ପାଟନା, ୧୫/୦୩: ବିହାରରେ ଆରମ୍ଭ ହେଲେ ସମ୍ରାଟ ଯୁଗ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ । ରାଜ୍ୟପାଳ ସୟଦ ଆତା ହସନୈନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସମ୍ରାଟ ବିହାରର ୨୪ତମ ଏବଂ ବିଜେପି ପକ୍ଷରୁ ପ୍ରଥମ ସିଏମ୍ ଭାବେ ପଦ ଭାର ସମ୍ଭାଳିଛନ୍ତି । ସେହିପରି ଜେଡିୟୁ କୋଟାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ବିଜୟ କୁମାର ଚୌଧୁରୀ ଏବଂ ବିଜେନ୍ଦ୍ର ପ୍ରସାଦ ଯାଦବ ଡେପୁଟି ସିଏମ୍ ହୋଇଛନ୍ତି । ବିହାର ଲୋକ ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବ ହୋଇଛି । ଏଥିରେ ଏନଡିଏ ଏବଂ ଜେଡିୟୁର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଚିରାଗ ପାସଓ୍ବାନ ଏବଂ ଜିତନ ରାମ ମାଝୀ ଉପସ୍ଥିତ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପାଟ୍ନାସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଆନୁଷ୍ଠାନିକ ଭାବେ ସମ୍ରାଟ ଚୌଧୁରୀଙ୍କ ନାମକୁ ବିଧାୟକ ଦଳର ନେତା ଭାବେ ପ୍ରସ୍ତାବ ରଖିଥିଲେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଶିବରାଜ ସିଂହ ଚୌହାନ ତାଙ୍କୁ ସମର୍ଥନ କରିଥିଲେ । ବୈଠକରେ ସର୍ବସମ୍ମତିରେ ସମ୍ରାଟ ଚୌଧୁରୀ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ । ପରେ ବିଧାନସଭାର ସେଣ୍ଟ୍ରାଲ ହଲ୍ରେ ଏନ୍ଡିଏ ବିଧାୟକଙ୍କ ବୈଠକ ହୋଇଥିଲା । ନୀତୀଶ କୁମାର ବୈଠକରେ ସମ୍ରାଟଙ୍କ ଲାଗି ପ୍ରସ୍ତାବକ ସାଜିଥିଲେ । ଏନ୍ଡିଏ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ସମ୍ରାଟଙ୍କୁ ନୀତୀଶ ଫୁଲମାଳ ପିନ୍ଧାଇଥିଲେ । ସମ୍ରାଟ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଏହାପରେ ସମ୍ରାଟ କହିଥିଲେ ଯେ ସେ ନୀତୀଶଙ୍କଠାରୁ ରାଜନୀତି ଶିଖିଛନ୍ତି । ତାଙ୍କ ସହ କାମ କରିଛନ୍ତି । ନୀତୀଶଙ୍କ ସମୃଦ୍ଧ ବିହାରକୁ ଆଗକୁ ନେବାର କାର୍ଯ୍ୟ କରିବେ । ୧୯୯୦ ମସିହାରେ ସକ୍ରିୟ ରାଜନୀତିରେ ପାଦ ରଖିଥିବା ସମ୍ରାଟ ଚୌଧୁରୀ ଅନେକ ଥର ଦଳ ପରିବର୍ତ୍ତନ କରିଛନ୍ତି । ଲାଲୁ ପ୍ରସାଦ ଯାଦବଙ୍କ ଆର୍ଜେଡିରୁ ସେ ପ୍ରଥମେ ଜେଡିୟୁ ଏବଂ ପରେ ୨୦୧୭ରେ ବିଜେପିରେ ସାମିଲ ହୋଇଥିଲେ । ୨୦୨୫ରେ ସେ ଦ୍ୱିତୀୟ ଥର ବିହାରର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଅଧିକ ପଢ଼ନ୍ତୁ- କେନ୍ଦ୍ରର ଚିଠା ବିଲ୍ ପ୍ରସ୍ତୁତ: ବଢ଼ିବ ଲୋକସଭା ଆସନ ସଂଖ୍ୟା, ଜାଣନ୍ତୁ କେଉଁ ରାଜ୍ୟରେ କେତେ ହେବ ବୃଦ୍ଧି