• କୋଟାକ୍ ମହିନ୍ଦ୍ରାକୁ ବ୍ୟାଙ୍କିଙ୍ଗ ନିୟମ ଭାଙ୍ଗିବା ଭାରି ପଡିଲା
  • ୬୨ ଲକ୍ଷର ଜରିମାନା ଲଗାଇଲା ଆରବିଆଇ
  • ଗ୍ରାହକଙ୍କ ଟଙ୍କାକୁ ପ୍ରଭାବିତ କରିବନି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ନେଇଛି ବଡ଼ ଧରଣର ଆକ୍ଦନ। କେନ୍ଦ୍ରୀୟ ବ୍ୟଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ବ୍ୟାଙ୍କିଙ୍ଗ ନିୟମର ପାଳନରେ ଅବହେଳାକୁ ନେଇ ନିଆ ଯାଇଛି କାର୍ଯ୍ୟାନୁଷ୍ଠାନ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥିପାଇଁ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ୬୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।

ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ପୂର୍ବ କାର୍ଯ୍ୟ ଦିବସରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ସମ୍ପର୍କରେ ସୂଚନା ସେୟାର କରିଛି। ଆରବିଆଇ ସ୍ପଷ୍ଟ କରିଛି ଯେ ବ୍ୟାଙ୍କ ସେବା – ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟ (BSBD), ବିଜନେସ୍ କରସପେଣ୍ଡେଣ୍ଟ ସମ୍ପର୍କିତ ନିୟମ ବ୍ୟତୀତ କ୍ରେଡିଟ୍ ଇନଫରମେସନ୍ କମ୍ପାନୀ ରୁଲ୍ ୨୦୦୬ର ପାଳନରେ ବ୍ୟାଙ୍କର ତ୍ରୁଟି ଜଣାପଡିଛି। ଫଳସ୍ୱରୂପ,୧୧ ଡିସେମ୍ବର ୨୦୨୫ ତାରିଖର ଏକ ଆଦେଶ ଅନୁଯାୟୀ ବ୍ୟାଙ୍କ ଉପରେ ୬୧.୯୫ ଲକ୍ଷ ଜରିମାନା ଲାଗୁ କରାଯାଇଥିଲା। ରିପୋର୍ଟ ଅନୁଯାୟୀ,ଗତ ବର୍ଷ ୩୧ ମାର୍ଚ୍ଚ ୨୦୨୪ ରେ ଆରବିଆଇ ପକ୍ଷରୁ ବ୍ୟାଙ୍କର ଆର୍ଥିକ ସ୍ୱାସ୍ଥ୍ୟର ଏକ ବୈଧାନିକ ଯାଞ୍ଚ ଏବଂ ମୂଲ୍ୟାଙ୍କନ (ISE 2024) କରିଥିଲା। ଏହି ସମୟ ମଧ୍ୟରେ, କେନ୍ଦ୍ରୀୟ ବ୍ୟାଙ୍କ ଜାଣିବାକୁ ପାଇଲା ଯେ ବ୍ୟାଙ୍କ ପୂର୍ବରୁ ଏପରି ଆକାଉଣ୍ଟ ଥିବା କିଛି ଗ୍ରାହକଙ୍କ ପାଇଁ ଅତିରିକ୍ତ BSBD ଆକାଉଣ୍ଟ ଖୋଲିଛି। ଏହା ବ୍ୟତୀତ,ଆରବିଆଇ ଜାଣିବାକୁ ପାଇଲା ଯେ ବ୍ୟାଙ୍କ ନିର୍ଦ୍ଧାରିତ ପରିସର ବାହାରେ କାର୍ଯ୍ୟକଳାପ ପରିଚାଳନା କରିବା ପାଇଁ ବ୍ୟବସାୟ ପ୍ରତିନିଧିଙ୍କ ସହିତ ଚୁକ୍ତି କରିଛି। ବ୍ୟାଙ୍କ କିଛି ଋଣଗ୍ରହୀତାଙ୍କ ସମ୍ପର୍କରେ କ୍ରେଡିଟ୍ ସୂଚନା କମ୍ପାନୀଗୁଡ଼ିକୁ ଭୁଲ ସୂଚନା ମଧ୍ୟ ପ୍ରଦାନ କରିଥିଲା।

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଏହି ଅସୁବିଧା ଜଣାପଡିବା ପରେ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହାପରେ ବ୍ୟାଙ୍କ ଦଲିଲ ଉପରେ ବିଚାର କରିବା ପରେ ଅଭିଯୋଗ ସଠିକ୍ ବୋଲି ଜଣାପଡିଥିଲା। ତା ପରେ ବ୍ୟାଙ୍କ ଉପରେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ଷ୍ଟକ୍ ଏକ୍ସଚେଞ୍ଜ ଫାଇଲିଂରେ ମଧ୍ୟ ଏସମ୍ପର୍କରେ ସୂଚନା ସେୟାର କରାଯାଇଛି। ତେବେ ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନିୟମର ଉଲଂଘନକୁ ନେଇ ଏହି ଆକ୍ସନର କୌଣସି ପ୍ରଭାବ ବ୍ୟାଙ୍କର ଗ୍ରାହକଙ୍କ ଉପରେ ରହିବନି।

ଆହୁରି ପଢନ୍ତୁ : ଆଇଏମ୍ଏଫ୍ ପରେ ଏବେ ପାକିସ୍ତାନ ଉପରେ ଓ୍ବାର୍ଲ୍ଡ ବ୍ୟାଙ୍କର ଦୟା ଦୃଷ୍ଟି, ୭୦ କୋଟି ଡଲାର ଋଣକୁ ଦେଲେ ମଞ୍ଜୁରୀ