ନୂଆଦିଲ୍ଲୀ ୦୫/୧୨: ରୁଷ୍‌ରେ ଏକ ରୋମାଞ୍ଚକର ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଜଟିଳ କ୍ରୀଡ଼ା ପାଇଁ ପ୍ରସିଦ୍ଧ ସର୍ଗେଈ ବୋୟତ୍ସୋଭ ଓ ତାଙ୍କ ଟିମ୍ ୫,୯୦୦ ଫୁଟ (ପ୍ରାୟ ୧,୮୦୦ ମିଟର) ଉଚ୍ଚରେ ଫୁଟ୍‌ବଲ ମ୍ୟାଚ୍ ଖେଳି ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ।

 ଋଷିଆ ଟାଇମ୍‌ର ରିପୋର୍ଟ ଅନୁସାରେ, ଏହି ମ୍ୟାଚ୍ ଭୂମି ଉପରେ ନୁହେଁ, ବରଂ ହଟ୍ ଏୟାର ବେଲୁନ୍ ତଳେ ନିର୍ମିତ ଏକ ଅସ୍ଥାୟୀ ଫୁଟ ବଲ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଘଟଣା ଗତ ୩ ତାରିଖର । ଏହାର ଭିଡିଓ ଇନ୍‌ଷ୍ଟାଗ୍ରାମରେ ଆସିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଭିଡିଓରେ ଖେଳାଳି ପବନରେ ଝୁଲୁଥିବା ପଡ଼ିଆରେ ଫୁଟ୍‌ବଲ୍  କିଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ସେମାନେ ପାରାସୁଟ୍ ବ୍ୟାଗ୍ ମଧ୍ୟ ସାଙ୍ଗରେ ରଖିଥିଲେ, ଯଦ୍ଦ୍ୱାରା କୌଣସି ବିପଦ ସ୍ଥିତିରେ ସେମାନେ ସୁରକ୍ଷିତ ରହିପାରିବେ । ଭିଡିଓରେ ଖେଳାଳିଙ୍କୁ ପବନରେ ହଲି-ଦୋହଲି ପଡ଼ିଆରେ ଦୌଡ଼ିବା, ପାସ୍ ଓ ଗୋଲ୍ ଦେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଉପରେ ଉଡୁଥିବା ଏକ ବିମାନ ଏହି ରୋମାଞ୍ଚକର ମୁହୂର୍ତ୍ତକୁ ସୁଟ୍ କରୁଥିଲା । ପ୍ରତିଯୋଗିତାରେ ଏକ ମଜାଦାର ମୁହୂର୍ତ୍ତ ଆସିଲା, ଯେଉଁଥିରେ ଖେଳାଳିମାନେ ପବନରେ କ୍ରିଷ୍ଟିନୋ ରୋନାଲ୍ଡୋଙ୍କ ପ୍ରସିଦ୍ଧ ‘ସିଉ’ ସେଲିବ୍ରେସନ୍ କଲେ । ଏହି ଦୃଶ୍ୟ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇଦେଲା ।

 

ସୋସିଆଲ ମିଡିଆରେ ଏ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି । ସର୍ଗେଈ ଇନ୍ଟାଗ୍ରାମ୍‌ରେ ନିଜ ଟିମ୍‌ରେ ଉପଲବ୍ଧି ଶେୟାର କରି ଏହାକୁ ସାହସ, କ୍ରୀଡ଼ା ଓ ଟିମ୍ୱର୍କର ବିଜୟ ବୋଲି କହିଛନ୍ତି । ଅନେକ ଅନ୍ତର୍ଜାତୀୟ ଖବରସଂସ୍ଥା ଏହି ଘଟଣାର ରିପୋର୍ଟିଂ କରିଛନ୍ତି ଏବଂ ଏହାକୁ ଏପର୍ଯ୍ୟନ୍ତର ଅନ୍ୟତମ ସବୁଠୁ ଅଭିନବ କ୍ରୀଡ଼ା ଉପଲବ୍ଧି ବୋଲି କହିଛନ୍ତି ।