ଭୁବନେଶ୍ବର, ୫।୧୧ : ଦାରିଙ୍ଗବାଡ଼ି ବ୍ଲକ୍‌ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ଦାଡ଼ା ସାହିରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରର ମାଝୀ। 

ସୂଚନାଯୋଗ୍ୟ ଯେ,  ଦାରିଙ୍ଗବାଡ଼ି ବ୍ଲକ୍‌ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ଦାଡ଼ା ସାହିରେ ଆମ୍ବ ଟାକୁଆ ଜାଉ ଖାଇ ନଣନ୍ଦ ରୁନୁ  ମାଝୀ(୨୮) ଏବଂ ଭାଉଜ ରମିତା ପାଟମାଝୀ (୨୫)ଙ୍କ ମୃତ୍ୟୁ ଘଟିଛି । ରୁନୁ  ଓ ରମିତାଙ୍କ ପରିବାର ଲୋକେ ଆମ୍ବ  ଟାକୁଆ ଜାଉ ଖାଇଥିଲେ । କିଛି ଘଣ୍ଟା ପରେ ଧୀରେଧୀରେ  ଜଣଙ୍କ ପରେ ଆଉ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ ।  ବିଳମ୍ବିତ ରାତିରେ ରମିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ  ଲାଗିଥିଲା । ଏଣୁ ତାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ  ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାଉ ଖାଇଥିବା ଅନ୍ୟ ୭ ଜଣଙ୍କ  ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ନ ଥିଲା । ଗାଁରେ ସେମାନେ  ଘରୋଇ ଚିକିତ୍ସା କରୁଥିଲେ । କିନ୍ତୁ  ସେମାନଙ୍କ  ଅବସ୍ଥା ଅଧିକ ବିଗିଡ଼ିବାରୁ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର  ଥିବା ନେଇ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର  କରାଯାଇଥିଲା । ବ୍ରହ୍ମପୁର ନେବା ବାଟରେ ମୋହନାଠାରେ  ରୁନୁ ମାଝୀଙ୍କ ଜୀବନ ଚାଲି ଯାଇଥିଲା । ଅନ୍ୟ ୬ ଜଣ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ଏସସିବି ମେଡିକାଲରେ ଚିକିତ୍ସା କରାଯାଉଛି।