କଟକ,୧୮/୦୧: ରାଜ୍ୟ ସରକାରଙ୍କ ଅନୁମତି ବିନା ଅନୁସୂଚିତ ଜାତି(ଏସ୍‌ସି )ବର୍ଗର ଜମି ବିକ୍ରି କରିବା ଅବୈଧ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି । ରମଣୀମଣି ବେହେରାଙ୍କ ପକ୍ଷରୁ ଆଗତ ମାମଲା ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ରାୟ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ମୟୂରଭଞ୍ଜ ଜିଲ୍ଲାର ରମଣୀମଣି ବେହେରା (ସାଧାରଣ ବର୍ଗ) ୧୯୬୯ ଏବଂ ୧୯୭୨ ମସିହାରେ ଭାଗବତ ବେହେରା ଓ ଶମ୍ଭୁ ବେହେରା (ଅନୁସୂଚିତ ଜାତି)ଙ୍କ ଠାରୁ କିଛି ଜମି କିଣିଥିଲେ । ଓଡ଼ିଶା ଭୂସଂସ୍କାର ଅଧିନିୟମ (ଓଏଲଆର ଆକ୍ଟ)ର ଧାରା ୨୨ ଅନୁଯାୟୀ, ଏଭଳି ବିକ୍ରି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ଆବଶ୍ୟକ । କିନ୍ତୁ ଏହି ଜମି ବିକ୍ରିଖର୍ଦ୍ଦି ପୂର୍ବରୁ ଏଭଳି କୌଣସି ଅନୁମତି ନିଆଯାଇ ନଥିଲା । ଏହି ଆଧାରରେ ତାଙ୍କ ଆବେଦନକୁ ମୟୂରଭଞ୍ଜ ଜିଲ୍ଲାପାଳ ଖାରଜ କରି ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନକାରିଣୀଙ୍କ ପକ୍ଷରୁ ଯୁକ୍ତିରେ କୁହାଯାଇଥିଲା କି, ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଜମିକୁ ଦଖଲ କରି ରଖିଥିବାରୁ ଏହା ଉପରେ ତାଙ୍କର ମାଲିକାନା ସତ୍ତ୍ୱ ରହିଛି । ସେ ଏହି ଜମିର ପ୍ରକୃତ ମାଲିକ । ତେଣୁ ତାଙ୍କ ନାମରେ ଏହି ଜମିକୁ କରାଯିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ଜମି ହସ୍ତାନ୍ତର ଆଇନଗତ ଭାବେ ଅବୈଧ, ତେବେ ସେଠାରେ "ପ୍ରତିକୂଳ ଦଖଲ' (ଆଡଭର୍ସ ପଜେସନ୍) ର ଦାବି ଗ୍ରହଣଯୋଗ୍ୟ ନୁହେଁ । ଏହି ଆଧାରରେ ହାଇକୋର୍ଟ ଆବେଦନକାରିଣୀଙ୍କ ପିଟିସନ୍କୁ ଖାରଜ କରିବା ସହ ଜିଲ୍ଲାପାଳଙ୍କ ଆଦେଶକୁ କାଏମ୍ ରଖିଛନ୍ତି ।