ବାଲେଶ୍ୱର, ୦୨/୦୬ : ଅସହାୟ ମୋନାଙ୍କ ଦୁଃଖ ବୁଝିବେ ସରକାର । ମଶାଣିରୁ ଉଦ୍ଧାର ହେବେ । ଥଇଥାନ କରିବା ସହ ସରକାରୀ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ହୋଇଛି । ଗତ ମେ’ ୨୦ରେ ‘ପ୍ରମେୟ’ରେ ‘ମଶାଣି ମଣିଷ ମୋନା ମାଝୀ’ ଶୀର୍ଷକ ସ୍ୱତନ୍ତ୍ର ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ବିଳମ୍ବରେ ହେଉ ପଛେ ମୋନାଙ୍କ ପାଖରେ ପହଞ୍ଚିଛି ପ୍ରଶାସନ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ମୋନାଙ୍କ ଥଇଥାନ ପାଇଁ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କୁ କ’ଣ ସରକାରୀ ସୁବିଧା ଯୋଗାଇ ଦିଆଯାଇଛି ସେ ସମ୍ପର୍କିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ କୁହାଯାଇଛି । ମଙ୍ଗଳବାର ପୌରପାଳିକା ପକ୍ଷରୁ ମୋନାଙ୍କୁ ଉଦ୍ଧାର କରାଯିବ ବୋଲି ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ (ଏସ୍ୟୁଏଚ୍)ର ଇନ୍ଚାର୍ଜ ସାବିତ୍ରୀ ମିଶ୍ରଙ୍କ ସୂତ୍ରରୁ ଜଣାପଡ଼ିଛି ।
ବାଲେଶ୍ୱର ମ୍ୟୁନିସିପାଲିଟି ୨୪ନଂ. ୱାର୍ଡ ବାଲିଘାଟ ମଶାଣିର ଏକ ଭଙ୍ଗା ଘରେ ୭ ବର୍ଷ ହେଲା ରହି ଆସୁଛନ୍ତି ମୋନା । ଶିଆଳ, କୁକୁରଙ୍କ ସହ ଭୟଭୀତ ପରିବେଶରେ ତାଙ୍କ ଜୀବନ କଟୁଛି । ମୋନା ଶବ ସତ୍କାର ପାଇଁ ଆସୁଥିବା ଛିଣ୍ଡା ରେଜେଇ, କପଡ଼ା ବ୍ୟବହାର କରୁଛନ୍ତି । ମାଲହାଣ୍ଡିରୁ ଖାଦ୍ୟ ଖାଉଛନ୍ତି । ଛିଣ୍ଡା ଶାଢ଼ି ପିନ୍ଧି ଜୁଇ ନିଆଁ ଆଖପାଖରେ ଘୂରି ବୁଲୁଛନ୍ତି । ଏ ସମ୍ପର୍କିତ ଖବର ପ୍ରକାଶ ପାଇବାର ୨୪ ଘଣ୍ଟା ମଧ୍ୟରେ ଦେୱାନୀ ଅଦାଲତରେ କେସ୍ ହୋଇଥିଲା । ଗତ ୨୨ ତାରିଖ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ନିଜ ତରଫରୁ ପଦକ୍ଷେପ ନେଇ ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବାଲେଶ୍ୱର ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ପାଇଁ ଚିଠି କରିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପୂର୍ବକ ମେ ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଧାର୍ଯ୍ୟ ସମୟ ଅବଧିକୁ ଦୁଇଦିନ ଅତିକ୍ରାନ୍ତ ହୋଇସାରିଛି । ହେଲେ ଅଦ୍ୟାବଧି ମୋନାଙ୍କୁ ଉଦ୍ଧାର କିମ୍ବା ଘଟଣା ସମ୍ପର୍କରେ ଯାଞ୍ଚ କରାଯାଇନାହିଁ ।
ଆହୁରି ପଢନ୍ତୁ-Crematorium woman : ପରିବାର ଥାଇ ବେସାହାରା, ୭ ବର୍ଷ ହେଲା ଶ୍ମଶାନରେ ବିତୁଛି ମହିଳାଙ୍କ ଜୀବନ
ଏ ସମ୍ପର୍କରେ ପୌରପାଳିକାର ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ(ଏସ୍ୟୁଏଚ୍)ର ଇନ୍ଚାର୍ଜ ସାବିତ୍ରୀ ମିଶ୍ର କହିଛନ୍ତି, ୨-୩ ଦିନ ପୂର୍ବରୁ ଚିଠି ଆସିଥିଲା । ପୁନର୍ବାର ସୋମବାର ଚିଠି ଆସିଛି । ମଙ୍ଗଳବାର ପୌରପାଳିକା ପକ୍ଷରୁ ଟିମ୍ ସହିତ ମୋନାଙ୍କୁ ଉଦ୍ଧାର କରାଯିବ । ବାଲେଶ୍ୱର ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସମ୍ପାଦକ ସୁମନ ଜେନା କହିଛନ୍ତି, ସାମାଜିକ ନ୍ୟାୟ ପ୍ରଦାନ ସମ୍ପର୍କିତ ଘଟଣାଗୁଡ଼ିକ ତଦନ୍ତ ଦାୟିତ୍ୱ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଏ । ଜିଲ୍ଲାପାଳ ଏହାର ସମୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ନେଇଥାଆନ୍ତି । ମୋନା ମାଝୀଙ୍କ କ୍ଷେତ୍ରରେ ମଧ୍ୟ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବାଲେଶ୍ୱର ପୌରପାଳିକା ସମେତ ନିର୍ବାହୀ ଅଧିକାରୀଙ୍କୁ ଚିଠି କରାଯାଇଛି ।
୭ ଦିନ ଅନ୍ଧକାର ଘୋଟିବ, ବଇରି ଷ୍ଟେସନରେ ଇଞ୍ଜିନ ଫାଟିବ || ମାଳିକା କହେ…!||