ଭୁବନେଶ୍ୱର, ୩।୬: ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ୩୨ଟି ଅବକାରୀ ରାଜସ୍ୱ ଜିଲ୍ଲାରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରୀ ଉଠାଣ ପ୍ରକ୍ରିୟା ଶେଷ ହୋଇଛି । ସବୁ ଅବକାରୀ ଜିଲ୍ଲାରେ ଜିଲ୍ଲାପାଳ କିମ୍ବା ଏଡିଏମ୍‌ ଲଟେରୀ ଉଠାଇଥିଲେ । ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଆଜି ଗୋଟିଏ ଦିନରେ ୯୬୦ଟି ବିଦେଶୀ ମଦ ଦୋକାନ ପାଇଁ ଲଟେରୀ କରାଯାଇ ଲାଇସେନ୍ସ ପାଇଥିବା ଆବେଦନକାରୀଙ୍କ ନାଁ ଘୋଷଣା କରାଯାଇଛି । ୧୧୦୯ଟି ମଦ ଦୋକାନ ପାଇଁ ୨୬ ହଜାର ୬ ଶହ ଜଣ ଆବେଦନ କରିଥିଲେ । ଲଟେରୀ ହୋଇଥିବା ୯୬୦ଟି ଦୋକାନ ମଧ୍ୟରୁ ୫୦% ବିହାରର ବ୍ୟବସାୟୀ ହାତେଇବାରେ ସଫଳ ହୋଇଛନ୍ତି । ୨୦୨୧ ମସିହାରେ ୧୨୯୭ଟି ମଦ ଦୋକାନ ପାଇଁ ୧୯୪୧୬ ଜଣ ଆବେଦନ କରିଥିଲେ । ସେତେବେଳେ ମଦ ଦାକାନ ଲାଇସେନ୍ସ ପ୍ରକ୍ରିୟାରେ ଲଟେରୀ ପାଇଁ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା । ଯାହାକି ନନ୍‌ ରିଫଣ୍ଡେବଲ୍‌ । ଅର୍ଥାତ୍‌ ଲାଇସେନ୍ସ ନମିଳିଲେ ଟଙ୍କା ଫେରସ୍ତ ନାହିଁ ।

ତେବେ ଏହାରି ଭିତରେ ସରକାର ଏକ ସର୍ତ୍ତ ରଖିଥିଲେ । ସର୍ତ୍ତ ଥିଲା ଯଦି ବାହାର ରାଜ୍ୟର ଯେଉଁ ବ୍ୟକ୍ତି ଲଟେରୀରେ ଭାଗ ନେବେ ସେମାନଙ୍କର ଓଡ଼ିଶାରେ ଜମି କି ଘର ଥିବା ନିହାତି ଆବଶ୍ୟକ । ହେଲେ ଚଳିତ ଥର ମଦ ଦୋକାନ ଲଟେରୀରେ ଏ ବ୍ୟବସ୍ଥା ରଖାଗଲାନାହିଁ । ଏହାବାଦ ଏମ୍‌ଜିକ୍ୟୁ(ମିନିମମ୍‌ ଗ୍ୟାରେଣ୍ଟେଡ୍‌ କୋଟା) ବଦଳରେ ଏମ୍‌ଜିଆର (ମିନିମମ୍‌ ଗ୍ୟାରେଣ୍ଟେଡ୍‌ ରେଭିନ୍ୟୁ) ଲାଗୁ କଲେ । ଲଟେରୀ ଆବେଦନ ଫି ବଢ଼ାଇ ଦେଲେ । ୨୦୨୬ରେ ସରକାର ଦେଶୀ ମଦ ଦୋକାନ ପାଇଁ ୨ ଲକ୍ଷ ଏବଂ ବିଦେଶୀ ଠିପି ବନ୍ଦ ଦୋକାନ ପାଇଁ ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ । ଯାହା ନନ୍‌ ରିଫଣ୍ଡେବଲ୍‌ ।  ଏହାପରେ ମଧ୍ୟ ମଦ ଦୋକାନ ପାଇଁ ରେକର୍ଡ ସଂଖ୍ୟକ ବ୍ୟବସାୟୀ ଲଟେରୀରେ ଭାଗ ନେଲେ । ୧୧୦୯ଟି ଦୋକାନ (ଦେଶୀ ଓ ବିଦେଶୀ ଠିପି ବନ୍ଦ) ପାଇଁ ପ୍ରାୟ ୨୬ ହଜାର ୬ ଶହରୁ ଅଧିକ ବ୍ୟକ୍ତି ଆବେଦନ କରିଥିଲେ । ଏଥିରୁ ସରକାର ପାଖାପାଖି ୮ ଶହ କୋଟି ରାଜସ୍ୱ ଆଦାୟ କଲେ । ଚଳିତ ବର୍ଷ ଲଟେରୀରେ ରାଜ୍ୟ ବାହାରର ଲୋକଙ୍କ ପାଇଁ କୌଣସି ନିୟମ ନଥିଲା ।

ଫଳରେ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ପଶ୍ଚିମବଙ୍ଗର ବ୍ୟବସାୟୀ ଲଟେରୀରେ ଭାଗ ନେଇଥିଲେ । ଘର ଜମି ବାଧ୍ୟତାମୂଳକ ନଥିବାରୁ ରାଜ୍ୟ ବାହାରର ମାଫିଆମାନେ ମନଇଚ୍ଛା ଆବେଦନ କରିଥିଲେ । ବିହାରର ଲୋକମାନେ ଶହ ଶହ ସଂଖ୍ୟାରେ ଲଟେରୀରେ ଭାଗ ନେଇଥିଲେ । ଲଟେରୀ ହୋଇଥିବା ଦୋକାନ ମଧ୍ୟରୁ ୫୦% ଦୋକାନ ବିହାରୀ ବ୍ୟବସାୟୀ ପାଇଛନ୍ତି । ଏହାକୁ ନେଇ ରାଜ୍ୟର ମଦ ବ୍ୟବସାୟୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।  ଭୁବନେଶ୍ୱରରେ ୫୦ଟି ଦୋକାନ ମଧ୍ୟରୁ ୨୨ଟି ବିହାରର ବ୍ୟବସାୟୀଙ୍କ ହାତକୁ ଯାଇଛି । କଟକରେ ୨୮, ପୁରୀରେ ୭, ଝାରସୁଗୁଡ଼ାରେ ୧୦, ମୟୂରଭଞ୍ଜରେ ୧୮, ଯାଜପୁରରେ ୧୫, ନୟାଗଡ଼ ୯ଟି ଦୋକାନୀ ବିହାରୀଙ୍କ ହାତକୁ ଯାଇଛି । କେବେଳ ଏତିକି ନୁହେଁ ପଶ୍ଚିମ ଓଡ଼ିଶାରେ ଏକାଧିକ ଦୋକାନୀ ବି ବିହାରୀମାନେ ଚଳାଇବେ । ତେବେ ଏମାନଙ୍କୁ ଲାଇସେନ୍ସ ନେବା ପୂର୍ବରୁ ୧୦ ଲକ୍ଷ ଟଙ୍କର ଏକ ଗ୍ୟାରେଣ୍ଟି ବଣ୍ଡ୍‌ ଦେବାକୁ ପଡ଼ିବ । ବିଭିନ୍ନ କାରଣ ପାଇଁ ପ୍ରାୟ ୧୯୪ଟି ବିଦେଶୀ ମଦ ଦୋକାନ ପାଇଁ ଲଟେରୀ କରାଯାଇନି । କିଛି ଦୋକାନ ପାଇଁ ଆବେଦନ ଆସିନଥିବା ବେଳେ ଆଉ କିଛି ଦୋକାନକୁ କୋର୍ଟରେ ମାମଲା ରହିଥିବାରୁ ଏଭଳି ହୋଇଛି ।

ଅନ୍ୟପଟେ ପ୍ରାୟ ୨୧୦ଟି ଦେଶୀ ମଦ ଦୋକାନ ପାଇଁ ମଧ୍ୟ ଏବର୍ଷ ଲଟେରୀ ମାଧ୍ୟମରେ ଲାଇସେନ୍ସ ଆବଣ୍ଟନ କରାଯାଇଛି । ବାଲେଶ୍ୱରରେ ମୋଟ ୫୪ ଦୋକାନ ପାଇଁ ୫୮୫ ଜଣ ଆବେଦନ କରିଥିଲେ, ମୟୂରଭଞ୍ଜରେ ୫୬ ଦୋକାନ ପାଇଁ ୩୫୭ ଜଣ, ଭଦ୍ରକରେ ୪୯ ଦୋକାନ ପାଇଁ ୬୪୦ ଜଣ, ବଲାଙ୍ଗୀରରେ ୨୧ ଦୋକାନ ପାଇଁ ୫୩୨ ଜଣ, ରାଉରକେଲାରେ ୩୨ଟି ଦୋକାନ ପାଇଁ ୯୪୦ଜଣ ଆବେଦନ କରିଥିଲେ । ଭୁବନେଶ୍ୱର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଓ ବ୍ରହ୍ମପୁରରେ ଗୋଟିଏ ଗୋଟିଏ ଦୋକାନ ପିଛା ୧୪୦ରୁ ୧୬୦ ଜଣ ଆବେଦନ କରିଥିଲେ ।

ଆହୁରି ପଢ଼ନ୍ତୁ... ମଦ ଦୋକାନ ପାଇଁ ମହାଲଢ଼େଇ: ୨୧ ପାଇଁ ୫୩୨ ଆବେଦନ, ଅବକାରୀ ପେଡ଼ିକୁ ଆସିଲା ୧୬ କୋଟି !