ନୂଆଦିଲ୍ଲୀ, ୦୮/୦୧ : ଜାନୁଆରୀ ୧୫ରେ ମହାରାଷ୍ଟ୍ର ବିଏମସି ନିର୍ବାଚନ। ୨୯ ନଗର ନିଗମରେ ମେୟର ବାଛିବେ ଭୋଟର । ମୁମ୍ଵାଇ ମେୟର ସିଟ୍ କୁ ନେଇ ହିନ୍ଦୁ-ମରାଠି ବନାମ ବୁର୍ଖା ରାଜନୀତି। ଏକଜିଟ୍ ପୋଲ୍ ରେ ବିଜେପି-ସିନ୍ଦେ ମହାମେଣ୍ଟର ପଲ୍ଲା ଭାରି । ସେହିପରି ମୁମ୍ଵାଇରେ ଏଥର ମରାଠି ମେୟର ଦାବି କରିଛି ଠାକରେଙ୍କ ଶିବସେନା। ଶାସକ-ବିରୋଧୀଙ୍କ ଭିତରେ ଚାଲିଛି ଛକାପଞ୍ଝା। ଭୋଟରଙ୍କୁ ମନେଇବାକୁ ଚାଲିଛି ବୟାନବାଜି। ସେପଟେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ସିନ୍ଦେ ଶିବସେନା ଉପରେ ବର୍ଷିଲେ ଉଦ୍ଧବ ଠାକରେ ଶିବସେନାର ମୁଖପାତ୍ର ସଞ୍ଜୟ ରାୱତ। କହିଲେ ମୁମ୍ଵାଇକୁ ଦୁର୍ବଳ କରିବାକୁ ଚାଲିଛି ଷଡ଼ଯନ୍ତ୍ର।
'ମୁମ୍ଵାଇକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ଚାଲିଛି'
ସଞ୍ଜୟ ରାୱତ କହିଛନ୍ତି ଯେ, 'କିଛି ବର୍ଷ ହେବ ମୁମ୍ଵାଇକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଭିନ୍ନ ମୁମ୍ଵାଇ ତିଆରି କରିବାକୁ ଯୋଜନା କରାଯାଉଛି। ଯେଉଁଠି ଠାକରେ ସେଇଠି ଶିବସେନା। ଶିବସେନା ସିନ୍ଦେ, ଅମିତ ଶାହଙ୍କ ଦ୍ଵାରା ତିଆରି ହୋଇଥିବା ପାର୍ଟି। ଯେପର୍ଯ୍ୟନ୍ତ ଅମିତ ଶାହ ଅଛନ୍ତି ସେପର୍ଯ୍ୟନ୍ତ ଦୋକାନ ଚାଲିବ। ଯଦି ମୋ ହାତରେ ନିର୍ବାଚନ ଆୟୋଗ ଓ ପୁଲିସ ଥା’ନ୍ତେ ତାହେଲେ ବିଜେପିକୁ ୪ ଫାଳ କରି ଦେଇଥାନ୍ତି । ମୁମ୍ଵାଇର ଡେଥ୍ ୱାରେଣ୍ଟ୍ ଦିଲ୍ଲୀରୁ ଆସି ସାରିଛି। ଏହାକୁ ରୋକିବାକୁ ହେବ, ମୁମ୍ଵାଇକୁ ବଞ୍ଚାଇବାକୁ ସମୟ ଆସିଛି। କଂଗ୍ରେସ ସହ ମେଣ୍ଟ ନେଇ ସଞ୍ଜୟ କହିଛନ୍ତି ଯେ, ଆମେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଏକାଠି ଥିଲୁ। ଆମେ ମିଶି ମୁମ୍ଵାଇରେ ଗେରୁଆ ପତାକା ଉଡ଼ାଇବୁ। ମୁମ୍ଵାଇକୁ ମରାଠୀ ମେୟର ଦେବୁ। ହିନ୍ଦୁ ଓ ମରାଠିଙ୍କ ଭିତରେ ତଫାତ୍ କ'ଣ । ମରାଠି କ'ଣ ହିନ୍ଦୁ ନୁହଁନ୍ତି ପ୍ରଶ୍ନ କରିଛନ୍ତି ସଞ୍ଜୟ। '
ସୂଚନା ଥାଉକି, ଜାନୁଆରୀ ୧୫ରେ ମହାରାଷ୍ଟ୍ରର ୨୯ ମହାନଗର ନିଗମରେ ନିର୍ବାଚନ ହେବ। ଜାନୁଆରୀ ୧୬ରେ ଫଳାଫଳ ଘୋଷଣା ହେବ। ବିଏମସି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର୍ ଝଟକା ଲାଗିଛି । କଂଗ୍ରେସର ୧୨ ନିଲମ୍ଵିତ କର୍ପୋରେଟର ବିଜେପିରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ର ବିଜେପିର ଅଧ୍ୟକ୍ଷ ରବୀନ୍ଦ୍ର ଚୌହ୍ଵାନଙ୍କ ଉପସ୍ଥିତିରେ ଏହି କରପୋରେଟରମାନେ ପଦ୍ମ ଧରିଛନ୍ତି।