ଭୁବନେଶ୍ୱର, ୧୧/୬ : ରାଜଧାନୀର ୟୁନିଟ-୨ରେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ହେବ ବିଶାଳ ଅତିଥି ଭବନ । ନାଁ ରହିବ ‘ଜନାଶ୍ରୟ’ । ଏହାକୁ ୨୦ ମହଲା ବିଶିଷ୍ଟ କରାଯିବ । ୩ ମହଲାର ଭୂତଳ ପାର୍କିଂ ରହିବ । ଅତିଥି ଭବନର ମୋଟ ୭୬୮ ରୁମ୍‌ରେ ୧୯୮୪ ବେଡ୍‌ ସୁବିଧା ରଖାଯିବ । ଏ ପ୍ରକଳ୍ପରେ ପ୍ରାୟ ୫୫୩.୨୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର ଆକଳନ କରିଛନ୍ତି । ଆସନ୍ତା ୧୨ ତାରିଖରେ ଏ ମେଗା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ପ୍ରସ୍ତାବିତ ଜନାଶ୍ରୟ କୋଠାକୁ ଆକର୍ଷଣୀୟ ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରିବାକୁ ଯୋଜନା କରିଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ(ଓବିସିସି) । ମୋଟ ୩.୨ ଏକର ଜାଗାରେ ପୂରା ପ୍ରକଳ୍ପ ଛିଡ଼ା ହେବ । ଏଥିପାଇଁ ଅନେକ କ୍ୱାର୍ଟର୍ସ ଭଙ୍ଗା ହୋଇ ଜାଗା ଖାଲି କରାଯାଇଛି । ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଚିବ ସଞ୍ଜୟ ସିଂ ଜାଗା ବୁଲି ଦେଖିଛନ୍ତି । ପ୍ରସ୍ତାବିତ ଜନାଶ୍ରୟ ପ୍ରକଳ୍ପର ବେସ୍‌ମେଣ୍ଟରେ ୩ଟି ଭୂତଳ ମହଲା ରହିବ । ଏଠାରେ ୬୮୭ଟି କାର୍‌ ପାର୍କିଂ ହେବା ଭଳି ସ୍ଥାନ ଓ ସୁବିଧା ରଖାଯିବ । ଗ୍ରାଉଣ୍ଡ ଫ୍ଲୋର୍‌ରେ ଅଭ୍ୟର୍ଥନା ପ୍ରକୋଷ୍ଠ, ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ, ପ୍ରତୀକ୍ଷାଳୟ ଓ ଜିନିଷ ରଖିବା ସ୍ଥାନ ରହିବ। ପ୍ରଥମ ମହଲାରୁ ପଞ୍ଚମ ମହଲା ଯାଏ ଦୋକାନ ଓ ବିଭିନ୍ନ ଅଫିସ୍‌ ପାଇଁ ସ୍ଥାନ ରଖାଯିବ । ଷଷ୍ଠ ମହଲାରେ ହୋଟେଲ, ରୋଷେଇ ଓ ରେଷ୍ଟୁରାଣ୍ଟ, ଲଣ୍ଡ୍ରି, ଅବସର ବିନୋଦନ ସ୍ଥାନ ଓ ରିଡିଂ ରୁମ୍‌ ରହିବ । ସପ୍ତମ ମହଲାରେ କର୍ମଚାରୀଙ୍କ ବିଶ୍ରାମ ପାଇଁ କୋଠରୀ ଓ ଜନାଶ୍ରୟ’ର ବିଭିନ୍ନ ଅଫିସ୍‌ ରହିବ । ଅଷ୍ଟମ ମହଲାରୁ ୧୪ ମହଲା ଯାଏ ୩ଟି ବେଡ୍‌ ବିଶିଷ୍ଟ ୬୪ଟି ରୁମ୍‌ ରହିବ । ପ୍ରତି ମହଲାରେ ୧୯୨ଟି ବେଡ୍‌ ରଖାଯିବ । ସବୁ ରୁମ୍‌ରେ ସ୍ୱତନ୍ତ୍ର ଶୌଚାଳୟ ସୁବିଧା କରାଯିବ । ୧୫ ମହଲାରୁ ୧୯ ମହଲା ଯାଏ ୨ଟି ବେଡ୍‌ ବିଶିଷ୍ଟ ୬୪ଟି ରୁମ୍‌ ରହିବ । ପ୍ରତି ମହଲାରେ ୧୨୮ଟି ବେଡ୍‌ ରହିବ । ଅଷ୍ଟମ ମହଲାରୁ ୧୯ ମହଲା ଯାଏ ମୋଟ ୪୪୮ଟି ରୁମ୍‌ରେ ୧୯୮୪ ବେଡ୍‌ ରଖିବାକୁ ଓବିସିସି ଡିଜାଇନ୍‌ କରିଛି । 

