ପୁରୀ,୦୩/୦୬: ସୋମବାର ରଥ ନିର୍ମାଣ ନେଇ ତତ୍ପରତା ସାଙ୍ଗକୁ  ନବବିବାହିତ ଦେବଦମ୍ପତିଙ୍କ ଆଗମନ ପାଇଁ ରଥ ଖଳା ଥିଲା ବେଶ୍‌ ଚଳଚଞ୍ଚଳ । ରାତିରେ ରଥ ଖଳାରେ ପାଞ୍ଚପାଣ୍ଡବଙ୍କୁ ପନ୍ତି ଭୋଗ ଅର୍ପଣ କରାଯାଇଥିଲା ।  ନିର୍ମାଣକାରୀମାନେ ସେଥିପାଇଁ ସ୍ୱତନ୍ତ୍ର ପନ୍ତି ଘର ନିର୍ମାଣ କରି ଭଳିକି ଭଳି  ଫଳ ଓ ପୁଷ୍ପରେ ସୁସଜ୍ଜିତ କରିଥିଲେ । ଦେବଦମ୍ପତି ରଥ ଖଳାରେ ଏକତ୍ର  ହେଲା ପରେ ସମସ୍ତଙ୍କୁ ଏକାଠି ଭୋଗ ଅର୍ପଣ କରାଯାଇଥିଲା । ଏପଟେ ରଥ ଖଳାରେ ରଥର ଜଗତପୃଷ୍ଠ ଶେଣୀ ତିଆରି ଆରମ୍ଭ ହୋଇଛି । ଏଥିସହ  ବିଶ୍ୱକର୍ମାମାନେ ଗୟଳ ହାଣି ଚଉପଟ କରୁଛନ୍ତି । ରଥ ଚଟାଣ ପ୍ରସ୍ତୁତି ପୂର୍ବରୁ  ଗୟଳ ପଡ଼ିବ । ତାଳଧ୍ୱଜ ରଥର ପୋଲ ଗୟଳ ହଣା ସମୟରେ ଏକ ୪୦  ଫୁଟିଆ କାଠ ପୋଲା ପଡ଼ିବାରୁ ବଦଳାଯାଇ ଏକ ନୂଆ କାଠ ନିର୍ମାଣକାରୀଙ୍କୁ  ଯୋଗାଗଲା । ଉକ୍ତ କାଠରେ ପୋଲ ଗୟଳ ନିମାଣ ଆରମ୍ଭ ହୋଇଛି । 

ବିଶ୍ୱକର୍ମାମାନେ ରଥର ଜଗତପୃଷ୍ଠ  ଶେଣୀ ହାଣୁଛନ୍ତି । ରଥତ୍ରୟରେ ୫ଟି  ଲେଖାଏଁ ଶେଣୀ ରହିଥାଏ । ଜଗତପୃଷ୍ଣ  ଶେଣୀ ଉପରେ ରହିବ ଠାକୁରଙ୍କ ସିଂହାସନ । ରଥଖଳାରେ ଚଉତା  କାଠ ସାଇତା ରହିଛି । ଭୂଇଁ କାଠକୁ ଚଉତା କୁହାଯାଉଛି । ଚଉତା କାଠରେ  ବିନ୍ଧ କରାଯାଇଛି। ଏପଟେ ରଥ ଖଳାରେ ଗୟଳ ହାଣୁଛନ୍ତି ବିଶ୍ୱକର୍ମା । ଦଣ୍ଡା  ଫ୍ରେମ କଳସା ପରେ ନମ୍ବରିଂ କରି ଖୋଲି ଦିଆଯିବ । ଆଗକୁ ଅଖ ଉପରେ ସେହି ନମ୍ବରିଂ ଅନୁସାରେ ଦଣ୍ଡା ଖଞ୍ଜାଯିବ । ଦଣ୍ଡା ଉପରେ ଗରଗରା ରହିଲେ  ଚାରି ନାହାକା ଉଠିବ । ରଥର ଗୋଟିଏ ଲେଖାଏଁ ଧ୍ୱଜବତା କାର୍ଯ୍ୟ ସରିଛି ।  କରତି ସେବକ ଗୟଳ ଚିରଟ କରିବାପରେ ବିଶ୍ୱକର୍ମାମାନେ ରଥଖଳାରେ  ଏହାକୁ ଚଉପଟ କରୁଛନ୍ତି । 

ରୂପକାର ସେବକମାନେ ରଥାଂଶରେ ଅଳଙ୍କରଣ  କାର୍ଯ୍ୟ ଜାରି ରଖିଛନ୍ତି । ଅସ୍ଥାୟୀ ଶାଳରେ ଓଝା ସେବକମାନେ ଦଣ୍ଡା ବିଡ଼ିଆ  କଣ୍ଟା, ଗୟଳ କଣ୍ଟା, ଗରଗରା କଣ୍ଟା ଆଦି ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।  ଏଥିସହ ଠାକୁରଙ୍କ ନୀତି ପାଇଁ ପାହିମହାରଣାଙ୍କ ଦ୍ୱାରା ବେଶ ଘୋଡ଼ିଆ ଓ  ଫୁଲ ଚାଙ୍ଗଡ଼ା ଫ୍ରେମ୍‌ ଆଦି ସାମଗ୍ରୀ ତିଆରି ହେଉଥିବା ଶ୍ରୀମନ୍ଦିର ପ୍ରଶାସନ  ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି।