ପୁରୀ,୧୨/୦୧: ପୁରୀ ଜିଲ୍ଲାରେ ଝିଅଙ୍କ ଅପେକ୍ଷା ପୁଅମାନେ ଅଧିକ ସଂଖ୍ୟାରେ ଅଧାରୁ ପାଠ ଛାଡ଼ୁଛନ୍ତି । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଅପେକ୍ଷା ହାଇସ୍କୁଲ ସ୍ତରରେ ଅଧିକ ବିଦ୍ୟାର୍ଥୀ ପାଠ ଛାଡ଼ୁଛନ୍ତି । ସରକାରୀ ଏହି ରିପୋର୍ଟ ଏବେ ବୁଦ୍ଧିଜୀବୀ ମହଲରେ ଉଦ୍ବେଗର କାରଣ ହୋଇଛି । ଯଦିଓ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଡ୍ରପ୍ଆଉଟ୍ ବା ପାଠ ଛାଡ଼ୁଥିବା ବିଦ୍ୟାର୍ଥୀଙ୍କ ପରିମାଣରେ ସୁଧାର ଆସିଛି । ମାତ୍ର ତାହା ଶୂନ୍ୟ ହୋଇପାରୁନି । ସରକାରୀ ସ୍କୁଲରେ ବ୍ୟାପକ ପ୍ରୋତ୍ସାହନ ଦିଆଯିବା ସତ୍ତେ୍ୱ ପାଠ ପ୍ରତି ବିଦ୍ୟାର୍ଥୀ ବିମୁଖ ହେଉଛନ୍ତି । ପାଠ ଛାଡ଼ୁଥିବା ବିଦ୍ୟାର୍ଥୀଙ୍କୁ ସ୍କୁଲ ଆଣିବାରେ ସରକାରଙ୍କ ପଦକ୍ଷେପକୁ ବିଭାଗୀୟ କର୍ତ୍ତୃପକ୍ଷ ସଫଳ କରିନପାରିବା ଜିଲ୍ଲାରେ ସାକ୍ଷରତା ମିଶନକୁ ଶକ୍ତ ଧକ୍କା ଦେଉଛି । ଜିଲ୍ଲାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସରକାରୀ ତଥ୍ୟ ମୁତାବକ, ଜିଲ୍ଲାରେ ୨୦୨୪-୨୫ରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଡ୍ରପ୍ ଆଉଟ ହାର ୦.୮% ଥିଲା । ଏହା ମଧ୍ୟରେ ୧.୩% ପୁଅ ଓ ୦.୨% ଝିଅ ରହିଥିଲେ । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ସ୍ତରରେ ମୋଟ ଡ୍ରପ୍ ଆଉଟ୍ ହାର ୦.୫% ରହିଥିଲା । ଯାହା ଭିତରେ ୦.୬% ପୁଅ ଓ ୦.୫% ଝିଅ ଥିଲେ । ନବମରୁ ଦଶମ ପର୍ଯ୍ୟନ୍ତ ହାଇସ୍କୁଲ ସ୍ତରରେ ଡ୍ରପ୍ ଆଉଟ୍ ପ୍ରତି ୭.୯ ରହିଥିଲା । ଯାହା ଭିତରେ ୯.୭% ପୁଅ ରହିଥିବା ବେଳେ ୬% ଝିଅ ରହିଛନ୍ତି । ୨୦୨୩- ୨୪ ଆର୍ଥିକ ବର୍ଷକୁ ଦୃଷ୍ଟି ଦେଲେ ପ୍ରାଥମିକ ସ୍କୁଲ ସ୍ତରରେ ୦.୧, ଉଚ୍ଚ ପ୍ରାଥମିକ ସ୍ତରରେ ୦.୧ ଓ ହାଇସ୍କୁଲ ସ୍ତରରେ ୬.୬% ଡ୍ରପ ଆଉଟ୍ ରହିଥିଲା । ହାଇସ୍କୁଲ ସ୍ତରରେ ଡ୍ରପ୍ ଆଉଟ୍ଙ୍କ ମଧ୍ୟରେ ୭.୯% ପୁଅ ଓ ୫.୨% ଝିଅ ରହିଥିଲେ । ୨୦୨୨-୨୩କୁ ସମୀକ୍ଷା କଲେ ପ୍ରାଥମିକ ସ୍ତରରେ ୦.୩୪%, ଉଚ୍ଚ ପ୍ରାଥମିକ ସ୍ତରରେ ୧.୧୭% ଓ ହାଇସ୍କୁଲ ସ୍ତରରେ ୧୩.୨୨% ଡ୍ରପ୍ଆଉଟ୍ ରହିଥିଲା । ହାଇସ୍କୁଲ ସ୍ତରରେ ପାଠ ଛାଡ଼ିଥିବାଙ୍କ ମଧ୍ୟରେ ୧୪.୮୩% ପୁଅ ଓ ୧୧.