ଭୁବନେଶ୍ୱର/ଧଉଳି, ୧୭/୧୨ : ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା ଦୟା ନଦୀ ପଠାରେ ଘଟିଥିବା ନାବାଳିକା ଛାତ୍ରୀ ଗଣବଦୁଷ୍କର୍ମ ମାମଲା। ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ କମିଶନର ଏହି ରେଡଫ୍ଲାଗ୍ ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି । ମାମଲାର ମୁଖ୍ୟ ଅଭିଯୁକ୍ତ ୩ ଦିନ ତଳେ ଜାମିନ୍ରେ ବାହାରି ଏଭଳି କାଣ୍ଡ କରିଛି । ତାକୁ ଧରିବା ଲାଗି କମିଶନରେଟ୍ ପୁଲିସର ୩ଟି ଟିମ୍ ଗଠନ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଓ ତା’ର ୨ ସହଯୋଗୀ ଏବେବି ଫେରାର୍ ଅଛନ୍ତି । ସେହିପରି ଏହି ସମ୍ବେଦନଶୀଳ ମାମଲାରେ ମହିଳା କମିଶନ ଏବଂ ଶିଶୁ ସୁରକ୍ଷା ଆୟୋଗ ମଙ୍ଗଳବାର ଉଦ୍ବେଗ ପ୍ରକାଶ କରିଛନ୍ତି । ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ନଦୀ ପଠାକୁ ଯାଇ ଅନୁଧ୍ୟାନ କରିଛନ୍ତି । ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ପକ୍ଷରୁ ନିଜ ଆଡୁ ମାମଲା ରୁଜୁ କରାଯାଇଛି । ଆୟୋଗଙ୍କ ୨ଜଣ ସଦସ୍ୟ ଧଉଳି ଥାନାକୁ ଯାଇ ତନାଘନା କରିଛନ୍ତି । ଭୁବନେଶ୍ୱର ଡିସିପି ଓ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କୁ ଗଣବଳାତ୍କାର ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ଅଧ୍ୟକ୍ଷା ବବିତା ପାତ୍ର ।
ଥାନାରେ ଅଟକ ଥିବା ୨ ଅଭିଯୁକ୍ତ କୋର୍ଟ ଚାଲାଣ
ମଙ୍ଗଳବାର ଧଉଳି ଥାନା ପୁଲିସ ଅଟକ ରଖିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କଟକ ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର । ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି । କାଳନ୍ଦୀ ଜଣେ ପେସାଦାର ଅପରାଧୀ । ତା’ ନାଁରେ ପୂର୍ବରୁ ଧଉଳି, ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଥାନାରେ ଏକାଧିକ ଫୌଜଦାରୀ ମାମଲା ରହିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହାପି ଭୋଇର ଘର ଶିଶୁପାଳଗଡ଼ରେ । ତା ନାଁରେ ପୂର୍ବରୁ ୧୫ରୁ ଅଧିକ ସଙ୍ଗୀନ ମାମଲା ରହିଛି । ଅଧିକାଂଶ ମାମଲା ଗୋଷ୍ଠୀ ସଂଘର୍ଷ ଓ ସଂଗଠିତ ଅପରାଧଜନିତ । ହତ୍ୟା ଉଦ୍ୟମ ଓ ବୋମାମାଡ଼ ଭଳି ଅପରାଧରେ ସେ ଜଡ଼ିତ । ୨୦୨୩ ଅଗଷ୍ଟ ୨୯ ରାତିରେ ଶିଶୁପାଳଗଡ଼ ଛକରେ ହାପି ଗ୍ୟାଙ୍ଗ ଆତଙ୍କ ଖେଳାଇଥିଲା । ଉକ୍ତ ଗାଁର ୬ଜଣଙ୍କୁ ଏକାବେଳକେ ହାଣି ପକାଇଥିଲା । ଏକ ମାରପିଟ୍ ମାମଲାରେ ସେ ଦୀର୍ଘଦିନ ଧରି ଝାରପଡ଼ା ଜେଲରେ ଥିଲା । ୩ ଦିନ ତଳେ ସେ ଜାମିନ୍ରେ ମୁକୁଳିଥିଲା ।
ତଦନ୍ତରୁ ଜଣାପଡି଼ଛି, ଜେଲରୁ ଫେରିବା ପରେ ଅନ୍ୟ ସହଯୋଗୀଙ୍କ ସହ ମିଶି ସେଦିନ ହାପି ଧଉଳି ନଦୀପଠାରେ ପ୍ରଚୁର ମଦ ପିଇଥିଲା । ସେମାନେ ଡକାୟତି କରିବା ପାଇଁ ଯୋଜନା କରିଥିଲେ । ସେହି ରାସ୍ତା ଦେଇ ଯାଉଥିବା ପ୍ରେମୀଯୁଗଳଙ୍କୁ ଦେଖି ସେମାନେ ପ୍ରଥମେ ଲୁଟ୍ କରିଥିଲେ । ପରେ ବଳାତ୍କାର କରିଥିଲେ । ଫେରାର୍ ବାପି ଓ ତା’ର ଦୁଇ ସହଯୋଗୀଙ୍କୁ ଗିରଫ କରିବା ପାଇଁ କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଅଧୀନରେ ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେଡି ଓ ବିଜେପି ପକ୍ଷରୁ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି ।
