କଟକ,୨୮/୦୨: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମାନ ସୁଯୋଗ, ଅଧିକାର ଏବଂ ପୂର୍ଣ୍ଣ ସହଯୋଗ ପାଇଁ ପିଡବ୍ଲୁ ଆକ୍ଟ ୧୯୯୫ ଅନୁସାରେ ଏସ୍‌ସିବି ମେଡିକାଲ୍‌ ପରିସରରେ ୨୦୦୧ ଫେବ୍ରୁଆରୀ ୨୮ରେ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର (ରିଜିଓନାଲ୍‌ ସ୍କାଇନାଲ୍‌ ଇଞ୍ଜୁରି ସେଣ୍ଟର୍‌) ସ୍ଥାପିତ ହୋଇଥିଲା । ଶନିବାର ଏହି ଚିକିତ୍ସା ଅନୁଷ୍ଠାନ ରୌପ୍ୟ ଜୟନ୍ତୀ ପାଳନ କରିବ । ତେବେ ୧୦ଟି ବେଡ୍‌ ଓ କିଛି ଅବସରପ୍ରାପ୍ତ ହାତଗଣତି କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଦୀର୍ଘ ୨୫ ବର୍ଷ ହେଲା ବାଟବଣା ସ୍ଥିତିରେ ରହିଛି । ୨୫ ବର୍ଷ ମଧ୍ୟରେ ଏହି ସ୍ପାଇନାଲ୍‌ ଇଞ୍ଜୁରି ସେଣ୍ଟର୍‌ରେ ଶଯ୍ୟା ବଢ଼ି ୪୫ରେ ପହଞ୍ଚିଛି ।

ହେଲେ ଏଠାରେ ଜଣେ ହେଲେ ନିୟମିତ ଡାକ୍ତର ନାହାନ୍ତି । ସେହିପରି ସ୍ଥାୟୀ ନିର୍ଦ୍ଦେଶକ ନାହାନ୍ତି । କେତେବେଳେ ଅବସରପ୍ରାପ୍ତ ଡାକ୍ତର ତ’ ଆଉ କେତେବେଳେ ଏସ୍‌ସିବି ଅର୍ଥୋପେଡିକ୍‌ ବିଭାଗ ପ୍ରଫେସର୍‌ଙ୍କୁ ଇନ୍‌ଚାର୍ଜ ନିର୍ଦ୍ଦେଶକ ଦାୟିତ୍ୱ ଦେଇ କାମ ଚାଲିଛି । ୨୪ ଘଣ୍ଟିଆ ଡାକ୍ତର ନାହାନ୍ତି । ଅପରାହ୍ନ ୫ଟା ପରଠୁ ତା’ ପର ଦିନ ସକାଳ ୯ଟା ଯାଏ ଡାକ୍ତରଙ୍କୁ ରୋଗୀ ଖୋଜିଲେ ମିଳିବା ଅସମ୍ଭବ । ସରକାରୀ ଛୁଟି ଦିନରେ ଡାକ୍ତରଙ୍କର ମଧ୍ୟ ଦେଖା ନଥାଏ । ଏହି ଚିକିତ୍ସା ଅନୁଷ୍ଠାନ ଏବେ କେବଳ ଫିଜିଓଥେରାପିରେ ସୀମିତ । ପ୍ରାୟ ୨୦/୨୫ ବର୍ଷ ହେଲା ଏଠାରେ ନିଯୁକ୍ତି ପାଇ ଥିବା କର୍ମଚାରୀଙ୍କ ଚାକିରିରେ ସମସ୍ୟା ଲାଗିରହିଛି । ୩୨ କର୍ମଚାରୀରୁ କେତେକଙ୍କ ଚାକିରି ନିୟମିତ ହୋଇଥିବାବେଳେ ଆଉ କେତେକଙ୍କ ଭାଗ୍ୟ ସୂତା ଖିଅରେ ଝୁଲୁଛି । ନିୟମିତ ହୋଇଥାଇ ବି କର୍ମଚାରୀ ଷଷ୍ଠ ବେତନ କମିସନ ହାରରେ ଦରମା ପାଉନାହାନ୍ତି ।

