରେ ଇନିଂସ ପରାଜୟର ସାମ୍ନା କରିଥିଲା । ଏହାପରେ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ ଓ ଓପନର ଅନୁରାଗ ଷଡ଼ଙ୍ଗୀଙ୍କୁ ଦଳରୁ ବାଦ ଦିଆଯାଇ ଡାହାଣହାତୀ ମିଡିୟମ ପେସ୍‌ ବୋଲର ତାପସ ଦାସଙ୍କୁ ଦଳରେ ସାମିଲ କରାଯାଇଛି । 

ସିଜନରେ ଓଡ଼ିଶା ଆଉ ୩ଟି ମ୍ୟାଚ୍‌ ଖେଳିବ । ଯଦି ମହାରାଷ୍ଟ୍ର ବିପକ୍ଷରେ ଦଳ ବିଜୟକୁ ପ୍ରତ୍ୟାବର୍ତ୍ତନ କରେ ତେବେ ଟେବୁଲରେ ଉପରକୁ ଉନ୍ନୀତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମହାରାଷ୍ଟ୍ର ପରେ ଦଳ ମେଘାଳୟ ଏବଂ ସର୍ଭିସେସକୁ ଭେଟିବ । ଏ ପର୍ଯ୍ୟନ୍ତ ସେମିତି କୌଣସି ବ୍ୟାଟର ନିୟମିତ ପ୍ରଦର୍ଶନ ଦେଇ ପାରି ନାହାନ୍ତି । ଯଦିଓ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଜାଶ୍ମୀର ବିପକ୍ଷରେ ଏବଂ ସନ୍ଦୀପ ପଟ୍ଟନାୟକ ମୁମ୍ବାଇ ବିପକ୍ଷରେ ଶତକ ହାସଲ କରିଥିଲେ । ବରୋଦା ଓ ମୁମ୍ବାଇ ବିପକ୍ଷରେ ଓଡ଼ିଶାର ବୋଲିଂ ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଥିଲା । ମହାରାଷ୍ଟ୍ର ବିପକ୍ଷରେ ଦଳକୁ ଅତି ସତର୍କତା ଅବଲମ୍ବନ କରିବାକୁ ହେବ । ଉଭୟ ବ୍ୟାଟର ଓ ବୋଲରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ନଚେତ ଏହି ମ୍ୟାଚ୍‌ ହାତଛଡ଼ା ହେଲେ ଓଡ଼ିଶା ହାତରେ ଆଉ ସୁଯୋଗ ରହିବ ନାହିଁ । 

କ୍ରମାନ୍ୱୟରେ ଦୁଇଟି ଇନିଂସ ପରାଜୟ ଦଳର ସବୁ ଦୋଷ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । କ୍ରିକେଟ୍‌ପ୍ରେମୀ ଆଦୌ ଖୁସି ନୁହଁନ୍ତି । ଖେଳାଳିଙ୍କ ପ୍ରଦର୍ଶନ ଓ ଦଳ ଚୟନକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି । ଗତ ଦୁଇଟି ସିଜନରେ ଦଳର ନୈରାଶ୍ୟପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ତେଣୁ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ ଓଡ଼ିଶା ପାଇଁ ବଡ଼ ଆହ୍ୱାନ ସଦୃଶ । ଯଦି ଦଳ ଏଥିରେ ଭଲ ପ୍ରଦର୍ଶନ କରୁଛି, ତେବେ ପ୍ରଶଂସକଙ୍କ ହୃଦୟ ଜିତିପାରିବ । ଭ୍ରମଣକାରୀ ମହାରାଷ୍ଟ୍ର ଗୋଟିଏ ବିଜୟ ଓ ଗୋଟିଏ ଡ୍ର’ ରଖି ମୋଟ୍‌ ୮ ପଏଣ୍ଟ ପାଇଛି ଏବଂ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି । ଯେଉଁ ଗୋଟିଏ ମ୍ୟାଚ୍‌ ଜିତିଛି ତାହା ମେଘାଳୟ ଠାରୁ । କାଶ୍ମୀର ବିପକ୍ଷରେ ଡ୍ର’ ରଖିଥିବାବେଳେ ମୁମ୍ବାଇ ଓ ସର୍ଭିସେସ ଠାରୁ ପରାଜିତ ହୋଇଛି । ଘରୋଇ ଦଳ ବିପକ୍ଷରେ ପୂରା ବିଜୟ ପଏଣ୍ଟ ହାସଲ କରିବା ନେଇ ଲକ୍ଷ୍ୟ ରଖିଛି । ଶେଷ ଥର ମହାରାଷ୍ଟ୍ର ୨୦୨୦ରେ ଓଡ଼ିଶାକୁ ୧୦ ୱିକେଟ୍‌ରେ ପରାଜିତ କରିଥିଲା । ଦଳ ପୂର୍ବ ରେକର୍ଡ ବଜାୟ ରଖିବାକୁ ପ୍ରୟାସ କରିବ । ଶେଷ ୫ଟି ମ୍ୟାଚ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଛନ୍ତି ଏବଂ ୩ଟି ମ୍ୟାଚ୍‌ ଅମୀମାଂସିତ ରହିଛି । 

ସମ୍ଭାବ୍ୟ ଓଡ଼ିଶା ଦଳ : ଗୋବିନ୍ଦ ପୋଦ୍ଦାର(ଅଧିନାୟକ), ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, କାର୍ତ୍ତିକ ବିଶ୍ୱାଳ, ସ୍ୱସ୍ତିକ ସାମଲ, ରାଜେଶ ଧୂପର(ୱିକେଟ ରକ୍ଷକ), ଆଶୀର୍ବାଦ ସ୍ୱାଇଁ(ୱିକେଟ ରକ୍ଷକ), ଅନୀଲ ପରିଡ଼ା, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତରଣୀ ସ, ହର୍ଷିତ ରାଥୋଡ, ସୁମିତ ଶର୍ମା, ତାପସ ଦାସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.