ଦୂରଦୂରାନ୍ତରୁ ବହୁ ଲୋକେ ପ୍ରତିଦିନ ରାଜଧାନୀକୁ ଆସୁଛନ୍ତି । କିଏ ଚିକିତ୍ସା ପାଇଁ ଆସୁଛି ତ ଆଉ କିଏ ସରକାରୀ ଓ ପ୍ରଶାସନିକ କାମ, ପରୀକ୍ଷା, ସାକ୍ଷାତକାର, ପ୍ରଶିକ୍ଷଣ ଓ ରାଜ୍ୟସ୍ତରୀୟ ସରକାରୀ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଜିଲ୍ଲାରୁ ଦୈନିକ ହଜାର ହଜାର ଲୋକ ଆସୁଛନ୍ତି । କିନ୍ତୁ ଅନେକ ଲୋକେ ଟଙ୍କା ଦେଇ ଲଜ୍‌ ଓ ହୋଟେଲରେ ରହିବାକୁ ସକ୍ଷମ ହେଉନାହାନ୍ତି । ଅର୍ଥାଭାବରୁ ରେଳଷ୍ଟେସନ, ବସଷ୍ଟାଣ୍ଡ ବା ଅନ୍ୟ କେଉଁଠି ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଏଭଳି ଲୋକଙ୍କ ଉଦ୍ଦେଶ୍ୟରେ ଶସ୍ତା ଅତିଥି ଭବନ କରିବାକୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଡ୍ରିମ୍‌ ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଛି । ଏହି ଜନାଶ୍ରୟରେ ମାତ୍ର ୧୦୦ ଟଙ୍କା ଦେଇ ରାତି ରହଣୀ ସୁବିଧା ଦେବାକୁ ସରକାର ଯୋଜନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୟୁନିଟ୍‌-୨ ଅଞ୍ଚଳରୁ ମୋଟ ୨୨୪ କ୍ୱାର୍ଟର୍ସ ଭଙ୍ଗାଯିବ । ୧୨୦ଟି ଟାଇପ୍‌-ଭିଏ କ୍ୱାର୍ଟର୍ସ, ୯୬ଟି ଆଇଭିଏ କ୍ୱାର୍ଟର୍ସ, ୮ଟି ଭିଆର୍‌ କ୍ୱାର୍ଟର୍ସ ଭଙ୍ଗାଯିବ । କଂଗ୍ରେସ ଭବନରୁ ମାର୍କେଟ୍‌ ବିଲ୍ଡିଂ ଆଡ଼କୁ ଯାଇଥିବା ରାସ୍ତାର ଉଭୟ ପାଶ୍ୱର୍ ଓ ଭିତରକୁ ଥିବା କ୍ୱାର୍ଟର୍ସକୁ ପ୍ରଥମେ ଭଙ୍ଗାଯିବ । କ୍ୱାର୍ଟର୍ସ ଭାଙ୍ଗୁଥିବା ସଂସ୍ଥା ସରକାରଙ୍କୁ ୧କୋଟି ୩୫ଲକ୍ଷ ଟଙ୍କା ଦେବ । ଏହା ବଦଳରେ କ୍ୱାର୍ଟର୍ସରେ ଲାଗିଥିବା ସବୁ ନିର୍ମାଣ ସାମଗ୍ରୀ ନେବ । ଦ୍ୱିତୀୟ ପର୍ଯ୍ୟାୟରେ ୟୁନିଟ୍‌୨ରୁ ୧୮୦ଟି କ୍ୱାର୍ଟର୍ସ ଭଙ୍ଗାଯିବ । ୨୬ଟି ଆଇଭିଆର୍‌, ୯୬ଟି ଟାଇପ୍‌-୨, ୨୪ଟି ଟାଇପ୍‌-୨ଆରପିଏଫ୍‌, ୩୦ଟି ଟାଇପ୍‌-୨ଆରଏ, ଗୋଟିଏ ୨ଆରବି ଓ ୩ଟି ୧ଆର୍‌ କ୍ୱାର୍ଟର୍ସ ଭଙ୍ଗାଯିବ । ଜନାଶ୍ରୟ ସହିତ ଏହି ଅଞ୍ଚଳରେ କେଉଁ ପ୍ରକଳ୍ପ ହେବ, ତାହା ଚୂଡ଼ାନ୍ତ ହୋଇନି । ପ୍ରସ୍ତାବିତ ସରକାରୀ କ୍ୱାର୍ଟର୍ସ ପ୍ରକଳ୍ପ ଏବେ ସ୍ଥଗିତ ଅଛି । କ୍ୱାର୍ଟର୍ସ ଭାଙ୍ଗିବା ପରେ ସରକାର ସେହି ଜାଗାକୁ ଲ୍ୟାଣ୍ଡ ବ୍ୟାଙ୍କ କରି ରଖିବେ ବୋଲି ଓବିସିସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ- ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା, ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି

ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ, ପର୍ଯ୍ୟାୟ କ୍ରମେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଛୁଇଁବ