ରାୟଗଡା/ବିଷମକଟକ ୧୫/୦୩: ଭାରସାମ୍ୟ ହରାଇ ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତ କାଚାପଯୁ ଗ୍ରାମ ନିକଟରେ ଘଟିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଧାନ ମିଲିଂ କରି ଫେରୁଥିବା ସମୟରେ ନିଜ ଗାଁ ନିକଟରେ ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନର ଦୁର୍ଘଟଣା ଘଟିଥିଲା। ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ। ଦୁର୍ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ମେଡିକାଲରେ ଆଖିବୁଜିଥିଲେ। ମୃତକମାନେ ହେଲେ ଡ୍ରିଞ୍ଜ ସାରକା ଓ ମଦନ ସାରକା। ଗୁରୁତର ଥିବା ହିମ ସାରକାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆହତ ଧବଳେଶ୍ୱର ସାରକା, ଅଜିତ ସାରକା ଓ ନବୀନ ସାରକା ବିଷମକଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ତିନିଜଣ ପ୍ରାଥମିକ ଚିକିତ୍ସାପରେ ଘରକୁ ଯାଇଥିବା ଜଣାପଡିଛି। ବିଷମକଟକ ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଛି।