ନୂଆଦିଲ୍ଲୀ,୧୦/୧୦:  ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କ । ବାର୍ଦ୍ଧକ୍ୟଜନିତ ସମସ୍ୟା କାରଣରୁ ସେ ଗତ କିଛି ଦିନ ହେବ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗତକାଲି ବିଳମ୍ବିତ ରାତିରେ ୮୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ  ସବୁଠି ଶୋକର ଛାୟା ।ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ରାଜନେତା, ବ୍ୟବସୟୀ ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଭାରତ ଜଣେ ଆଇକନଙ୍କୁ ହରାଇଛି। ଦେଶ ପାଇଁ ତାଙ୍କର ଅବଦାନ ଅମୂଲ୍ୟ ଅଟେ। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏକ୍ସରେ ଲେଖିଛନ୍ତି ଆତ୍ମନିର୍ଭରଶୀଳ ଭାରତ ଗଠନରେ ତାଙ୍କର ଅବଦାନ ଭାରତ ତଥା ବାହାରେ ଉଦ୍ୟୋଗୀମାନଙ୍କ ପାଇଁ ସବୁଦିନ ପାଇଁ ପ୍ରେରଣା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ରତନ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ । ଦୟାଳୁ ଆତ୍ମା ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ବାରମ୍ବାର ଭେଟିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପଶୁ କଲ୍ୟାଣ ଭଳି କେତେକ କାରଣ ପାଇଁ ସେ ଚାମ୍ପିୟନ ହୋଇଥିଲେ।

ସେହିପରି ପ୍ରତିରକ୍ଷା ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ ନିଜ ସୋସିଆଲ ମିଡିଆ ଏକ୍ସରେ ଶୋକ ବାର୍ତ୍ତା ଦେବା ସହ ରତନ ଟାଟାଙ୍କୁ ମନେ ପକାଇଛନ୍ତି।ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଏକ୍ସରେ ଶୋକବାର୍ତ୍ତା ଜଣାଇଛନ୍ତି।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସେ ବ୍ୟବସାୟ ଓ ପରୋପକାରରେ ଏକ ଉଲ୍ଲେଖନୀୟ ଛାପ ଛାଡିଛନ୍ତି । ରତନ ଟାଟା କେବଳ ବ୍ୟବସାୟୀ ନ ଥିଲେ, ପରୋପକାରୀ ଓ ସମାଜସେବୀ ମଧ୍ୟ ଥିଲେ ।  ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଶୋକ ପ୍ରକାଶ କରି କହିଛନ୍ତି, ଏହା ଭାରତ ଓ ଭାରତୀୟ ଉଦ୍ଦ୍ୟେଗୀ ଜଗତ  ପାଇଁ ବହୁତ ଦୁଃଖଦ  ଦିନ ।  ରତନ ଟାଟାଙ୍କ ଦେହାନ୍ତ କେବଳ ଟାଟା ଗ୍ରୁପ୍ ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ କ୍ଷତି। ବ୍ୟକ୍ତିଗତ ସ୍ତରରେ ରତନ ଟାଟାଙ୍କ ଦେହାନ୍ତ ମୋତେ ବହୁତ ଦୁଃଖ ଦେଇଛି। ମୁଁ ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଛି, ତାଙ୍କ ସହିତ ମୋର ଅନେକ ପାରସ୍ପରିକ ସମ୍ପର୍କ ମୋତେ ପ୍ରେରଣା ଦେଇଛି । ତେବେ ରତନ ଟାଟାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ ଶିଳ୍ପପତି ମଧ୍ୟ ଶୋକ ପ୍ରକାଶ କରିଛନ୍ତି।