ନୂଆଦିଲ୍ଲୀ : ଗତ ମାସରେ ବିଧାନସଭା ନିର୍ବାଚନରେ ନିଜ ଗଡ଼ ଦିଲ୍ଲୀରେ ହାରିବା ପରେ , ଆମ୍‌ ଆଦମୀ ପାର୍ଟି (ଆପ୍‌) ଶୁକ୍ରବାର ସଙ୍ଗଠନାତ୍ମକ ଅଦଳବଦଳର ଘୋଷଣା କରିଛି ଏବଂ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ନିଜର ଦିଲ୍ଲୀ ୟୁନିଟ୍‌ର ନୂଆ ଅଧ୍ୟକ୍ଷ ଓ ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ପଞ୍ଜାବ ପାର୍ଟି ମାମଲାର ପ୍ରଭାରୀ ନିଯୁକ୍ତ କରିଛନ୍ତି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସହ ପ୍ରଭାରୀ କରାଯାଇଛି। 

ଭରଦ୍ୱାଜ ,ଗୋପାଳ ରାୟଙ୍କ ସ୍ଥାନ ନେଇଛନ୍ତି , ସିସୋଦିଆ ପଞ୍ଜାବର ପ୍ରଭାରୀ ଦାୟିତ୍ୱ ସମ୍ଭାଳିଛନ୍ତି। ପଞ୍ଜାବ ଦେଶର ଏକମାତ୍ର ରାଜ୍ୟ, ଯେଉଁଠି ବର୍ତ୍ତମାନରେ ଆମ୍‌ ଆଦମୀ ପାର୍ଟି (ଆପ୍‌) କ୍ଷମତାରେ ରହିଛି। ନିର୍ଣ୍ଣୟ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ନିବାସରେ ଆପ୍‌ର ରାଜନୀତିକ ମାମଲାର ସମିତି (ପିଏସି)ର ବୈଠକ ବେଳେ ନିଆ ଯାଇଛି।

ପରିବର୍ତ୍ତନର ଘୋଷଣା କରି ଆପ୍ ମହାସଚିବ (ସଙ୍ଗଠନ) ସନ୍ଦୀପ ପାଠକ କହିଛନ୍ତି ଯେ, ଗୋପାଳ ରାୟଙ୍କୁ ଗୁଜରାଟର ପ୍ରଭାରୀ ଦିଆଯାଇଛି, ଯେଉଁଠି ପାର୍ଟି ନିଜର ଆଧାର ବଢାଇବାର ଲକ୍ଷ ନେଇ ଚାଲିଛି। ପଙ୍କଜ ଗୁପ୍ତଙ୍କୁ ଗୋଆର ପ୍ରଭାରୀ କରାଯାଇଛି। ଗୋଆ ପାଇଁ ୩ଟି ସହ ପ୍ରଭାରୀ କରାଯାଇଛି , ଯେଉଁଥିରେ ଦୀପକ ସିଙ୍ଗଲା , ଅଙ୍କୁଲ ନାରଙ୍ଗ  ଓ ଆଭାଷ ଚନ୍ଦେଲା ସାମିଲ ଅଛନ୍ତି। ରାଜ୍ୟସଭା ସଦସ୍ୟ ପାଠକଙ୍କୁ ଆପ୍‌ର ଛତିଶଗଡ଼ ମାମଲାର ପ୍ରଭାରୀ ନିଯୁକ୍ତ କରାଯାଇଛି। 

ପାର୍ଟି ମେହରାଜ ମଲିକ୍‌ଙ୍କୁ ପାର୍ଟିର ଜମ୍ମୁ କାଶ୍ମୀର ୟୁନିଟ୍‌ର ପ୍ରମୁଖ କରିଛି। ପାଠକ କହିଛନ୍ତି ଯେ, ବୈଠକରେ ଦିଲ୍ଲୀରେ ବିଜେପିର ଅଧୁରା ପ୍ରତିଶ୍ରୁତି ଉପରେ ମଧ୍ୟ ଆଲୋଚନା ହୋଇଛି, ଯେଉଁଥିରେ ୨,୫୦୦ ଟଙ୍କାର ମାସିକ ଆର୍ଥିକ ସହାୟତା ଓ ମହିଳାଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଦେବା ସାମିଲ ଅଛି।