ବର୍ବରତା, ଅରାଜକତା ସୀମା ଟପୁଛି: ନବୀନ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଏକ୍ସ’ ଆକାଉଣ୍ଟରେ ଲେଖିଛନ୍ତି, ଭୁବନେଶ୍ୱର ଛାତି ଉପରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ତାଙ୍କୁ ବିଚଳିତ କରିଛି । ବର୍ବରତା ଓ ଅରାଜକତା ସୀମା ଟପୁଛି । ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି । ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ବିଶ୍ୱସନୀୟତା ହରାଉଛି ସରକାର । ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ? ଅପରାଧ ରୋକିବା ଦିଗରେ ସରକାରଙ୍କ ଅକ୍ଷମତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି । ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ନିଶ୍ଚିତ କରି ନ ପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି । ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ । ଘଟଣା ଘଟିବା ପରେ ନୁହେଁ, ଏହାକୁ ପୂର୍ବରୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ ବୋଲି ନବୀନ ଉଲ୍ଲେଖ କରିଛନ୍ତି ।
ଆଇନ୍ ତା’ ବାଟରେ ଯାଉଛି: ଉପମୁଖ୍ୟମନ୍ତ୍ରୀ
ନବୀନଙ୍କ ସାମାଜିକ ଗଣମାଧ୍ୟମ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି, ଦୁଃଖଦ ଘଟଣାକୁ ନେଇ ରାଜନୀତି କରିବା ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କଠାରୁ ଓଡି଼ଶା ଲୋକମାନେ କେବେ ବି ଆଶା କରିନଥିବେ । ସତ ଆଉ କେବେ କହିବେ? ଏହି ଘଟଣାରେ ପୁଲିସର ତ୍ୱରିତ ପଦକ୍ଷେପ ଓ ଅଭିଯୁକ୍ତ ଗିରଫ ହୋଇଛି । ଆପଣଙ୍କ ଦେଖାଇବା ରାସ୍ତାରେ ନୁହେଁ, ଏବେ ଆଇନ ତା’ ବାଟରେ ଯାଉଛି । ଅନୁଭବ ଆଧାରରେ ଚିଠି ଲେଖିଲେ ଖୁସି ହେବୁ । ପିପିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ସରକାରଙ୍କ ବିରୋଧରେ ଢ଼େର୍ ବର୍ଷିଛନ୍ତି । କହିଛନ୍ତି, ଧଉଳି ହେଉଛି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ସେଠାକୁ ବୁଲିବାକୁ ଯାଉଛନ୍ତି । କଂଗ୍ରେସ ଦଳ ନାରୀ ନିର୍ଯାତନା ବିରୋଧରେ ପୁଣି ଆନ୍ଦୋଳନକୁ ଓହ୍ଲାଇବ । ଏଥର ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆନ୍ଦୋଳନର ନିଆଁ ଜଳିବ । ପର୍ଯ୍ୟଟନସ୍ଥଳୀଗୁଡି଼କରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ଘଟୁ, ସେଥିପାଇଁ ଜନଜାଗରଣ ସୃଷ୍ଟି କରିବାକୁ ସରକାରଙ୍କୁ ଅନୁରୋଧ କରୁଛି ।
ମହିଳା କମିଶନ, ଶିଶୁ ସୁରକ୍ଷା ଆୟୋଗଙ୍କ ତଦନ୍ତ ଆରମ୍ଭ
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଅତି ଲଜ୍ଜାଜନକ ଘଟଣା ଦର୍ଶାଇ ତୀବ୍ର ନିନ୍ଦା କରିଛନ୍ତି । କହିଛନ୍ତି, ମହିଳା ବିରୋଧୀ ହିଂସା ଓ ଅପରାଧ କ୍ଷେତ୍ରରେ ସରକାର ସବୁବେଳେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ଘଟଣାରେ କାହାରିକୁ ଛଡ଼ାଯିବନି । ଧଉଳି ଥାନାର ଏହି ଗଣବଳାତ୍କାର ମାମଲା ପୂର୍ବରୁ ଗୋପାଳପୁର ବେଳାଭୂମି ଗଣବଳାତ୍କାର, ବଳଙ୍ଗା ପୀଡ଼ିତା ଏବଂ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ସେକ୍ସ ସ୍କାଣ୍ଡାଲ୍କୁ ମଧ୍ୟ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ମହିଳା କମିଶନର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର କହିଛନ୍ତି, ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ୍ ନୁହେଁ । ଏସବୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ଦରକାର । ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଉ । ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।