ନୂଆଦିଲ୍ଲୀ: ଡିସେମ୍ବର ୨୬ (ଗୁରୁବାର) ବର୍ଡର-ଗାଭାସ୍କର ଟ୍ରଫିର ବକ୍ସିଂ ଡେ ଟେଷ୍ଟ। ମେଲବର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ବର୍ଡର-ଗାଭାସ୍କର ଟ୍ରଫି ୧-୧ ସ୍ଥିତିରେ ଥିବାରୁ ଚତୁର୍ଥ ଟେଷ୍ଟ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ସମୟ ଭୋର ୫.୩୦ରୁ ଆରମ୍ଭ ହେବାକୁ ଥିବା ବକ୍ସି ଡେ’ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଛି । ଏବେ ଭାରତୀୟ ଟିମ ମେଲବର୍ଣ୍ଣ ପିଚ୍‌କୁ ଦେଖି ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି । ସେହିପରି ପ୍ରଥମ ୩ଟି ଟେଷ୍ଟରେ ଯଶସ୍ୱୀ ଜୟସ୍ଵାଲଙ୍କ ସହ ଇନିଂସ ଆରମ୍ଭ କରିଥିବା କେଏଲ ରାହୁଲଙ୍କ ବ୍ୟାଟିଂ ଅର୍ଡର ମଧ୍ୟ ବଦଳିପାରେ । ସେ ଓପନ ବଦଳରେ ୩ ନଂରେ ବ୍ୟାଟିଂ କରିପାରନ୍ତି । ଏମିତି ହେଲେ ରୋହିତ ଶର୍ମା ବକ୍ସିଂ ଡେ ଟେଷ୍ଟରେ ଇନିଂସ ଆରମ୍ଭ କରିବେ । ପିଙ୍କ ବଲ ଓ ଗାବା ଟେଷ୍ଟରେ ରୋହିତ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିଥିଲେ।

ଆସନ୍ତକାଲି ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ଏବଂ ଓଟିଟି ପ୍ଲାଟଫର୍ମ ହଟଷ୍ଟାର ଆପରେ ହେବ। ଅଧିନାୟକ ରୋହିତ ଶର୍ମା ଯଶସ୍ଵୀ ଜୟସ୍ଵାଲଙ୍କ ସହ ଇନିଂସ ଓପନ କରି ପାରନ୍ତି । ଶୁଭମନ ଗିଲଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ । ଗିଲଙ୍କ ସ୍ଥାନରେ ତିନି ନମ୍ବରରେ କେଏଲ ରାହୁଲ ବ୍ୟାଟିଂ କରି ପାରନ୍ତି । ଏହା ପରେ ଚାରି ନମ୍ବରରେ ବିରାଟ କୋହଲି ଏବଂ ପାଞ୍ଚ ନମ୍ବରରେ ଋଷଭ ପନ୍ତ ବ୍ୟାଟିଂ କରି ପାରନ୍ତି । ପନ୍ତ ଏ ପର୍ଯ୍ୟନ୍ତ ସିରିଜରେ ଆଶା ମୁତାବକ ପ୍ରଦର୍ଶନ କରି ପାରି ନାହାନ୍ତି। ଫଳରେ ଆଇସିସି ଟେଷ୍ଟ ମାନ୍ୟତାରେ ଟପ୍-୧୦ରୁ ବାଦ୍ ପଡ଼ିଛନ୍ତି।  ପୁଣି ନମ୍ବର ୬ରେ ରବୀନ୍ଦ୍ର ଜାଡ଼େଜା, ସାତ ନମ୍ବରରେ ନୀତିଶ କୁମାର ରେଡ୍ଡୀ ଓ ଆଠ ନମ୍ବରରେ ଓ୍ଵାଶିଂଟନ ସୁନ୍ଦର ଖେଳି ପାରନ୍ତି।

ମେଲବର୍ଣ୍ଣର ପିଚକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ଦୁଇ ସ୍ପିନର ସହ ମଇଦାନକୁ ଓହ୍ଲାଇପାରେ । ଅନ୍ୟପଟେ ନୀତିଶ ଏ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଛନ୍ତି । ତେଣୁ ତାଙ୍କୁ ଜଣେ ବ୍ୟାଟର ଭାବେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ । ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ଆକାଶ ଦୀପଙ୍କୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିବ ।  ମେଲବର୍ଣ୍ଣର ପିଚ୍ ସ୍ପିନରଙ୍କୁ ସୁହାଇଥାଏ। ଏହି କାରଣରୁ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡ଼େଜା ଓ ଓ୍ଵାଶିଂଟନ ସୁନ୍ଦର ଉଭୟଙ୍କୁ ସୁଯୋଗ ମିଳିପାରେ । ଟସ୍ ଜିତିଲେ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇପାରେ । ଅଷ୍ଟ୍ରେଲିଆ ଏହି ଟେଷ୍ଟ ପାଇଁ  ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଛି । କଙ୍ଗାରୁ ଦଳ ୧୯ ବର୍ଷୀୟ ସ୍ୟାମ କୋନଷ୍ଟାସଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି । ନାଥନ ମ୍ୟାକସ୍ଵିନିଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି । ଆହତ ଜୋଶ ହେଜେଲଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି।

ଚତୁର୍ଥ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ 

ଉସ୍ମାନ ଖ୍ଵାଜା, ସ୍ୟାମ କୋନଷ୍ଟାସ, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ଟ୍ରେଭିସ ହେଡ, ମିଚେଲ୍ ମାର୍ଶ, ଆଲେକ୍ସ କେରି(ଓ୍ଵିକେଟ୍ କିପର), ପାଟ୍ କମିନ୍ସ, ନାଥନ ଲିୟୋନ, ମିଚେଲ୍ ଷ୍ଟାର୍କ ଓ ସ୍କୋଟ ବୋଲାଣ୍ଡ। 

 ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ

ଯଶସ୍ଵୀ ଜୟସ୍ଵାଲ, ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର, ଆକାଶଦୀପ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ।