ଭୁବନେଶ୍ବର,୧୬/୦୯: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଛାତ୍ରୀଙ୍କୁ ଧକ୍କା ଦେଲା କାର୍ । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ୟକ୍ତ ଛାତ୍ରଛାତ୍ରୀ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି । 

ସୂଚନା ମୁତାବକ, ଆନନ୍ଦପୁର ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥର ଧକୋଠା ଛକ ନିକଟରେ ଧକୋଠା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ ଜଣକ ଆଜି ସକାଳୁ ସାଇକେଲେ ଯୋଗେ ସ୍କୁଲକୁ ଯାଉଥିଲେ। ରାସ୍ତା ପାର ହେବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଏନେଇ ଗୁରୁତର ଛାତ୍ରୀଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ ନେଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ଦୁର୍ଘଟଣାକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତାରେ ହମ୍ସ ନିର୍ମାଣ ସହିତ ସେହି ସ୍ଥାନରେ ଏକ ଓଭରବ୍ରିଜ୍ ନିର୍ମାଣ ଦାବିରେ ଛାତ୍ରଛାତ୍ରୀମାନେ ରାସ୍ତା ରୋକ କରି ଅଡି ବସିଛନ୍ତି । ସେପଟେ ଘଷିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇବାକୁ ଉଦ୍ଯମ ଆରମ୍ଭ କରିଛି।