କଟକ,୨୯/୦୫: ଭୁବନେଶ୍ୱର ବାଲିଅନ୍ତା ଥାନା ଅଞ୍ଚଳରେ ଜିଆର୍ପି କନ୍ଷ୍ଟେବଲ୍ ସୌମ୍ୟରଂଜନ ସ୍ୱାଇଁଙ୍କୁ ସଂଗଠିତ ଭାବେ ପିଟିପିଟି ହତ୍ୟା କରାଯିବା ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଉଛି କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱରଗଡ଼ାର ଗେଡ଼ା ଓରଫ ଅଶୋକ ଜେନା (୪୫) । ତାକୁ ଭୁବନେଶ୍ୱର ପଟିଆରେ ଥିବା ଏକ ହୋଟେଲରୁ ଗିରଫ କରାଯାଇଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୧୭ରେ ପହଞ୍ଚିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘଟଣାର ୩ ସପ୍ତାହ ପରେ ମଧ୍ୟ ସମସ୍ତ ଅଭିଯୁକ୍ତ ଧରାପଡ଼ିନାହାନ୍ତି । ଭିଡ଼ ହତ୍ୟା ମାମଲାରେ ଆଉ ୧୪ ଜଣ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଥିବା ଡିଆଇଜି ବାଟୁଲା ଗଙ୍ଗାଧର ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଡିଆଜି କହିଛନ୍ତି ଯେ, ସୌମ୍ୟଙ୍କ ରକ୍ତ ନମୁନାରୁ ଷ୍ଟେରଏଡ୍ ମିଳିଥିବା ଜଣାପଡ଼ିଛି । ଏସ୍ଏଫ୍ଏଲ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ସେହିପରି ଶରୀରର ଅଭ୍ୟନ୍ତରୀଣ ଅଙ୍ଗରୁ ପ୍ରଚୁର ରକ୍ତସ୍ରାବ ହେବାରୁ ସୌମ୍ୟଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟପଟେ ସୌମ୍ୟଙ୍କ ସାଙ୍ଗ ଓମ କଥାବାର୍ତ୍ତାକୁ ନେଇ ପରିବାର ଲୋକ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଛନ୍ତି । ଓମ୍ ଉକ୍ତ ଦିନ ଘଟଣା ସଂପର୍କରେ ସବୁକିଛି ସ୍ପଷ୍ଟ କହୁନାହାନ୍ତି ବୋଲି ସୌମ୍ୟଙ୍କ ପରିବାର ବାରମ୍ବାର ଅଭିଯୋଗ କରୁଛନ୍ତି । ତେଣୁ ଆବଶ୍ୟକ ହେଲେ ଓମ୍ଙ୍କ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ ବୋଲି ଡିଆଇଜି କହିଛନ୍ତି । ସେହିପରି ଘଟଣାରେ ଅସଦାଚରଣର ଅଭିଯୋଗ ଆଣିଥିବା ଦୁଇ ଯୁବତୀଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି । ମାତ୍ର ସେମାନଙ୍କୁ ଏବେ ବି ତଦନ୍ତ ପରିସରରେ ରଖାଯାଇଛି ।
ଏହି ଘଟଣାରେ ଅଭିଯୁକ୍ତ, ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟମାନଙ୍କ କିଛି ବୟାନକୁ ନେଇ ତଦନ୍ତକାରୀ ଟିମ୍ ସନ୍ତୁଷ୍ଟ ନୁହେଁ । ଯଦି ଆବଶ୍ୟକ ହୁଏ ତାହେଲେ କିଛି ଲୋକଙ୍କର ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି । ତେବେ ଘଟଣା ଦିନ ସୌମ୍ୟ ନିଜ ଶରୀରରେ ‘ମର୍ଫିନ୍ ପେନ୍ କିଲର’ ଇଞ୍ଜେକ୍ସନ୍ ନେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଅବଶ୍ୟ ଆନୁଷ୍ଠାନିକ ଭାବେ କ୍ରାଇମ୍ବ୍ରାଞ୍ଚ ଏନେଇ କିଛି କହିନାହିଁ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ସୌମ୍ୟଙ୍କ ରକ୍ତ ନମୁନାରେ ମର୍ଫିନ୍ର ମାତ୍ରା ମିଳିଛି । ତେଣୁ ସେ ମର୍ଫିନ୍ ପେନ୍ କିଲର ଇଞ୍ଜେକ୍ସନ୍ ନେଇଥିବା କୁହାଯାଉଛି ।
ଅଧିକ ପଢ଼ନ୍ତୁ : - ସୌମ୍ୟରଞ୍ଜନ ହତ୍ୟା ମାମଲା: ପଟିଆର ଏକ ହୋଟେଲରୁ ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫଦାରୀ ସଂଖ୍ୟା ୧୭କୁ ବୃଦ୍ଧି
କୌଣସି ରୋଗୀକୁ ଅତ୍ୟଧିକ ପୀଡ଼ା ବା କଷ୍ଟ ହେଲେ ଏହି ଇଞ୍ଜେକସନ୍ ଦିଆଯାଏ । ସୌମ୍ୟ ଘଟଣା ଦିନ ଉକ୍ତ ଇଞ୍ଜେକ୍ସନ୍ ନେଇଥିଲେ ଏବଂ ତାହାର ମାତ୍ରା ଅଧିକ ଥିବା ସନ୍ଦେହ କରାଯାଉଛି । ହତ୍ୟା ଘଟଣାର କିଛି ସମୟ ପୂର୍ବରୁ ସୌମ୍ୟ ଇଞ୍ଜେକସନ୍ ନେଇଥିବା ତଦନ୍ତକାରୀ ଟିମ୍ ସନ୍ଦେହ କରୁଛି ବୋଲି କ୍ରାଇମ୍ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।