ପୁରୀ,୧୧/୦୬: ତିନି ରଥରେ ଖଦିଓରା ପଡ଼ି ଚଉଦନାହାକା ବୁଲିଲା । ପ୍ରଥମେ ତିନି ରଥର ଦଣ୍ଡା ଉପରେ ଖଦିଓରା (ନଡ଼ିଆ କାଠର ଗଡ଼) ଖଞ୍ଜାଗଲା । ଖଦିଓରା ବିନ୍ଧରେ ରହିଲା ଚଉଦନାହାକା । ଚାରିନାହାକାର ଚତୁଃପାଶ୍ୱର୍ରେ ଚଉଦନାହାକା ରଖାଗଲା । ପରେ ରଥରେ ଟୁଙ୍ଗୁରା ହେଲା ପ୍ରଥମ ଓ ଦ୍ୱିତୀୟ ଭୂଇଁ । ମୁଖ୍ୟ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକ୍ରମେ ଭୋଇସେବକମାନେ ରଥରେ କାଠ ସବୁ ଖଞ୍ଜିଥିଲେ ।

ଚାରିନାହାକା ଓ ଛଅ କାଠକୁ ଦୃଷ୍ଟି ଦେଇ ଚଉଦନାହାକା ବୁଲିଥିଲା । ଚଉଦନାହାକାର ସାଲକୁ ଖଦିଓରାର ବିନ୍ଧରେ ଭୁଞ୍ଜାଗଲା । ଗୋଟିଏ ଖଦି ଓରାରେ ଦୁଇଟି ବିନ୍ଧ ହୋଇଥିଲା। ୧୪ ନାହାକାରୁ ୧୦ଟି ଖଦିଓରା ଉପରେ ରହିଲା । ବାକି ୪ଟିର ନାମ ହେଉଛି ଚଢ଼େଇ । ଏହାପରେ ସାଇତା ହୋଇଥିବା ଭୂଇଁ କାଠ ସବୁ ରଥରେ ଖଞ୍ଜା ହେଲା। ତିନି ରଥର କାମରେ ଥିଲା ସମନ୍ୱୟ । ପ୍ରଥମ ଭୂଇଁ ଛଅ କାଠ ଚାରି ପାଶ୍ୱର୍ରେ ୨୪ଟି ପାଖୁଡ଼ା ଏବଂ ୧୬ଟି ଛିଆଣ ଲାଗିଲା । ଏହି ପାଖୁଡ଼ାଗୁଡ଼ିକୁ ଧରି ରଖିବା ପାଇଁ ଭୂଇଁ ଖମ୍ବୀ ସଂଯୋଗ ହୋଇଛି ।

୨ୟ ଭୂଇଁ ଫ୍ରେମ୍ ପଡ଼ି ଖୋଲାଯିବାରେ ରଥରେ ପ୍ରଥମ ଭୂଇଁ ଭଳି ୨ୟ ଭୂଇଁ ଉଠିଥିଲା । ତୃତୀୟ ଭୂଇଁ ପାଇଁ ଖମ୍ବୀ ମଧ୍ୟ ଲାଗିଯାଇଛି । ପ୍ରଥମ ଭୂଇଁ ଠାରୁ ୨ୟ ସାମାନ୍ୟ ଛୋଟ। ତୃତୀୟ ଭୂଇଁ ଫ୍ରେମ୍ ରଥ ଖଳାରେ ପ୍ରସ୍ତୁତ । ଗୁରୁବାର ତୃତୀୟ ଭୂଇଁ ଟୁଙ୍ଗୁରା ପାଇଁ ଯୋଜନା ଚାଲିଥିବା କୁହନ୍ତି ନିର୍ମାଣକାରୀ । ରୁପକାର, କରତି ଓ ଓଝା ସେବକଙ୍କ ରଥ କାର୍ଯ୍ୟ ଜାରି ରହିଛି।

 

ଅଧିକ ପଢ଼ନ୍ତୁ :-  Guest house : ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଶସ୍ତା ଅତିଥି ଭବନ, ୭୬୮ ରୁମ୍ରେ ରହିବ ୧୯୮୪ ବେଡ୍, ୧୨ରେ ଭିତ୍ତିପ୍ରସ୍ତର

ତୃତୀୟ ଭୂଇଁ ଫ୍ରେମ କାର୍ଯ୍ୟ ମହାରଣା ମାନେ ଶେଷ କରିଛନ୍ତି। ତିନି ରଥର ମହାରଣା ଓ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ମହାରଣାମାନେ ତୃତୀୟ ଭୂଇଁର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଙ୍ଗ କାର୍ଯ୍ୟ ଶେଷ କରିଛନ୍ତି।ଖୁବଶୀଘ୍ର ଚିତ୍ରକର ମାନେ ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେବେ। ଆଗକୁ ଆରମ୍ଭ ହେବ ଚିତ୍ର ସେବା, ରଥଖଳାକୁ ଆସୁଛନ୍ତି ପାର୍ଶ୍ବ ଦେବାଦେବୀ।