ପୁରୀ,୦୨/୦୬: ନେତ୍ରୋତ୍ସବରେ ସିଂହଦ୍ୱାରକୁ ଗଡ଼ିବ ନିର୍ମାଣକାରୀଙ୍କ ଦ୍ୱାରା ପ୍ରସ୍ତୁତ ରଥ । ସେଦିନ ସିଂହଦ୍ୱାର ଠାରେ ରଥ ରହିବା ସ୍ଥଳୀକୁ ଚାହିଁ ଦିଗ ନିର୍ଣ୍ଣୟ କରାଯାଇ ସୋମବାର ଚକ ଅଖ ଥାକ ହେଲା । ଦଣ୍ଡା ଫ୍ରେମ୍ରୁ ମାପ ଆସି ବତା ସାହାଯ୍ୟରେ ମାପଚୁପ ହୋଇ ଚକ ଓ ଅଖ ଥୟ ହେଲା । ପରେ ଚକରେ ବନ୍ଧ ଓ ଅଖ ମେଣ୍ଢି ଦିଆଗଲା । ସନ୍ଧ୍ୟା ସୁଦ୍ଧା ବିଶ୍ୱକର୍ମା ଓ ଭୋଇ ସେବକ ମିଶି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଚାଳିରେ ପୋଲ ଗୟଳ କାର୍ଯ୍ୟ ଓ ରୂପକାରଙ୍କ ମୂର୍ତ୍ତି ଖୋଦେଇ କାର୍ଯ୍ୟ ଜାରି ରହିଛି । ମଙ୍ଗଳବାର ଦଣ୍ଡା ଉଠାଇ ରଥର ମୂଳଦୁଆ ପଡ଼ିବ କୁହନ୍ତି ନିର୍ମାଣକାରୀ ।
୩୬ ବର୍ଷ ହେଲା ରଥ ନିର୍ମାଣ କରୁଥିବା ବଡ଼ବାଡ଼ର ଦକ୍ଷ ବିଶ୍ୱକର୍ମା ଶତ୍ରୁଘ୍ନ ମହାରଣା କୁହନ୍ତି, ସିଂହଦ୍ୱାରଠାରେ ତିନି ରଥର ଭିନ୍ନ ଭିନ୍ନ ରହିବା ସ୍ଥାନକୁ ଚାହିଁ ରଥ ପ୍ରସ୍ତୁତ ସ୍ଥଳିର ଆଗପଛରେ ଖୁଣ୍ଟ ପୋତାଯାଇ ଦଉଡ଼ି ବନ୍ଧାଗଲା । ଦଉଡ଼ିି ଦିଗକୁ ଚାହିଁ ପ୍ରଥମ ନାହାକା ଅଖ ଓ ଚକ ସ୍ଥିର ହେଲା । ପୂର୍ବରୁ ପ୍ରସ୍ତୁତ ଦଣ୍ଡା ଫ୍ରେମ୍ରୁ ବତା ସାହାଯ୍ୟରେ ମାପ ଆସି ସମସ୍ତ ଚକ ଅଖର ପ୍ରକୃତ ସ୍ଥାନ ଧାର୍ଯ୍ୟ ହେଲା । ନାହାକା ଚକ ଅଖ ପାଖକୁ ପଡ଼ିନାହାକା, ପାଖକୁ ବଡ଼ଉଛୁଳା ଓ ତା’ପାଖକୁ ସାନଉଛୁଳା ଚକ ସ୍ଥିର ହେଲା । ଧାର୍ଯ୍ୟ ସ୍ଥିତିରୁ ଚକ ନଗଡ଼ିବା ପାଇଁ ଚକର ଉଭୟ ପଟେ ବନ୍ଧ (ବର ଡାଳ) ଦିଆଗଲା ।
ଅଧିକ ପଢ଼ନ୍ତୁ :- Crematorium woman : ଉଦ୍ଧାର ହେବେ 'ମଶାଣି ମଣିଷ', ମୋନାଙ୍କ ଦୁଃଖ ବୁଝିବେ ସରକାର
ସେହିପରି ଅଖକୁ ବଳ ଯୋଗାଇବାକୁ ତଳେ ଦିଆଗଲା ମେଣ୍ଢି (ଧଉରା ଗଣ୍ଡି) । ରଥ ନିର୍ମାଣ ଅବସରରେ ବହୁ ନିର୍ମାଣକାରୀ ରଥରେ ଚଢ଼ିବା ସହ ଓଜନିଆ କାଠ ଖଣ୍ଡ ମାନ ଉପରକୁ ଯିବ । ସବୁର ଭାରା ରହିବ ଅଖ ଉପରେ । ନେତ୍ରୋତ୍ସବ ଦିନ ମେଣ୍ଢି ଓ ବନ୍ଧ କାଢ଼ି ରଥତ୍ରୟ ଟଣାହୋଇ ସିଂହଦ୍ୱାର ନିକଟରେ ପହଞ୍ଚିବ । କରତି ସେବକ ଗୟଳ ଚିରଟ ଓ ଓଝା ସେବକମାନେ ଲୌହ ସାମଗ୍ରୀ ତିଆରୁଛନ୍ତି । ଆଜି ବରିଷ୍ଠ ଅଧିକାରୀମାନେ ରଥଖଳା ପରିଦର୍ଶନ କରି ରଥ ନିର୍ମାଣ ନେଇ ଆଲୋଚନା କରିଥିବା ନିର୍ମାଣକାରୀ କୁହନ୍ତି ।