ନୂଆଦିଲ୍ଲୀ,୧୭।୧୧: ସାଉଦି ଆରବ ବସ୍ ଅଗ୍ନିକାଣ୍ଡ ଘଟଣା କେବଳ ମାତ୍ର ଏକ ଦୁର୍ଘଟଣା ନୁହେଁ, ଏହା ଦ୍ବାରା ୪୨ ଭାରତୀୟ ଯାତ୍ରୀଙ୍କ ଅନ୍ତିମ ଯାତ୍ରା ପାଲଟିଥିଲା। ତାଙ୍କ ଭିତରେ ରହିଛନ୍ତି ଗୋଟିଏ ପରିବାରର ୧୮ ସଦସ୍ୟ। ଏହି ଦୁର୍ଘଟଣାରେ ତିନି ପିଢୀ ଶେଷ ହୋଇଛି। ପ୍ରାୟ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଛି।
ଏହି ସମସ୍ତେ ମକ୍କାରୁ ମଦିନା ଯାଉଥିଲେ। ଉମରା ଶେଷ କରିସାରିଥିଲେ। ଘରକୁ ଫେରିବା କଥା ହେଉଥିଲେ। ପିଲାମାନେ ଅଜା-ଆଇଙ୍କ ପାଇଁ ବି ଉପହାର ରଖିସାରିଥିଲେ। କିନ୍ତୁ ବସ୍ ଯେତେବେଳେ ଡିଜେଲ ଟ୍ୟାଙ୍କରକୁ ଧକ୍କା ମରିଥିଲା, ମାତ୍ର କିଛି କ୍ଷଣକରେ ସବୁକିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା।
ହାଇଦ୍ରାବାଦର ମୁସିରାବାଦରେ ରହୁଥିବା ଶେଖ୍ ନସିରୁଦ୍ଧିନ୍ ଓ ତାଙ୍କ ପତ୍ନ ଅଖତର ବେଗମ୍ ମଧ୍ୟ ଏହି ବସ୍ ଥିଲେ। ତାଙ୍କ ସହ ପୁଅ, ଦୁଇ ଝିଅ, ବୋହୁ ଓ ପରିବାରର ବାକି ସଦସ୍ୟ ମଧ୍ୟ ଥିଲେ। ସମ୍ପର୍କୀୟଙ୍କ କହିବା ଅନୁସାରେ, ଏହି ଯାତ୍ରା ପାଇଁ କିଛି ସପ୍ତାହ ପୂର୍ବରୁ ପ୍ରସ୍ତୁତି ହୋଇଥିଲେ। ସମସ୍ତେ ଖୁବ୍ ଖୁସି ଥିଲେ। ହେଲେ ଆଜି ସେଇ ଘରେ ଦୁଃଖ ଖେଳି ଯାଇଛି।