ନୂଆଦିଲ୍ଲୀ: ପରାଜୟରୁ ମୁକୁଳି ପାରିଲାନି ପଞ୍ଜାବ । RCB ଠାରୁ ୨୩ ରନରେ ହାରିଛି । ୨୨୩ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୮ ଓ୍ବିକେଟରେ ୧୯୯ ରନ କରିବାରେ ସକ୍ଷମ ହୋଇଛି ଶ୍ରେୟସ ବାହିନୀ । ଦଳ ପକ୍ଷରୁ ଶଶାଙ୍କ ସିଂହ ସର୍ବାଧିକ ୫୬ ରନ କରିଛନ୍ତି । ତଥାପି ଦଳ ପରାଜୟରୁ ମୁକୁଳି ପାରିନି । RCB ପକ୍ଷରୁ ରସିଖ ସର୍ବାଧିକ ୪ ଓ୍ବିକେଟ ନେଇଛନ୍ତି ।
୨୨୩ ରନକୁ ପିଛା କରୁଥିବା ପଞ୍ଜାବ ପ୍ରଥମରୁ ଓ୍ବିକେଟ ହରାଇଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପ୍ରଭସିମରନ୍ ଏବଂ ପ୍ରିୟାଂଶ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ । ପ୍ରଭସିମରନ୍ ୨ ରନ କରିଥିବାବେଳେ ପ୍ରିୟାଂଶ ଖାତା ଖୋଲିପାରିନଥିଲେ । ପରେ ଶ୍ରେୟସ ମାତ୍ର ୧ କରି ଆଉଟ ହୋଇଥିଲେ ।
ନିଜ ଦଳକୁ ଜିତାଇବା ପାଇଁ ଶଶାଙ୍କ ସିଂହ ଲଢ଼ିଥିଲେ। ସେ ଅର୍ଦ୍ଧଶତକ ହାସଲ କରିଥିଲେ। ୨୭ଟି ବଲ୍ ଖେଳି ୪ଟି ଚୌକା ଏବଂ ୪ଟି ଛକା ସହାୟତାରେ ୫୬ ରନ୍ କରିଥିଲେ। କୋପର କନୋଲି ଏବଂ ମାର୍କସ ଷ୍ଟୋଇନିସ ପ୍ରତ୍ୟେକ ୩୭ ରନ୍ ଲେଖାଏଁ ଯୋଗଦାନ ଦେଇଥିଲେ। ସୂର୍ଯ୍ୟାଂଶ ଶେଡଗେ ୩୫ ରନ୍ କରିଥିଲେ।
ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବେଙ୍ଗଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୪ ଓ୍ବିକେଟରେ ୨୨୨ ରନ କରିଥିଲା ବେଙ୍ଗାଳୁରୁ । ଦଳ ପକ୍ଷରୁ ଭେଙ୍କଟେଶ ଆୟର ୪୦ ବଲରୁ ୭୩ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହାସହ ବିରାଟ କୋହଲି ୫୮ ରନ କରିଥିଲେ । ବିରାଟ ଏବଂ ପାଡିକ୍କଲ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ସେ ୪୫ ରନ କରିଥିବାବେଳେ ଡେଭିଡ ୨୮ ରନର ପାଳି ଖେଳିଥିଲେ । ପଞ୍ଜାବ ପକ୍ଷରୁ ବ୍ରାର ୨, ଚହଳ ଏବଂ ଅର୍ଶଦୀପ ସିଂହ ଗୋଟିଏ ଲେଖା ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।