- ଧାର ବିବାଦୀୟ ଭୋଜଶାଳା ମାମଲାରେ ସୁପ୍ରିମ ରାୟ
- ବସନ୍ତ ପଞ୍ଚମୀରେ ପୂଜା ସହ ହେବ ନମାଜ ପାଠ
- ହିନ୍ଦୁଙ୍କୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପୂଜା କରିବାର ଅନୁମତି
- ମୁସଲମାନ ମଧ୍ୟାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ପଢିବେ ନମାଜ
ନୂଆଦିଲ୍ଲୀ,୨୨।୧: ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ବିବାଦୀୟ ଭୋଜଶାଳାରେ ବସନ୍ତ ପଞ୍ଚମୀ ଦିନ ପୂଜା ସହ ନମାଜ ମଧ୍ୟ ହେବ। ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି, ହିନ୍ଦୁଙ୍କୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପୂଜା କରିବାର ଅନୁମତି ମିଳିବ। ସେଭଳି ମୁସଲମାନଙ୍କୁ ମଧ୍ୟାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଶୁକ୍ରବାର ନମାଜ ପଢିବାକୁ ଅନୁମତି ଦିଆଯାଇଛି।
ହିନ୍ଦୁ ଓ ମୁସଲମାନ ଗୋଷ୍ଠୀ ୨୩ ଜାନୁଆରୀ, ଶୁକ୍ରବାର ଭୋଜଶାଳା ପରିସରରେ ଧାର୍ମିକ ଗତିବିଧି ପାଇଁ ଅନୁମତି ମାଗିଥିଲେ। ଏହି ଦିନ ବସନ୍ତ ପଞ୍ଚମୀ ଅବସରରେ ସରସ୍ବତୀ ପୂଜା ବି କରାଯିବ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ବିପୁଳ ଏମ୍ ପାଞ୍ଚୋଲିଙ୍କ ଖଣ୍ଡପୀଠ ଦୁଇ ପକ୍ଷକୁ ପାରସ୍ପାରିକ ସମ୍ମାନ ଓ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସହ ସହଯୋଗ କରିବାକୁ ଅପିଲ କରିଛନ୍ତି।'
ଖଣ୍ଡପୀଠ ଜିଲ୍ଲା ପ୍ରଶାସନଙ୍କୁ ସେହି ସ୍ଥାନରେ ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି। ଦେଶର ସବୁଠାରୁ ବଡ଼ କୋର୍ଟ କହିଛନ୍ତି, ବିବାଦୀୟ ଭୋଜଶାଳାରେ ନମାଜ ପାଇଁ ଆସୁଥିବା ମୁସଲମାନ ସମ୍ରଦାୟର ବ୍ୟକ୍ତିଙ୍କ ସଂଖ୍ୟା ଜିଲ୍ଲା ପ୍ରଶାସନକୁ କୁହାଯାଉ। ହିନ୍ଦୁ ସମ୍ପ୍ରଦାୟ ଭୋଜଶାଳାକୁ ବାଗଦେବୀ (ଦେବୀ ସରସ୍ବତୀ) ଙ୍କ ମନ୍ଦିର କହୁଛି। ସେଭଳି ମୁସଲମାନ ପକ୍ଷ ଏହାକୁ କମାଲ ମୌଲା ମସଜିଦ୍ କହୁଛି। ଏଏସ୍ଆଇର ୭ ଏପ୍ରିଲ ୨୦୦୩ ରେ ଜାରି ବ୍ୟବସ୍ଥା ଅନୁସାରେ, ହିନ୍ଦୁଙ୍କୁ ପ୍ରତି ମଙ୍ଗଳବାର ଭୋଜଶାଳାରେ ପୂଜା କରିବାର ଅନୁମତି ରହିଛି। ସେଭଳି ମୁସଲମାନମାନେ ପ୍ରତି ଶୁକ୍ରବାର ଏଠାରେ ନମାଜ ପଢିପାରିବେ। ଗତ ୨୩ ବର୍ଷ ଧରି ଏହି ବ୍ୟବସ୍ଥା ରହିଛି। ଏଥର ଶୁକ୍ରବାର ଦିନ ହିଁ ବସନ୍ତ ପଞ୍ଚମୀ କାରଣରୁ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହା ପୂର୍ବରୁ ୨୦୧୬ ରେ ମଧ୍ୟ ବସନ୍ତ ପଞ୍ଚମୀ ଶୁକ୍ରବାର ଥିଲା। ସେତେବେଳେ ଭୋଜଶାଳାରେ ପୂଜା ଓ ନମାଜର ସମୟକୁ ନେଇ ବିବାଦ ହୋଇଥିଲା। ସ୍ଥାନୀୟ ସ୍ତରରେ ବିରୋଧ ପ୍ରଦର୍ଶନ ଓ ସଂଘର୍ଷ ହୋଇଥିଲା । ଏଥର ପ୍ରଶାସନ ପୂର୍ବରୁ ହିଁ ସୁରକ୍ଷା ବଢାଇ ଦେଇଛି।
ଆହୁରି ପଢନ୍ତୁ:ଟାରିଫ୍ ଧମକ ପାଇଁ ଟ୍ରମ୍ପଙ୍କୁ ଲାଗିବ ଡବଲ ଝଟକା :୨୭ଟି ଭାଙ୍ଗିବେ ବାଣିଜ୍ୟ ଚୁକ୍ତି, ଭାରତକୁ ମିଳିବ ଲାଭ