ରାଉରକେଲା,୨୦/୧୨: ଓଭରଟେକ୍‌ କରୁଥିବା ବେଳେ ଧକ୍କା ଦେଲା କାର୍‌ । ଭାରସାମ୍ୟ ହରାଇ ଡିଭାଇଡ଼ର ଉପରେ ଚଢିଗଲା ଦିଲ୍ଲୀ ପବ୍ଲିକ ସ୍କୁଲ ବସ୍‌ । ଅଳ୍ପକେ ବର୍ତ୍ତିଲେ ୩୦ ଛାତ୍ରଛାତ୍ରୀ । ଘଟଣା ସ୍ଥଳରେ କାର୍ ଛାଡ଼ି ଚାଳକ ଫେରାର ହୋଇଥିବା ବେଳେ କାର୍‌ରେ ଥିବା ଅନ୍ୟ ଜଣଙ୍କୁ ସେକ୍ଟର ୧୯ ଥାନାରେ ଅଟକ ରଖିଛି ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ହାଉସ ରିଙ୍ଗ ରୋଡରେ ଏଭଳି ଘଟଣା ଘଟିଛି ।  

ସୂଚନା ମୁତାବକ, ଦିଲ୍ଲୀ ପବ୍ଲିକ ସ୍କୁଲ୍‌ର ଏକ ବସ୍‌ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍‌କୁ ଯାଉଥିଲା । ଏହି ସମୟରେ ରାଉରକେଲା ହାଉସ ରିଙ୍ଗ ରୋଡରେ ଏକ କାର୍‌ ଓଭରଟେକ୍‌ କରି ବସ୍‌କୁ ଧକ୍କା ଦେଇଥିଲା । ଫଳରେ ବସ୍‌ଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢି ଯାଇଥିଲା । ଫଳରେ ବସ୍‌ ଭିତରେ ଥିବା ୩୦ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଇଦ୍ଧାର କରିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ କାର୍‌ର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଛି । ହେଲେ କାର୍‌ରେ ବସିଥିବା ଅନ୍ୟ ଜଣଙ୍କୁ ସେକ୍ଟର ୧୯ ଥାନାରେ ଅଟକ ରଖି ପଟରା ଉଚରା କରୁଛି ପୋଲିସ ।