ଭୁବନେଶ୍ୱର,୧୫/୦୧: ରାଜ୍ୟର ପଛୁଆ ବର୍ଗଙ୍କୁ ବଡ଼ ଉପହାର ଦେଇ ପାରନ୍ତି ମୋହନ ସରକାର । ପ୍ରଥମଥର ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ସଂରକ୍ଷଣ ମିଳିବ । ଏସ୍ଇବିସି(ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ) ଛାତ୍ରଛାତ୍ରୀଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ସରକାର ବିଚାର କରୁଛନ୍ତି । ଖାଲି ସେତିକି ନୁହେଁ ଏସ୍‌ସି , ଏସ୍‌ଟିଙ୍କ ପାଇଁ ଥିବା ସଂରକ୍ଷଣକୁ ଦୁଇ ଗୁଣା କରିବାକୁ ମଧ୍ୟ ପ୍ରସ୍ତାବ ରହିଛି । ରାଜ୍ୟ ସରକାରଙ୍କ "ନୀତି ନିର୍ଦ୍ଧାରଣ କମିଟି' ଏଭଳି ପ୍ରସ୍ତାବ ଦେଇଛି । ସରକାର ଏହାକୁ ଅନୁମୋଦନ ଦେଇପାରନ୍ତି ବୋଲି ସୂଚନା ମିଳିଛି । କିନ୍ତୁ ଏଥିପାଇଁ କ୍ୟାବିନେଟ୍ ଅନୁମାଦନ ଆବଶ୍ୟକ ପଡ଼ିବ ।

ପୂର୍ବରୁ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ଏସ୍ଇବିସିଙ୍କୁ ସଂରକ୍ଷଣ ମିଳୁଥିଲା । ମେଡିକାଲ ଓ ଇଞ୍ଜିନିୟରିଂ ଭଳି ବୃତ୍ତିଗତ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହାକୁ ଲାଗୁ ପାଇଁ ଦାବି ହେଉଥିଲା । ନିକଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନୀତି ନିର୍ଦ୍ଧାରଣ କମିଟିର ବୈଠକ ବସିଥିଲା । ଏଥିରେ ସଂରକ୍ଷଣ ବଢ଼ାଇବାକୁ ଆଲୋଚନା ହୋଇଛି । କେଉଁ ବର୍ଗର କେତେ ସଂରକ୍ଷଣ ବଢ଼ାଯିବ, ତାର ପ୍ରସ୍ତାବ ପ୍ରସ୍ତୁତ କରି ସରକାରଙ୍କୁ ପଠାଯାଇଛି । କମିଟି ସୁପାରିଶ କରିଥିବା ପ୍ରସ୍ତାବ ଅନୁସାରେ,ଏବେ ରାଜ୍ୟରେ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ଅନୁସୂଚିତ ଜାତି(ଏସ୍‌ସି)ଙ୍କ ପାଇଁ ୮% ଓ ଅନୁସୂଚିତ ଜନଜାତି(ଏସ୍‌ଟି )ପାଇଁ ୧୨% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି ।

ଏସଇବିସି ବର୍ଗ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ । କିନ୍ତୁ ଇଞ୍ଜିନିୟରିଂ, ଏମବିଏ, ଏମସିଏ, ଡିପ୍ଲୋମା, ପିଡିଆଇଏସ୍ ଓ ଆଇଟିଆଇ ଭଳି ବୈଷୟିକ କ୍ଷେତ୍ରରେ ଏସ୍‌ସି , ଏସ୍‌ଟିଙ୍କ ପାଇଁ ଥିବା ସଂରକ୍ଷଣକୁ ଦୁଇ ଗୁଣା କରିବାକୁ କମିଟି ପ୍ରସ୍ତାବ ଦେଇଛି । ଏସ୍‌ସି ଙ୍କ ସଂରକ୍ଷଣକୁ ୮%ରୁ ୧୬.୨୫%କୁ ଓ ଅନୁସୂଚିତ ଜନଜାତି(ଏସଟି) ସଂରକ୍ଷଣକୁ ୧୨% ରୁ ୨୨.୫୦% କୁ ବଢ଼ାଇବାକୁ ସୁପାରିଶ କରାଯାଇଛି । ମେଡିକାଲ ଓ ବୈଷୟିକ ଶିକ୍ଷାରେ ଏସ୍ଇବିସିଙ୍କ ପାଇଁ ୧୧.୨୫% ସଂରକ୍ଷଣ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟ ସବୁ ସଂରକ୍ଷଣ ହାର ପୂର୍ବଭଳି ଅପରିବର୍ତ୍ତିତ ରଖାଯାଇଛି ।

ଉଚ୍ଚଶିକ୍ଷା ବିଭାଗରେ ଏସ୍ଇବିସି ବର୍ଗର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଛି । ସମାନ ଢଙ୍ଗରେ ମେଡିକାଲ ଶିକ୍ଷା(ଏମବିବିଏସ୍, ବିଏଚଏମଏସ, ବିଏଏମଏସ, ନର୍ସିଂ ଓ ଫାର୍ମାସୀ) ସମେତ ଇଞ୍ଜିନିୟରିଂ ଭଳି ବୃତ୍ତିଗତ ଶିକ୍ଷାରେ ଲାଗୁ ପାଇଁ କମିଟି ସୁପାରିଶ କରିଛି । ସରକାର କମିଟିର ସୁପାରିଶକୁ ଗ୍ରହଣ କଲେ ୨୦୨୬-୨୭ ଶିକ୍ଷାବର୍ଷରୁ ଏହି ସଂରକ୍ଷଣ ମିଳିବ ।