ପୁରୀ,୨୯/୦୫: ରଥ ଚାଳିରେ ବେଦି ସିଂହାସନ କାର୍ଯ୍ୟାରମ୍ଭ କରିଛନ୍ତି  ରୂପକାର ସେବକ । ତିନି ବାଡ଼ର ମୁଖ୍ୟ  ରୂପକାର ସେବକଙ୍କ ଦ୍ୱାରା ମାହାର୍ଦ୍ଦ ଓ  ଶ୍ରୀଫଳ ଅର୍ପଣ ପୂର୍ବକ ମହାପ୍ରଭୁଙ୍କୁ ସୁମରଣା କରି ରଥ ସିଂହାସନରେ ରୂପ  ଖୋଦେଇ କାର୍ଯ୍ୟ ଅନୁକୂଳ ହୋଇଛି ।  ପରେ ସମସ୍ତ ରୂପକାର ସେବକ ମିଳିତ  ଭାବେ ଉକ୍ତ ରଥାଂଶରେ ସୂତାରେ ଦାଗ  ଦେଇ ରୂପ ଖୋଦେଇ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ନିର୍ମାଣ ପାଇଁ ଏକ ମାସ  ଅଧିକ ମିଳିଥିବାରୁ ଠାକୁରଙ୍କ ରଥ  କାର୍ଯ୍ୟ କେତେ ଅଧିକ ନିଖୁଣ ଓ ସୁନ୍ଦର  ହେବ ସମସ୍ତେ ଲାଗି ପଡ଼ିଛନ୍ତି ।  

ଶ୍ରୀମନ୍ଦିର ରୂପକାର ନିଯୋଗ  ସମ୍ପାଦକ ରାଜେନ୍ଦ୍ର ମହାପାତ୍ର କୁହନ୍ତି,  ପ୍ରଥମେ ବେଦି ସିଂହାସନରେ ଜଳ ଛିଞ୍ଚି  ପବିତ୍ର କରାଗଲା । ସେଥିରେ ଚକ୍‌  ସାହାଯ୍ୟରେ ଗାରେଇ ମହାପ୍ରଭୁଙ୍କ  ଆଜ୍ଞା ଆଣି କାର୍ଯ୍ୟାରମ୍ଭ କଲୁ । ରଥରେ  ଚକା ସିଂହାସନରେ ଅଧିଷ୍ଠିତ ହୁଅନ୍ତି  ଠାକୁରେ । ସେହି ଚକା ସିଂହାସନର  ଏହା ନିମ୍ନ ଅଂଶ । ଏଥିରେ କଳସ  ରୂପ ସହ ମତ୍ସ୍ୟ, ହସ୍ତୀ ଓ ଡାଳି ଲତା  ଆଦି ଖୋଦେଇ ହେବ । ଶାଢ଼ି ବନ୍ଧା  ରୂପକାରଙ୍କ ଦ୍ୱାରା  ଅନୁକୂଳ ହୋଇଥାଏ । ବଡ଼ବାଡ଼ (ଶ୍ରୀବଳଭଦ୍ର)ର  ଗଣେଶ୍ୱର ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର  ମହାପାତ୍ର, ମଝିବାଡ଼ର (ମା’ସୁଭଦ୍ରା)  ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ହରିହର  ମହାପାତ୍ର ଓ ମହାପ୍ରଭୁ (ଶ୍ରୀଜଗନ୍ନାଥ) ଙ୍କ ବାଡ଼ର ଲିଙ୍ଗରାଜ ମହାପାତ୍ର ଓ  ରାଜେନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ  ରୂପକାର ରଥ କାର୍ଯ୍ୟ ଜାରି ରଖିଛନ୍ତି । ଏପଟେ ଦଣ୍ଡା ଫ୍ରେମ୍‌ କରିବାରେ  ବ୍ୟସ୍ତ ବିଶ୍ୱକର୍ମା ଓ ଭୋଇ ସେବକ । ସାଲ ହୋଇଥିବା ପାଞ୍ଚ ଦଣ୍ଡାରେ ଆଗ ପଛ ମୁହାଁଟି ସଂଯୋଗ ପ୍ରସ୍ତୁତି  ଚାଲିଛି । ମୁହାଁଟିରେ ୫ଟି  ବିନ୍ଧ ହୋଇ ଦଣ୍ଡାରେ  ଫିଟିଂ ହେବ । ମୁଖ୍ୟ ପାଞ୍ଚ  ଦଣ୍ଡାରେ ଲାଗିବ ମୁହାଁଟି ।  ଆଗ ଓ ପଛ ମୁହାଁଟିରେ  ପୋତା ହେବ ଗୁଜ । ଗୁଜ  ଉପରେ ନିରାଡ଼ି ଉଠିବ । ପରେ  ଚତୁଃପାଶ୍ୱର୍ରେ କୁଡ଼ୁକା ଲାଗିବ । ପାଶ୍ୱର୍ ଦଣ୍ଡା  ଲାଗିବ । ପାଶ୍ୱର୍ ମୁହାଁଟି ସ୍ଥାପନ ହେବ ।  