ଆହୁରି ପଢନ୍ତୁ-ପିସିଆର୍‌ କର୍ମଚାରୀଙ୍କୁ ପୁଲିସର ଫତୁଆ: ଆଉ ଚଳିବନି ମନମାନି, ଉଲମ ବିଲମ କଲେ ସିଧା ସସ୍‌ପେଣ୍ଡ୍

ଚାକିରି ନିୟମିତ ଓ ନ୍ୟାଯ୍ୟ ସରକାରୀ ସୁବିଧା ପାଉନଥିବାରୁ ଏଠାରେ କର୍ମଚାରୀ ଅସନ୍ତୋଷ ଲାଗି ରହିଛି । ଅଦାଲତରେ ୩୦ରୁ ଅଧିକ ମାମଲା ବିଚାରାଧୀନ ରହିଛି । ଏଠାରେ ପରିଚାଳନା କମିଟି ନାହିଁ । ଗଭର୍ଣ୍ଣିଂ ବଡ଼ି ମିଟିଂ ୩ ବର୍ଷରୁ ଅଧିକ ସମୟ ହେବ ବସିନି । ଅନ୍ୟପକ୍ଷରେ ରୋଗୀଙ୍କର ମାଳମାଳ ସମସ୍ୟା । ନିଦାନ ସୁବିଧା କିମ୍ବା ନିରାମୟ ଯୋଜନାରେ ଔଷଧ ବିତରଣ କେନ୍ଦ୍ର ନାହିଁ । ଓଟି ସପ୍ତାହରେ ଦୁଇ ଦିନ ଖୋଲୁଛି । ଏହି ଦୁଇ ଦିନରେ ଦୁଇ ତିନି ଜଣ ରୋଗୀ ଅପରେସନ୍‌ ହେଉଥିବା ବେଳେ ସରକାରୀ ଛୁଟି ଦିନରେ ଫିଜିଓଥେରାପି ବନ୍ଦ । ଅପରାହ୍ନ ୫ଟା ପରେ ଡାକ୍ତର ରହୁନଥିବାରୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ନର୍ସିଂ କର୍ମଚାରୀ, ସିକ୍ୟୁରିଟି ଗାର୍ଡ ଭରସା । ଏହାକୁ ପିଏମ୍‌ଆର୍‌ ସେଣ୍ଟର୍‌ କରିବା ପାଇଁ ୨୦୨୧ରେ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା । ମାତ୍ର ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରୁନାହିଁ । ଫିଜିକାଲ୍‌ ମେଡିସିନ୍‌ ଆଣ୍ଡ୍‌ ରିହାବିଲିଟେସନ୍‌ (ପି.ଏମ୍‌.ଆର୍‌) ସେଣ୍ଟର୍‌ ହୋଇଥିଲେ ଉକ୍ତ ଅନୁଷ୍ଠାନ ଏସ୍‌ସିବି ମେଡିକାଲ ପ୍ରଶାସନ ସହ ମିଶ୍ରଣ ହୋଇଥାନ୍ତା । ଫଳରେ ଚିକିତ୍ସା ଭିତ୍ତିଭୂମି ଦୃଢ଼ ହୋଇପାରିଥାନ୍ତା । ସେହିପରି କର୍ମଚାରୀଙ୍କ ସମସ୍ୟାର ସରକାରୀ ସ୍ତରରେ ସମାଧାନ ହୋଇପାରିଥାନ୍ତା । ମାତ୍ର ଏଥିପ୍ରତି ସରକାରୀ ସ୍ତରରେ ଉଚ୍ଚପଦସ୍ଥ ଅଧିକାରୀ କେହି ଦୃଷ୍ଟି ଦେଉ ନଥିବାରୁ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ସ୍ଥିତି ବିଗିଡ଼ିବାରେ ଲାଗିଛି । ଶନିବାର ରୌପ୍ୟ ଜୟନ୍ତୀ ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।