୪୮% ଝିଅ ରହିଥିଲେ । ୨୦୨୧- ୨୨ରେ ପ୍ରଥମିକ ସ୍କୁଲସ୍ତରରେ ୦.୧%, ଉଚ୍ଚ ପ୍ରାଥମିକ ସ୍ତରରେ ୭.୧୬%, ହାଇସ୍କୁଲ ସ୍ତରରେ ୨୦.୨୪% ପାଠ ଛାଡ଼ିଥିଲେ । ଉଚ୍ଚ ପ୍ରାଥମିକ ସ୍ତରରେ ପାଠ ଛାଡ଼ିଥିବାଙ୍କ ମଧ୍ୟରେ ୭.୭୪% ପୁଅ ଓ ୬.୫୪% ଝିଅ ପାଠ ଛାଡ଼ିଥିଲେ । ଯେତେବେଳେ କି ହାଇସ୍କୁଲ ସ୍ତରରେ ୨୩.୧୬% ପୁଅ ଓ ୧୭.୦୫% ଝିଅ ପାଠ ଛାଡ଼ିଥିଲେ ।
ଡ୍ରପ୍ଆଉଟ୍ ରୋକିବାକୁ ସରକାର ପୁରୀ ଜିଲ୍ଲାରେ ପ୍ରବେଶ ଉତ୍ସବ ଓ ସଚେତନତା ରଥ ଗଡ଼ାଇବା, ଅଭିଭାବକ-ଶିକ୍ଷକ ସଭା, ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ସାଇକେଲ ବଣ୍ଟନ, ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ, ଏସ୍ସି ଓ ଏସ୍ଟି ବିଦ୍ୟାର୍ଥୀଙ୍କୁ ମାଗଣା ପାଠ୍ୟ ପୁସ୍ତକ, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ରନ୍ଧା ଖାଦ୍ୟ, ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ, ସାଇନ୍ସଲ୍ୟାବ, ଖେଳପଡ଼ିଆର ଉନ୍ନତି, ବିଭିନ୍ନ କ୍ରୀଡ଼ାର ସୁଯୋଗ, ବିଦ୍ୟାଳୟର ପରିବେଶ ସୁନ୍ଦର ରଖିବା, ଆବଶ୍ୟକ ଆସବାବପତ୍ର ଯୋଗାଇବା, ପରିମଳ ସୁବିଧା ସୁନିଶ୍ଚିତ କରିବା, ଛାତ୍ର ବୃତ୍ତି, ମାତୃଭାଷାଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ, କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ (କେଜିବିଭି)ରେ ପାଠପଢ଼ା ସୁବିଧା, ଉଚ୍ଚ ପ୍ରାଥମିକ ଓ କେଜିବିଭିରେ ସାନିଟାରୀ ଭେଣ୍ଡିଂ ମେସିନ୍, ଲିଙ୍ଗଗତ ଭେଦଭାବ ଦୂରୀକରଣ ଓ କନ୍ୟାସନ୍ତାନ ପାଇଁ ଅନୁକୂଳ ପରିବେଶ କାର୍ଯ୍ୟକ୍ରମ ‘ବର୍ଣ୍ଣାଳୀ’, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଶିକ୍ଷାର୍ଥୀଙ୍କୁ ଟ୍ରାଇସାଇକେଲ, ହୁଇଲ୍ ଚେୟାର, ପଠନ ସହାୟତା ଭତ୍ତା, ବ୍ରେଲି, ବଡ଼ ଛାପା ପୁସ୍ତକ, ଫିଜିଓଥେରାପି, ସ୍ପିଚ୍, ଶୁଖିଲା ରାସନ ଘରେ ଦେବା, ବିଦ୍ୟାଳୟର ଉନ୍ନତୀକରଣ, ଧନ୍ଦାମୂଳକ ଶିକ୍ଷା, ବୃତ୍ତିଗତ ଶିକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ, ଆବାସିକ ଛାତ୍ରାବାସ, ପିଏମ୍ଶ୍ରୀ ବିଦ୍ୟାଳୟ, ଯାତାୟାତ ଭତ୍ତା, ପ୍ରଥମରୁ ତୃତୀୟ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ନିମନ୍ତେ ଓଡ଼ିଆ ଭାଷା ଓ ଗଣତିର ମୌଳିକ ଦକ୍ଷତା ବୃଦ୍ଧି ନିମନ୍ତେ ପୁସ୍ତିକା ଓ ପଠନ ସାମଗ୍ରୀ ବଣ୍ଟନ, ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ, ଆବଶ୍ୟକ ଶିକ୍ଷକ ନିଯୁକ୍ତି ପ୍ରଭୃତି ମାଳମାଳ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି ।
ମାତ୍ର ଭିତ୍ତିଭୂମିକୁ ଅନୁଧ୍ୟାନ କଲେ ଜିଲ୍ଲାରେ ମୋଟ ୧୮୯୩ ସରକାରୀ ସ୍କୁଲ୍ ଥିବାବେଳେ ୨୦୦ ସ୍କୁଲର ସୁରକ୍ଷା ପାଚେରି ନାହିଁ, ୬୧ ସ୍କୁଲରେ ପୁଅଙ୍କ ନିମନ୍ତେ ଓ ୩୮ ସ୍କୁଲରେ ଝିଅଙ୍କ ନିମନ୍ତେ ପାଇଖାନା ନାହିଁ, ୨୬୮ ସ୍କୁଲର ଖେଳ ପଡ଼ିଆ ନାହିଁ, ୧୩ ସ୍କୁଲକୁ ବିଦ୍ୟୁତ୍ ସଂଯୋଗ ନାହିଁ, ୧୫୯୫ ସ୍କୁଲରେ କମ୍ପ୍ୟୁଟର ନାହିଁ । ସେହିପରି ୬୪ ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀମାନେ ବସିବାକୁ ସ୍ଥାନ ଅଭାବ ଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ପାଠପଢ଼ା ଚାଲିଛି । ସ୍ଥିତି ସ୍ୱାଭାବିକ କରିବା ନିମନ୍ତେ ୬୪ ପ୍ରାଥମିକ ସ୍କୁଲରେ ୭୬ଟି ଶ୍ରେଣୀ ଗୃହ ଆବଶ୍ୟକ । ସେହିପରି ୧୧୯ ଉଚ୍ଚ ପ୍ରାଥମିକ ସ୍କୁଲରେ ୨୧୦ଟି ଶ୍ରେଣୀ ଗୃହ, ୫୬ଟି ହାଇସ୍କୁଲ ନିମନ୍ତେ ୧୭୭ ଶ୍ରେଣୀ ଗୃହ ଆବଶ୍ୟକ ।
ପ୍ରାଥମିକ ସ୍କୁଲ ସ୍ତରରେ ବରିଷ୍ଠ ପ୍ରଧାନ ଶିକ୍ଷକ ପଦବି ସଂଖ୍ୟା ୩୪ ଥିବା ବେଳେ ୧୯, ୬୫୦ ପ୍ରଧାନ ଶିକ୍ଷକ ପଦବିରୁ ୪୫୬ ଖାଲି, ୬୨୯ ବିଜ୍ଞାନ ଶିକ୍ଷକ ପଦବିରୁ ୪୦୮ ଖାଲି, ୫୩୮ ବରିଷ୍ଠ ବରିଷ୍ଠ ଶିକ୍ଷକ ପଦବି ମଧ୍ୟରୁ ୨୮୭ ଖାଲିପଡ଼ିଛି । ପୁରୀ ଜିଲ୍ଲାର ୪ ସ୍ଥାନ ନିମାପଡ଼ା, ଗୋପ, ଅସ୍ତରଙ୍ଗ, କୃଷ୍ଣପ୍ରସାଦ ପ୍ରଭୃତି ସ୍ଥାନରେ ମଣ୍ଡଳ ଶିକ୍ଷାଧିକାରୀ ପଦବି ଖାଲି ପଡ଼ିଛି । ୬୦୦ରୁ ଅଧିକ ସରକାରୀ ଶିକ୍ଷା ପ୍ରତିଷ୍ଠାନ ନିଜସ୍ୱ ଲ୍ୟାଣ୍ଡ ରେକର୍ଡ ନାହିଁ ।
ପୁରୀ ଜିଲ୍ଲାରେ ହାଇସ୍କୁଲକୁ ରୂପାନ୍ତରୀକରଣ ନିମନ୍ତେ ସରକାର ୫ଟି ଯୋଜନାରେ ୩୩୫ ସ୍କୁଲ ନିମନ୍ତେ ୧୬୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ଭିତ୍ତିଭୂମି ନ ସୁଧୁରିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ହୋଇଛି ।