ପାଶ୍ୱର୍ ମୁହାଁଟିରେ କୋଣ ଗୁଜ ଓ ଜଳଯନ୍ତ୍ର  ସ୍ଥାପନ ହୋଇ ପାଶ୍ୱର୍ ନିରାଡ଼ି ସ୍ଥାପନ ହେବ ।  ତିନି ରଥର ନିର୍ମାଣ କାର୍ଯ୍ୟରେ ସମନ୍ୱୟ  ରଖାଯାଇ କାମ ଆଗଉଛି । କରତି ସେବକମାନେ ରଥର ଗୟଳ ଚିରଟ ଜାରି  ରଖିଛନ୍ତି । ଓଝା ସେବକମାନେ ଶାଳରେ  ରଥ ପାଇଁ ଆବଶ୍ୟକ ଦଣ୍ଡା ଓ ଗରଗରା  କଣ୍ଟା ଆଦି ଲୁହା ସାମଗ୍ରୀ ତିଆରୁଛନ୍ତି ।  ରଥ କାର୍ଯ୍ୟରେ ଲାଗିବାକୁ ୧୮ ଖଣ୍ଡ ତାଳ  ଗଡ଼ ଢେଙ୍କାନାଳରୁ ଆସିଥିବା ସୂଚନା  ମିଳିଛି ।

ଅଧିକ ପଢ଼ନ୍ତୁ :- Balianta Murder case: ସୌମ୍ୟରଂଜନଙ୍କ ରକ୍ତରୁ ମିଳିଛି ‘ମର୍ଫିନ୍‌’ର ମାତ୍ରା ! କିଛି ଲୋକଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ୍‌

ଗୁରୁବାର ତିନି ରଥର ପାଞ୍ଚ ଦଣ୍ଡାରେ  ମୁହାଁଟ ସଂଯୋଗ ପରେ ଆଗ ଆଣି ମୁହାଁଟରେ ୫ଟି ସାଲ ଗୁଜ ଓ ପଛ ଆଣି ମୁହାଁଟରେ ୩ଟି ଜଳଯନ୍ତ୍ର ଓ ୨ ପାର୍ଶ୍ବରେ  ଗୋଟିଏ ଗୋଟିଏ କୋଣଗୁଜ ଉଠି  ସେହି ଗୁଜ ଉପରେ ନିରାଡ଼ି ସଂଯୋଗ  ହୋଇଅଛି । ବାକି ରହିଛି ପାଞ୍ଚଦଣ୍ଡାର  ଦୁଇ ପଟରେ କୁଡ଼ି ସଂଯୋଗ  ହୋଇ ପାଶ୍ୱର୍ ଦଣ୍ଡା ସଂଯୋଗ କାର୍ଯ୍ୟ।